ଲଇଡ଼ା ,୨୧/୦୩ (ବିଶ୍ୱନାଥ ପଟେଲ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗଲୋଇ-ଲଇଡା ପଞ୍ଚାୟତର ମଧ୍ୟବର୍ତ୍ତୀ ଅଂଚଳରେ ୬୫ ଏକର ୫୦ ଡିସିମିଲ ପରିସୀମା ବିଶିଷ୍ଟ ଏକ ପାହାଡ଼ ରହିଛି । ସ୍ଥାନୀୟ ଲୋକେ ଏହାକୁ ରେଙ୍ଗଲୋଇ ପାହାଡ଼ (ରେଙ୍ଗଲୋଇ ଡୁମୁରି) ବୋଲି କହନ୍ତି । ଏକଦା ରେଙ୍ଗାଲ, କୁରୁଆଁ, ଧମଲା, ମହୁଲ, କୁରାଇ, ଅର୍ଜୁନ ଆଦି ବୃକ୍ଷ ଏବଂ ବିଭିନ୍ନ ପ୍ରକାର ଔଷଧିୟ ଗୁଳ୍ମରେ ଏହା ପରିପୂର୍ଣ୍ଣ ଥିଲା । ପ୍ରାକୃତିକ ପରିବେଶ ଘେରା ଏହି ପାହାଡ଼ ଅଂଚଳବାସୀଙ୍କ ଜୀବନ ରେଖା ଭାବେ ପରିଚିତ ଥିଲା । ପାହାଡ଼ ପାଦ ଦେଶରେ କୁଳୁକୁଳୁ ନାଦରେ ବୋହିଯାଉଛି ଏକ ଝରଣା।

ଧୀରେ ଧୀରେ ଏହି ଜଙ୍ଗଲ ନଷ୍ଟ ହେବା ପରେ ଏ ଝରଣା ମଧ୍ୟ ମରିବାକୁ ବସିଲାଣି । ପୂର୍ବପରି ଆଉ ଜଳସ୍ରୋତ ନାହିଁ । ଝରଣାର ଉଭୟ ପାଶ୍ୱର୍ ପୋତି ହୋଇ କେବଳ ଛୋଟ ଜଳ ଧାର ଟିଏ ଦୃଷ୍ଟିଗୋଚର ହେଉଛି । ଅତୀତରେ ଜୀବଜନ୍ତୁ ଯଥା ଭାଲୁ, ବିଲୁଆ, ବାରହା, ଠେକୁଆ ଆଦି ଦେଖାଯାଉଥିଲେ । ଏବେ ପାହାଡ଼ର ଯେଉଁ ଦିଗକୁ ଦେଖିଲେ ଗଛପତ୍ର ଗୁଳ୍ମ ବିହୀନ ଲଣ୍ଡା ଦେଖାଯାଉଛି । ପାହାଡ଼ ଉପରେ ଏକ ଛୋଟିଆ ସମତଳ ଭାଗ ରହିଛି । ରେଙ୍ଗଲୋଇ ଗ୍ରାମବାସୀ ଏଠାରେ ଭାଦ୍ରବ ମାସରେ ଇନ୍ଦ୍ରଦେବଙ୍କ ପୂଜା କରନ୍ତି । କିଛି ବର୍ଷ ପୂର୍ବେ ରେଙ୍ଗଲୋଇ ଗ୍ରାମବାସୀ ଏହାର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦେଇଥିବାରୁ ପୁଣି ବିଭିନ୍ନ ଗଛର ବୁଦା ପଲ୍ଲବିତ ହୋଇ ସବୁଜ ଦେଖାଯାଇଥିଲା । ପରବର୍ତୀ ସମୟରେ ଆର୍ଥିକ ଅଭାବରୁ ଲୋକଙ୍କ ମନୋବଳ ଦୁର୍ବଳ ହେଲା । ଏବେ ପୁଣି ପାହାଡ଼ ଲଣ୍ଡା ହୋଇ ମୃତ ଅବସ୍ଥାରେ ପହଞ୍ଚିଛି । 

ବର୍ଷା ସମୟରେ ପାହାଡ଼ ତଥା ଆଖ ପାଖ ଅଞ୍ଚଳରେ ଛୋଟ ଛୋଟ ଗଛ (ବୁଦା) କଅଁଳେ । ହେଲେ ସଚେତନତା ଅଭାବରୁ କିଛି ଲୋକ ଏହାକୁ କାଟି ଜାଳେଣି ରୂପେ ବ୍ୟବହାର କରୁଥିବାରୁ ଏହାର ଅସ୍ତିତ୍ୱ ଲୋପ ପାିବାକୁ ବସିଛି । ଏ ମାଟିରେ ଗଛ ଶୀଘ୍ର ବଢିଥାଏ । କିଛି ବର୍ଷ ପୂର୍ବେ ଏହାର ଆଖପାଖରେ କିଛି ଗଛ ରୋପଣ କରାଯାଇଥିଲା ତାହା ଭଲ ଭାବେ ବଢିଛି । ରେଙ୍ଗାଲି ବ୍ଲକ ଅଂଚଳରେ ଗଢ଼ି ଉଠିଥିବା କଳକାରଖାନାର ପ୍ରଦୂଷଣ ପ୍ରଭାବ ଏଠାରେ ମଧ୍ୟ ଦେଖିବାକୁ ମିଳୁଛି । କଳକାରଖାନା କର୍ତ୍ତୃପକ୍ଷ ରେଙ୍ଗାଲି ବ୍ଲକ ବାହାରେ ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ କରୁଛନ୍ତି । ସେମାନଙ୍କ କୃପା ଦୃଷ୍ଟି ଏହି ଲଣ୍ଡା ପାହାଡ଼ ଉପରେ ପଡ଼ିଲେ ପୃତ ପ୍ରାୟ ପାହାଡ଼ ପୁନଃଜୀବନ ପାଇ ପାରନ୍ତା ବୋଲି ଅଞ୍ଚଳବାସୀ ତଥା ପରିବେଶବିତ୍ତ ମତ ପୋଷଣ କରନ୍ତି ।

ଆହୁରି ପଢନ୍ତୁ- ଅନ୍ତର୍ଜାତୀୟ ଜଙ୍ଗଲ ଦିବସ;କଳାହାଣ୍ଡି ଜଙ୍ଗଲ ସମ୍ପଦକୁ ବନାଗ୍ନି ବିପଦ,ଲୋପ ପାଉଛି ଜୈବ ବିବିଧତା​​​​​​​ 

ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଏ ଦିଗରେ ଆଗେଇ ଆସିବା ଦରକାର । ପାହାଡ଼ ପାଦଦେଶରେ ମା’ ତାରିଣୀଙ୍କ ଏକ ଫଟୋ ରଖି କୁଡ଼ିଆ ଘର କରି ପୂଜା କରାଯାଉଥିଲା । ଏବେ ରକ୍ଷଣାବେକ୍ଷଣ ଅଭାବରୁ କୁଡ଼ିଆଟି ଭାଙ୍ଗି ଯାଇଛି । ଏଠାରେ ମା’ ତାରଣୀଙ୍କ ମନ୍ଦିର ଓ ପାର୍କ ତିଆରି କରାଗଲେ ଏହା ଜନ ଆକର୍ଷଣର କେନ୍ଦ୍ର ହୋଇପାରନ୍ତା । ପାହାଡ଼ ପାଦ ଦେଶରେ ବିସ୍ତିର୍ଣ ଖାଲୁଆ ଅଂଚଳରେ ଝରଣା ପାଣିକୁ ଅଟକାଇ ଜଳକ୍ରୀଡ଼ା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ପାରିବ । ଦେଖାଯାଉ ଏ ସ୍ୱପ୍ନ କେବେ ପୂରଣ ହେଉଛି କି ରେଙ୍ଗଲୋଇ ଡୁମୁରୀ ଅସ୍ଥିତ୍ୱ ହରାଉଛି ।