ରାଇରଙ୍ଗପୁର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନ୍ମମାଟିରେ ପାଦ ରଖିଛନ୍ତି । ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ ସେଠାରୁ ସଡ଼କ ପଥରେ ଆସିଛନ୍ତି । ରାଷ୍ଟ୍ରପତି ରାଇରଙ୍ଗପୁରକୁ ହେଲିକ୍ୟାପଟର ଯୋଗେ ଆସିବାର ଥିଲା । କିନ୍ତୁ ପାଗ ଖରାପ ଥିବାରୁ ସେ ସଡ଼କପଥରେ ବାହାରିଥିଲେ ଏବେ ରାଷ୍ଟ୍ରପତି ରାଇରଙ୍ଗପୁରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଯାଇଛି। ପ୍ରଥମଥର ପାଇଁ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇବେ ପାହାଡ଼ପୁରୀବାସୀ । ଯାହାକୁ ନେଇ ପାହାଡ଼ପୁରବାସୀ ବେଶ୍‌ ଉତ୍ସାହିତବୋଲି କହିଛନ୍ତି

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସ ଭୁବନେଶ୍ୱର ସହଯୋଗରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ପହଞ୍ଚିଲେ ରାଷ୍ଟ୍ରପତି । ପ୍ରତିକୂଳ ପାଗ ଯୋଗୁଁ କଲେଇକୁଣ୍ଡାରୁ ସଡ଼କ ପଥରେ ଆସିବା କାରଣରୁ ଡେରିରେ ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି । ସ୍ୱାସ୍ଥ୍ୟ ଶିବିରରେ ଏମ୍ସର ଡାକ୍ତର ଏବଂ ରୋଗୀଙ୍କ ସହିତ ଆଲୋଚନା ପରେ ସମସ୍ତଙ୍କ ସହିତ ଫୋଟୋ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡାକ୍ତରଖାନା ପରିସରରୁ ଆଭାସୀ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

ଓଡିଶାରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଦାଣ୍ଡବୋଷରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏଥିସହ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଶନିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । 

ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍‌ଆଇ-୧୭) ଯୋଗେ ଦିଘିବେଡ଼ା ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ମୟୂରଭଞ୍ଜରେ ପହଞ୍ଚିବେ । ପୂର୍ବାହ୍ନ ୧୧ଟା ୧୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଉଭୟ ଏକ ଆବାସିକ ସ୍କୁଲ ଓ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିବେ । ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟା ୨୦ରେ ରାଷ୍ଟ୍ରପତି ଦିଘିବେଡ଼ାରୁ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ବିମାନବନ୍ଦର ଯିବେ । ​​​​​​​