ପୁରୀ,୩୧/୦୫: ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଦଣ୍ଡା କାର୍ଯ୍ୟ ଶୁକ୍ରବାର ଶୁଭାରମ୍ଭ ହୋଇଛି । ମୁଖ୍ୟ ବିଶ୍ୱକର୍ମାମାନେ ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଦଣ୍ଡା କାର୍ଯ୍ୟ ଅନୁକୂଳ କରିଛନ୍ତି । ତିନି ରଥର ମୂଳ ୫ଦଣ୍ଡା ହଣା ଆରମ୍ଭ ହୋଇଛି । ତାଳଧ୍ୱଜ ଓ ନନ୍ଦିଘୋଷର ୯ ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ଦଣ୍ଡା । ପରେ ଦଣ୍ଡାରେ ମୁହାଁଟ ଫିଟିଂ ହେବ । ତିନି ରଥର ୨୧ ଅଖ କାର୍ଯ୍ୟ ଶେଷ ପରେ ଦଣ୍ଡା ନିର୍ମାଣ ଆରମ୍ଭ ହୋଇଛି । ବାରିସିରେ ହାଣି ବିଶ୍ୱକର୍ମା ଦଣ୍ଡା ତିଆରୁଛନ୍ତି । ଦେବଦଳନ ରଥର ଗୋଟିଏ ଦଣ୍ଡା କାଠ ଉପଯୁକ୍ତ ନ ହେବାରେ ଆଉ ଏକ କାଠ ବଦଳାଯାଇଥିଲା ।
ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଦାୟିତ୍ୱରେ ବଳିଷ୍ଠ ଭୋଇ ସେବକମାନେ ପୂର୍ବରୁ ଦଣ୍ଡା କାଠ ଆଣି ବଡ଼ଦାଣ୍ଡରେ ରଖିଥିଲେ । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ଦଣ୍ଡା ହଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ୪୦ଫୁଟିଆ ଧଉରା କାଠରେ ଦଣ୍ଡା ପ୍ରସ୍ତୁତ ହେଉଛି । ଦଣ୍ଡାରେ ଗରଗରା ପଡ଼ିଲେ ସେଥିରେ ଚାରି ନାହାକା ଉଠିବ । ଦଣ୍ଡା ଓ ଗରଗରା ଉପରେ ରଥର ଉପର ଅଂଶର ସମସ୍ତ ଭାରା ରହିବ ।
ସେପଟେ ତିନି ରଥର ୪୨ ଚକ ତିଆରି ସରିଥିଲା । ଆଜି ସରିଲା ୨୧ ଅଖ ନିର୍ମାଣ । ଭଉଁରିରେ ୬ ନାହାକା ଚକ ସହ ୩ ନାହାକା ଅଖ ସଂଯୋଗ ହୋଇଥିଲା । ଏଣିକି ବାକି ୧୮ ଅଖ ସହ ୩୬ ଚକ ସଂଯୋଗ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ଚାରି ନାହାକା ହଣା ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ବିଶ୍ୱକର୍ମାମାନେ ରଥର ଯୋକା ଓ ଚଉଦନାହାକା କାର୍ଯ୍ୟ ଶେଷ ସାରିଛନ୍ତି । ରୂପକାର ସେବକମାନେ ଗୁଜ କାମ ଜାରି ରଖିଛନ୍ତି । କରତି ସେବକ ରଥର ପୋଲ ଗୟଳ ତିଆରୁଛନ୍ତି । ତିନୋଟି ପୃଥକ ଶାଳରେ କମାର ତଥା ଓଝା ସେବକ ଲୁହା ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଦୋଳବେଦି ପରିସରରେ ପାହି ମହାରଣା ଠାକୁରଙ୍କ ଅଣସର ଓ ରଥ ଯାତ୍ରାରେ ଆବଶ୍ୟକ କାଠ ସାମଗ୍ରୀ ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ।