ରାଜକନିକା,୧୭/୧୧: ଆଜିର ଅପରାଧ ପ୍ରବଣ ସମାଜରେ ଏମିତି ଗାଁଟିଏ ଅଛି, ଯେଉଁଠି  ଦୈନନ୍ଦିନ ଚାଲିଚଳଣି ସମ୍ପୂର୍ଣ୍ଣ ନିଆରା । ଘରୁ କେହି ସପରିବାର ବାହାରକୁ ଗଲେ, ଘରେ ତାଲା  ପକାଇଯିବା ଏକ ସାଧାରଣ କଥା । ଯାହାକି ବହୁ  କାଳରୁ ଚାଲି ଆସୁଛି । ବର୍ତ୍ତମାନର ଆଧୁନିକ  ସମାଜରେ ଲୋକେ ଘରେ ତାଲା ପକାଇବା ସହ  ସିସିଟିଭି ମଧ୍ୟ ଲଗାଇଲେଣି । ମାତ୍ର କେନ୍ଦ୍ରାପଡ଼ା  ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଶିଆଳିଆ ଗାଁ  ଏସବୁଠାରୁ ବହୁ ଦୂରରେ । କାହିଁ କେଉଁ ଆବାହମାନ  କାଳରୁ ଶିଆଳିଆ ଗାଁ ଲୋକେ ଆରାଧ୍ୟା ଦେବୀ ମା’ ଖରାଖାଇଙ୍କୁ ଭରସା କରି ଚଳି ଆସୁଛନ୍ତି । ସେମାନେ  ନିଜ ଘର ଦୁଆରରେ ତାଲା ପକାଇବା ଦୂରର କଥା,  କବାଟଟିଏ ମଧ୍ୟ ଲଗାଇ ନାହାନ୍ତି । କାହିଁ କେଉଁ କାଳରୁ  ଏଭଳି ଚଳଣି ଓ ପରମ୍ପରା ଗ୍ରାମରେ ଜାରି ରହିଛି ।  ପିଢ଼ି ପରେ ପିଢ଼ି ଏହି ଢାଞ୍ଚାରେ ଜୀବନ ଜିଉଁଛନ୍ତି ।  

ଶିଆଳିଆ ଗାଁ ଲୋକଙ୍କ ଏହି ଅଜବ  ଜୀବନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ  ସେମାନେ କିନ୍ତୁ ବେଶ୍‌ ବେଫିକର୍‌ । ଯେଉଁ ଗାଁ ଓ  ଘରେ ସ୍ୱୟଂ ମା’ କବାଟର ଦୁଆର ବନ୍ଧରେ ବସିଛନ୍ତି,  ସେ ଗାଁରେ ପୁଣି ଚୋର କ’ଣ ଚୋରି କରିପାରିବ?  ଏମିତି ଏକ ସୁଦୃଢ଼ ମାନସିକତା ଜାରି ରହିଥିବା  ବେଳେ ମାଟି ଘର ପରେ ଏବେ ଗାଁରେ ପକ୍କା ଘର  ହୋଇଥିଲେ ହେଁ କୌଣସି ଘରେ କବାଟ ଲାଗୁନାହିଁ ।  କୁକୁର ଅବା ଅନ୍ୟ କୌଣସି ପଶୁ ଘର ଭିତରକୁ  ନ ପଶିବା ପାଇଁ ଆଗରୁ ବାଉଁଶ ତାଟି ବ୍ୟବହାର  ହେଉଥିବା ବେଳେ ଏବେ ଲୁହାର ଗ୍ରିଲ ଲଗାଯାଇଛି। କିମ୍ୱଦନ୍ତୀ ଅନୁସାରେ ଶିଆଳିଆ ଗାଁର ଏହି ଆରାଧ୍ୟା  ମା’ ଏକ ଶବ ଉପରେ କବାଟକୁ ଡେରି ଛିଡ଼ା  ହୋଇଥିବା ବେଳେ ଶବକୁ ଉଭୟ ପଟୁ ଶିଆଳ ଓ  କୁକୁର ଟାଣୁଥିବାର ଦୃଶ୍ୟ ବୋଧହୁଏ ଏହି ଗାଁର  ନାମକରଣ ଶବାଳୟ ପରେ ଶିବାଳିଆ, କାଳକ୍ରମେ  ଅପଭ୍ରଂଶ ହୋଇ ଶିଆଳିଆ ହୋଇଥିବା ଅନୁମାନ  କରାଯାଏ । 

ଏହି ଗାଁର ଉତ୍ତର ପାଶ୍ୱର୍ ଘଞ୍ଚ ବଣରେ  କେନ୍ଦୁଗଛ ମୂଳରେ ଖରା,ବର୍ଷା,ଶୀତ,କାକରରେ  ପଡ଼ି ରହି ପୂଜା ପାଉଥିବା ମା’ ଖରାଖାଇଙ୍କ  ମହିମା ଲୋକଲାଚନରେ ବେଶ୍‌ ପ୍ରଭାବୀ ଥିବା  ଏବଂ ଖୋଦ୍‌ ମା’ ଶବ ଉପରେ ଦୁଆର ବନ୍ଧରେ  ଡେରି ହୋଇ ରହିବାର ମୁଦ୍ରା ଚୋରି, ଡକାୟତି  ଭଳି ଅପରାଧରୁ ମୁକ୍ତ ରଖିଥାଏ । ଆଜିଯାଏ ଏହି  ଗାଁରେ କୌଣସି ପ୍ରକାର ଚୋରି ମାମଲା ଥାନାକୁ  ନଯିବାର ମୌଳିକତାକୁ ନେଇ ମା’ଙ୍କ ପ୍ରଭାବ  ମଧ୍ୟ ବିଶ୍ୱବିଦିତ ରହିଛି । ଏତେ ବଡ଼ ବିଶେଷତ୍ୱକୁ  ନେଇ ସମୃଦ୍ଧ ଶିଆଳିଆ ଗାଁର ଅଦ୍ଭୁତ ଜୀବନଶୈଳୀ  ଅନ୍ୟ ସମସ୍ତଙ୍କ ପାଇଁ କିମ୍ୱୁତକିମ୍ବାକାର ଲାଗୁଥିବାରୁ  ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଦେଶ ଓ  ବିଦେଶରୁ ସ୍ୱତଃ ଏଠାକୁ ଟାଣି ହୋଇ ଆସିଥାନ୍ତି ।  

ଭିତରକନିକା ସଂଲଗ୍ନ କନିକାରେ ଇଂଲଣ୍ଡର  ବଙ୍କିଂହାମ୍‌ ରାଜପ୍ରସାଦର ଅବିକଳ ଢାଞ୍ଚାରେ ନିର୍ମିତ  କନିକା ରାଜବାଟୀ, ଗିରିୟା ମଠ, ସୁଦାମବାଇ ପୀଠ  ଭଳି ବହୁ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ  ଏସବୁକୁ ଗୁଗଲ୍‌ରେ ଖୋଜି ବିଦେଶୀ ପର୍ଯ୍ୟଟକ  ଏହି ପୀଠକୁ ଆସୁଛନ୍ତି । ମାତ୍ର ସରକାରୀ ଭାବରେ  ଶିଆଳିଆ ଗାଁର ବିଚିତ୍ର ଜୀବନଚର୍ଯ୍ୟା ପାଇଁ ଏହାକୁ  ପର୍ଯ୍ୟଟନକ୍ଷେତ୍ରର ମାନ୍ୟତା ଦେବାକୁ ଦୀର୍ଘ  ବର୍ଷରୁ ବିଭିନ୍ନ ଫୋରମ୍‌ରେ ଦାବି ହୋଇ ଆସୁଛି ।  

ସରକାରଙ୍କ ଉଦାସୀନତା ଏବଂ ଜିଲ୍ଲା ପ୍ରଶାସନର  ଆନ୍ତରିକତା ଅଭାବରୁ ଏଭଳି ଏକ ନିଆରା ପର୍ଯ୍ୟଟନ  କ୍ଷେତ୍ର ଆଜିଯାଏ ପର୍ଯ୍ୟଟନର ମାନ୍ୟତା ନପାଇବା  ଦୁର୍ଭାଗ୍ୟଜନକ ନିଶ୍ଚୟ । ଏହି ପୀଠରେ ପ୍ରତିବର୍ଷ  କାର୍ତ୍ତିକ ପୂର୍ଣ୍ଣିମା ସମୟରେ ୩ ଦିନର ଯଜ୍ଞାନୁଷ୍ଠାନରେ  ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି । ତେଣୁ  ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶିଆଳିଆକୁ  ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଆବଶ୍ୟକ  ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।