ନୟାଗଡ଼,୨୭/୦୯: ନୟାଗଡ଼ ଜିଲ୍ଲା ରଣପୁର  ତହସିଲ ଅଧୀନ ରଣପୁର ଗଡ଼ରେ ଥିବା କୋଟି କୋଟି  ଟଙ୍କାର ସରକାରୀ ଜମିକୁ କେତେକ ମାଫିଆ ତହସିଲ  କର୍ମଚାରୀଙ୍କୁ ହାତ କରି ସେମାନଙ୍କ ନାମରେ ରେକର୍ଡ କରି  ନେଇଥିଲେ । ରେକର୍ଡଭୁକ୍ତ ଏହି ଜମିରେ ଅଣଜଳସେଚିତ  ଓ ଘରବାରି ରହିଥିଲା । ଯାହାର ମୂଲ୍ୟ ପ୍ରାୟ ୫କୋଟି  ଟଙ୍କାରୁ ଅଧିକ ହେବ । ଏ ସମ୍ପର୍କରେ ‘ପ୍ରମେୟ’ରେ  ଗତ ୪ତାରିଖରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ  ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ତହସିଲଦାର  ଉକ୍ତ ମ୍ୟୁଟେସନ୍‌ କେଶକୁ ପୁନର୍ବାର ବିଚାର କରିବାକୁ  ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇ ଥିଲେ । ଉପଜିଲ୍ଲାପାଳ  ଏହାର ତଦନ୍ତ କରି ହଡ଼ପ ସରକାରୀ ଜମିକୁ ଆଜି  ସରକାରୀ ଖାତାକୁ ଫେରାଇ ଆଣିଛନ୍ତି। ଯାହାକି ଖତିୟାନର  କ୍ରମିକ ନମ୍ବର ୧୪୮୨ ରହିଛି ।

ତେବେ ଉପଜିଲ୍ଲାପାଳ  ମ୍ୟୁଟେସନ କେସ୍‌ ନଂ ୩୩/୨୫ ତା ୨୦ା୯ା୨୦୨୫କୁ  ଖାରଜ କରି ପ୍ଲଟ ନଂ ୨୩୬୩ରେ ୧ ଏକର ୭୨ ଡିସିମିଲ  ଯାହାକି ଅଣଜଳସେଚିତ, ପ୍ଲଟ ନଂ ୨୩୬/୪ରେ  ୨ଡିସିମିଲି ଘରବାରି ଓ ପ୍ଲଟ ନଂ ୨୩୬୬ରେ ୨୧ ଡିସିମିଲି  ଘରବାରି ଯାହାକି ସମୁଦାୟ ୧ ଏକର ୯୫ ଡିସିମିଲି ଜାଗାକୁ  ସରକାରୀ ଖାତାକୁ ନେବାକୁ ରଣପୁର ତହସିଲଦାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରଣପୁର  ତହସିଲଦାର ଆର୍ଯ୍ୟ କୁମାର ଦମନଙ୍କୁ ପଚାରିବାରେ  ଉକ୍ତ ମ୍ୟୁଟେସନ୍‌ କେଶକୁ ଖାରଜ କରାଯାଇ ସମସ୍ତ  ଜମି ସରକାରଙ୍କ ଖାତାକୁ ଫେରିଥିବା ପ୍ରକାଶ କରିଛନ୍ତି।