ନୂଆଦିଲ୍ଲୀ,୨୬।୪: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀ ଦେବଦୀପ ଚାଟାର୍ଜୀଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ସେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଦେବଦୀପଙ୍କ ହତ୍ୟା ପାଇଁ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଦାୟୀ କରି କଂଗ୍ରେସ ସାଂସଦ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ଗଣତନ୍ତ୍ର ନାହିଁ, ବରଂ ଟିଏମସି ଗୁଣ୍ଡାଗିରି ଅଛି। ଏହା ବ୍ୟତୀତ, ରାହୁଲ ଗାନ୍ଧୀ ରାଜ୍ୟ ସରକାର କଂଗ୍ରେସ କର୍ମୀଙ୍କ ପରିବାରକୁ ପୂର୍ଣ୍ଣ ସୁରକ୍ଷା ଏବଂ କ୍ଷତିପୂରଣ ଯୋଗାଇବାକୁ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି,‘ଟିଏମସି ସହିତ ଜଡିତ ଗୁଣ୍ଡାମାନଙ୍କ ଦ୍ୱାରା କଂଗ୍ରେସ କର୍ମୀ ଦେବଦୀପ ଚାଟାର୍ଜୀଙ୍କ ନିର୍ବାଚନ ପରବର୍ତ୍ତୀ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଆଜି, ପଶ୍ଚିମବଙ୍ଗ ଗଣତନ୍ତ୍ର ନୁହେଁ, ବରଂ ଟିଏମସି ଗୁଣ୍ଡାଗିରି ଅନୁଭବ କରୁଛି। ଭୋଟ ପରେ ବିରୋଧିଙ୍କ ସ୍ୱରକୁ ଭୟଭୀତ କରିବା, ହତ୍ୟା କରିବା ଏବଂ ନିପାତ କରିବା ଟିଏମସିର ନୀତି ପାଲଟିଛି। କଂଗ୍ରେସ ରାଜନୀତି କେବେ ହିଂସା ଉପରେ ଆଧାରିତ ହୋଇନାହିଁ, ଏବଂ କେବେ ହେବ ନାହିଁ। ଆମେ ମଧ୍ୟ ଆମର କର୍ମୀମାନଙ୍କୁ ହରାଇଛୁ, ତଥାପି ଆମେ ସର୍ବଦା ଅହିଂସା ଏବଂ ସମ୍ବିଧାନର ପଥ ବାଛିଛୁ। ଏହା ଆମର ଐତିହ୍ୟ, ଏହା ଆମର ସଂକଳ୍ପ।

ଏହା ସହିତ ରାହୁଲ ଗାନ୍ଧୀ ପ୍ରାଣ ହରାଇଥିବା କଂଗ୍ରେସ କର୍ମୀଙ୍କ ପରିବାର ପାଇଁ ପୂର୍ଣ୍ଣ ସୁରକ୍ଷା ଏବଂ କ୍ଷତିପୂରଣ ଦାବି କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ମୋର ଦାବି ସ୍ପଷ୍ଟ: ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ, କଠୋରତମ ଦଣ୍ଡ ଦିଆଯାଉ, ଏବଂ ଦେବଦୀପଙ୍କ ପରିବାର ପାଇଁ ପୂର୍ଣ୍ଣ ସୁରକ୍ଷା ଏବଂ କ୍ଷତିପୂରଣ ସୁନିଶ୍ଚିତ କରାଯାଉ।’ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ୍ସ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଭାରତର ଅହିଂସା ପରମ୍ପରାକୁ କଳଙ୍କିତ କରୁଥିବା ଏହି ରାଜନୀତି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ନ୍ୟାୟ ନିଶ୍ଚିତ ମିଳିବ।

ଏହା ପୂର୍ବରୁ, କଂଗ୍ରେସର ପଶ୍ଚିମବଙ୍ଗ ୟୁନିଟ୍ ଅଭିଯୋଗ କରିଥିଲା ଯେ ଦେବଦୀପଙ୍କୁ ଶାସକ ତୃଣମୂଳ କଂଗ୍ରେସ ସହିତ ଜଡିତ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ଏବଂ ନିର୍ମମ ଭାବରେ ମାଡ଼ ମାରିଥିଲେ। ଏହାର କିଛି ସମୟ ପରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ରାଜ୍ୟ ୟୁନିଟ୍ ଅନୁଯାୟୀ, ଦେବଦୀପ ଚାଟାର୍ଜୀ ଆସାନସୋଲ୍ ଉତ୍ତରରୁ କଂଗ୍ରେସ ପ୍ରାର୍ଥୀ ପ୍ରସେନଜିତ ପୁଇତାଣ୍ଡିଙ୍କ ସହିତ ମିଶିକି କାମ କରୁଥିବା ନେଇ ପରିଚିତ ଥିଲେ। କଂଗ୍ରେସ କହିଛି, ଏହି ଦୁଃଖଦ ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି, ଯାହା ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଛି। ଏହା ପଶ୍ଚିମବଙ୍ଗରେ ବିରୋଧୀ କର୍ମୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।