ନୂଆଦିଲ୍ଲୀ,୧୯।୧ : ପୋଲାଣ୍ଡକୁ ଭାରତର କଡା ବାର୍ତ୍ତା। ଆତଙ୍କବାଦ ମାମଲାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷା ଭାବରେ ପାକିସ୍ତାନକୁ ସମର୍ଥନ ନକରୁ ବୋଲି କହିଛି ଭାରତ। ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋର୍ସ୍କି ଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ଏଭଳି କିଛି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଏହା ସହ ରୁଷ ସହ ବାଣିଜ୍ୟ ସମ୍ପର୍କ ରଖିବାକୁ ନେଇ ଭାରତକୁ ଭୁଲ ଭାବରେ ଟାର୍ଗେଟ କରାଯିବାକୁ ନେଇ ଜୟଶଙ୍କର ଚିନ୍ତା ପ୍ରକାଶ କରିଛନ୍ତି।

ପାକିସ୍ତାନକୁ ସମର୍ଥନ କରୁଥିବା ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିର ଜବାବରେ, ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି, ପୋଲାଣ୍ଡ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ପ୍ରଦର୍ଶନ କରିବା ଉଚିତ। ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ ନକରିବାକୁ ରାଡୋସ୍ଲା ସିକୋର୍ସ୍କିଙ୍କୁ ଅନୁରୋଧ କରିଛନ୍ତି ଜୟଶଙ୍କର। ଏହା ସହ କହିଛନ୍ତି, ନିକଟରେ ନ୍ୟୁୟର୍କ ଏବଂ ପ୍ୟାରିସରେ, ମୁଁ ୟୁକ୍ରେନ ବିବାଦ ଏବଂ ଏହାର ପରିଣାମ ଉପରେ ଖୋଲାଖୋଲି ଭାବରେ ମୋର ମତାମତ ଦେଇଛି। ଭାରତକୁ ଟାର୍ଗେଟ କରିବା ଭୁଲ ଏବଂ ଅନ୍ୟାୟ। ମୁଁ ଆଜି ଏହା ପୁନରାବୃତ୍ତି କରୁଛି। ଆପଣ ଏହି ଅଞ୍ଚଳ ସହିତ ଅପରିଚିତ ନୁହଁନ୍ତି ଏବଂ ସୀମାପାର ଆତଙ୍କବାଦର ଦୀର୍ଘକାଳୀନ ସମସ୍ୟା ସହିତ ପରିଚିତ।’

ଏସ. ଜୟଶଙ୍କରଙ୍କ ମତକୁ ସମର୍ଥନ କରି ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ସିକୋରସ୍କି କହିଛନ୍ତି, ‘ସୀମାପାର ଆତଙ୍କବାଦର ମୁକାବିଲା କରିବାର ଆବଶ୍ୟକତା ଉପରେ ମୁଁ ଆପଣଙ୍କ ସହିତ ସମ୍ପୂର୍ଣ୍ଣ ସହମତ। ଆପଣ ଶୁଣିଥିବେ ଯେ ନିକଟରେ ପୋଲାଣ୍ଡ ଆତଙ୍କବାଦ ଶିକାର ହୋଇଛି। ପୋଲାଣ୍ଡର ଏକ ରେଳ ଲାଇନକୁ ଆତଙ୍କବାଦୀମାନେ ଉଡ଼ାଇ ଦେଇଥିଲେ। ତଥାପି, ଆତଙ୍କବାଦୀଙ୍କ ଆକ୍ରମଣରେ ବିଶେଷ କ୍ଷୟକ୍ଷତି ହୋଇନଥିଲା।

ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଅକ୍ଟୋବର ୨୦୨୫ରେ ପାକିସ୍ତାନ ସହିତ ଜାରି ଏକ ମିଳିତ ବିବୃତ୍ତିରେ କାଶ୍ମୀରର ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, ସେ "ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗରେ ଏବଂ ୟୁକ୍ରେନ ଯୁଦ୍ଧ ଉପରେ ପୋଲାଣ୍ଡର ନିଜର ମତ ରଖିଛି। ଭାରତ ସେତେବେଳେ ଏହାକୁ ନିନ୍ଦା କରିଥିଲା ଏବଂ ଏବେ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛି। ଆମେରିକାର ଟାରିଫ୍ ଲଗାଯିବାକୁ ନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ବୟାନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଆମେରିକା ଶୁଳ୍କ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦେଶଗୁଡ଼ିକୁ ଟାର୍ଗେଟ କରୁଛି। ଆମେ ଭୟ କରୁଛୁ ଯେ ଏହା ବିଶ୍ୱ ବାଣିଜ୍ୟରେ ଆଗକୁ ବାଧା ସୃଷ୍ଟି କରିପାରେ।

ଆହୁରି ପଢନ୍ତୁ :ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କଲେ ନୀତିନ ନବୀନ, ପ୍ରସ୍ତାବକ ହେଲେ ଶାହ-ରାଜନାଥ