ପୁରୀ,୩୧/୦୫: ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଦଣ୍ଡା କାର୍ଯ୍ୟ ଶୁକ୍ରବାର ଶୁଭାରମ୍ଭ  ହୋଇଛି । ମୁଖ୍ୟ ବିଶ୍ୱକର୍ମାମାନେ ମାହାର୍ଦ୍ଦ  ଓ ଶ୍ରୀଫଳ ଦେଇ ଦଣ୍ଡା କାର୍ଯ୍ୟ ଅନୁକୂଳ  କରିଛନ୍ତି । ତିନି ରଥର ମୂଳ ୫ଦଣ୍ଡା ହଣା ଆରମ୍ଭ ହୋଇଛି । ତାଳଧ୍ୱଜ ଓ  ନନ୍ଦିଘୋଷର ୯ ଦଣ୍ଡା ରହିଥିବା  ବେଳେ ଦେବଦଳନ ରଥର  ୭ଦଣ୍ଡା । ପରେ ଦଣ୍ଡାରେ ମୁହାଁଟ ଫିଟିଂ  ହେବ । ତିନି ରଥର ୨୧ ଅଖ କାର୍ଯ୍ୟ  ଶେଷ ପରେ ଦଣ୍ଡା ନିର୍ମାଣ ଆରମ୍ଭ  ହୋଇଛି । ବାରିସିରେ ହାଣି ବିଶ୍ୱକର୍ମା ଦଣ୍ଡା  ତିଆରୁଛନ୍ତି । ଦେବଦଳନ ରଥର ଗୋଟିଏ  ଦଣ୍ଡା କାଠ ଉପଯୁକ୍ତ ନ ହେବାରେ ଆଉ  ଏକ କାଠ ବଦଳାଯାଇଥିଲା ।   

ଭୋଇ ସର୍ଦ୍ଦାର ରବି ଭୋଇଙ୍କ  ଦାୟିତ୍ୱରେ ବଳିଷ୍ଠ ଭୋଇ ସେବକମାନେ  ପୂର୍ବରୁ ଦଣ୍ଡା କାଠ ଆଣି ବଡ଼ଦାଣ୍ଡରେ  ରଖିଥିଲେ । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା  ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ  ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ  ମହାରଣାଙ୍କ ତତ୍ୱାବଧାନରେ ଦଣ୍ଡା  ହଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ୪୦ଫୁଟିଆ ଧଉରା କାଠରେ ଦଣ୍ଡା ପ୍ରସ୍ତୁତ  ହେଉଛି । ଦଣ୍ଡାରେ ଗରଗରା ପଡ଼ିଲେ  ସେଥିରେ ଚାରି ନାହାକା ଉଠିବ । ଦଣ୍ଡା ଓ  ଗରଗରା ଉପରେ ରଥର ଉପର ଅଂଶର  ସମସ୍ତ ଭାରା ରହିବ ।

   

ସେପଟେ ତିନି ରଥର ୪୨ ଚକ  ତିଆରି ସରିଥିଲା । ଆଜି ସରିଲା ୨୧ ଅଖ  ନିର୍ମାଣ । ଭଉଁରିରେ ୬ ନାହାକା ଚକ ସହ ୩  ନାହାକା ଅଖ ସଂଯୋଗ ହୋଇଥିଲା । ଏଣିକି  ବାକି ୧୮ ଅଖ ସହ ୩୬ ଚକ ସଂଯୋଗ  ହେବ ବୋଲି ନିର୍ମାଣକାରୀ କହିଛନ୍ତି । ଚାରି  ନାହାକା ହଣା ଶେଷ ପର୍ଯ୍ୟାୟରେ । ଇତି  ମଧ୍ୟରେ ବିଶ୍ୱକର୍ମାମାନେ ରଥର ଯୋକା ଓ  ଚଉଦନାହାକା କାର୍ଯ୍ୟ ଶେଷ ସାରିଛନ୍ତି ।  ରୂପକାର ସେବକମାନେ ଗୁଜ କାମ ଜାରି  ରଖିଛନ୍ତି । କରତି ସେବକ ରଥର ପୋଲ  ଗୟଳ ତିଆରୁଛନ୍ତି । ତିନୋଟି ପୃଥକ  ଶାଳରେ କମାର ତଥା ଓଝା ସେବକ ଲୁହା  ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।  ଦୋଳବେଦି ପରିସରରେ ପାହି ମହାରଣା  ଠାକୁରଙ୍କ ଅଣସର ଓ ରଥ ଯାତ୍ରାରେ  ଆବଶ୍ୟକ କାଠ ସାମଗ୍ରୀ ପ୍ରସ୍ତୁତ କରୁଥିବା  ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକସମ୍ପର୍କ  ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ।