ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧରେ ଆମେରିକାର ଭୁମିକାକୁ ନେଇ ବଡ କଥା କହିଦେଲେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ସେ କହିଛନ୍ତି ଯେ ଆମେରିକା ଚାହୁଁଛି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜୁନ୍ ସୁଦ୍ଧା ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚୁ । ସେ ଗତ ଶୁକ୍ରବାର ଦିନ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ବିବୃତ୍ତି ଦେଇଛନ୍ତି। ଜେଲେନସ୍କିଙ୍କ ଅନୁଯାୟୀ, ଆମେରିକା ଆଲୋଚନା ପାଇଁ ଏକ ସ୍ପଷ୍ଟ ସମୟସୀମା ସ୍ଥିର କରିବାକୁ ପରାମର୍ଶ ଦେଇଛି।
ANI ଅନୁଯାୟୀ, ଜେଲେନସ୍କି କହିଛନ୍ତି ଯେ, ଆମେରିକାର କହିବା କଥା, ଜୁନ୍ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଆଲୋଚନା ସମାପ୍ତ ହେବା ଆବଶ୍ୟକ। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏକ ଚୁକ୍ତିନାମା ନହୁଏ, ତେବେ ଆମେରିକା ଉଭୟ ଦେଶ ଉପରେ ଚାପ ପକାଇପାରେ। ତେବେ ଏଥିରୁ ଯାହା, ସ୍ପଷ୍ଟ ଅନୁମେୟ ହେଉଛି, ଟ୍ରମ୍ପ ପ୍ରଶାସନ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛି। ସମ୍ପ୍ରତି, ଆମେରିକାର ମଧ୍ୟସ୍ଥତାରେ ୟୁକ୍ରେନ, ରୁଷ ଏବଂ ଆମେରିକା ମଧ୍ୟରେ ଆବୁଧାବିରେ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ବଡ଼ ଚୁକ୍ତିନାମା ହୋଇପାରିନଥିଲା।
ରୁଷ ପୂର୍ବ ଡୋନଭାସ ଅଞ୍ଚଳ ଉପରେ ନିୟନ୍ତ୍ରଣ ଚାହୁଁଛି...
ରୁଷ ଏବେ ବି ୟୁକ୍ରେନର ପୂର୍ବ ଡୋନଭାସ ଅଞ୍ଚଳ ଉପରେ ନିୟନ୍ତ୍ରଣ ଚାହୁଁଛି । ଯାହାକୁ ୟୁକ୍ରେନ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ, ବର୍ତ୍ତମାନ ରୁଷ ନିୟନ୍ତ୍ରଣରେ ଥିବା ଜାପୋରିଝିଆ ପରମାଣୁ ପ୍ଲାଣ୍ଟ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତିନାମା ହୋଇନାହିଁ। ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଆମେରିକାରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ଏହି ବୈଠକ ଆସନ୍ତା ସପ୍ତାହରେ ମିଆମିରେ ହେବାର ଆଶା କରାଯାଉଛି। ୟୁକ୍ରେନ ବୈଠକରେ ଅଂଶଗ୍ରହଣ କରିବାକୁ ନିଶ୍ଚିତ କରିଛି।
ରୁଷିଆ ଡ୍ରୋନ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ...
ରୁଷିଆ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଛି। ଜେଲେନସ୍କି କହିଛନ୍ତି ଯେ ଏହି ଆକ୍ରମଣ ଯୋଗୁଁ ପରମାଣୁ ଶକ୍ତି କେନ୍ଦ୍ର ଗୁଡ଼ିକୁ ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ କରାଯାଇଛି ଏବଂ ଶୀତ ୠତୁରେ ଦେଶରେ ଘୋର ବିଦ୍ୟୁତ୍ ଅଭାବ ଦେଖାଦେଇଛି। ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଆମେରିକା ପୁଣି ଥରେ ଯୁଦ୍ଧବିରତି ପ୍ରସ୍ତାବ ଦେଇଛି। ୟୁକ୍ରେନ ଏଥିରେ ରାଜି ହୋଇଛି, କିନ୍ତୁ ରୁଷିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏହା ସହ ପଢନ୍ତୁ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ବଡ ଦାବି, ପାକିସ୍ତାନ ପାଇଁ ଗୁଇନ୍ଦା କରୁଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପତ୍ନୀ...