ନୂଆଦିଲ୍ଲୀ,୧୯/୦୬; ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ପ୍ରାୟ ୧୪ ମାସ ପରେ, ପାକିସ୍ତାନ ଏବେ ଧମକ ଦେଇଛି । ପିପିପି ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ଯେ, ଇସଲାମାବାଦ ଏହାକୁ ସହ୍ୟ କରିବ ନାହିଁ । ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତ ନିକଟରେ ନିବେଦନ କରିଆସୁଥିବା ପାକିସ୍ତାନ ପୁଣି ଥରେ ଉତ୍ତେଜନାମୂଳକ ବୟାନବାଜି କରିଛି । ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ନିବେଦନକୁ ପ୍ରତ୍ୟାଖ୍ୟାନ କରି ଭାରତ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ରକ୍ତ ଏବଂ ପାଣି ଏକାଠି ବହିବେ ନାହିଁ। ଯଦି ପାକିସ୍ତାନ ସିନ୍ଧୁ ଜଳ ଚାହୁଁଛି, ତେବେ ତାକୁ ପ୍ରଥମେ ସୀମାପାର ଆତଙ୍କବାଦ ବନ୍ଦ କରିବାକୁ ପଡିବ । ଯେତେବେଳେ ପାକିସ୍ତାନର ସମସ୍ତ ରଣନୀତି ବିଫଳ ହୋଇଛି, ସେତେବେଳେ ସେ ଏବେ ତାର ପୁରୁଣା ରଣନୀତି ବ୍ୟବହାର କରିଛି । ସେ ଭାରତକୁ ଫମ୍ଫା ଧମକ ଦେଇ କହିଛି ଯେ, ଯଦି ପାଣି ବନ୍ଦ କରିବାକୁ ଚେଷ୍ଟା କରେ ତେବେ ଇସଲାମାବାଦ ଜବାବ ଦେବାକୁ ପ୍ରସ୍ତୁତ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ପହଲଗାମ ଆକ୍ରମଣକୁ ବର୍ଷେରୁ ଅଧିକ ଦିନ ବିତିଛି । ଏବେ ପୁଣି ବିଳିବିଳେଇଛନ୍ତି ପିପିପି ମୁଖ୍ୟ ବିଲାୱାଲ ଭୁଟ୍ଟୋ । ସେ ଭାରତକୁ ଧମକ ଦେଇଛନ୍ତି । ଶେହବାଜ ସରିଫଙ୍କ ସରକାରଙ୍କ ସଦସ୍ୟ, ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ସଭାରେ ଭାଷଣ ଭାରତ ଉପରେ ପାକିସ୍ତାନର ପାଣି ଅବରୋଧ କରିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଆମେ ନଦୀ ଜଳର ଆମର ନ୍ୟାଯ୍ୟ ଅଂଶ ସହିତ ସାଲିସ କରିବୁ ନାହିଁ । ପାକିସ୍ତାନ ତା'ର ଅଂଶ ଏବଂ ଅଧିକାର ପାଇଁ ଲଢ଼ିବ । ପାଣି ପ୍ରବାହକୁ ବନ୍ଦ କରିବାର ଯେକୌଣସି ପ୍ରୟାସକୁ ବଳପୂର୍ବକ ମୁକାବିଲା କରାଯିବ । "
ବିଲାୱାଲ ଭୁଟ୍ଟୋ ପୂର୍ବରୁ ମଧ୍ୟ ଏକ ବୟାନ ଦେଇଥିଲେ- ଏହା ପ୍ରଥମ ଥର ନୁହେଁ ଯେ ପୂର୍ବତନ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ସିନ୍ଧୁ ଚୁକ୍ତିନାମା ଉପରେ ଏପରି ବୟାନ ଦେଇଛନ୍ତି । ସେ ପୂର୍ବରୁ "ନଦୀରେ ରକ୍ତପାତ" ଭଳି ବୟାନ ଦେଇଛନ୍ତି । ଗତ ବର୍ଷ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ , ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ସମେତ ଅନେକ ପଦକ୍ଷେପ ନେଇଥିଲା । ଏହି ୧୯୬୦ ଚୁକ୍ତିନାମାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଦୀ ଜଳକୁ ବାଣ୍ଟିଥିଲା । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଜଳ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି । ଇସଲାମାବାଦ କ୍ରୋଧିତ ହୋଇ ଏହାକୁ ଯୁଦ୍ଧ କାର୍ଯ୍ୟ ବୋଲି କହିଛି।
ଏହା ବି ପଢନ୍ତୁ...ପାକିସ୍ତାନର 'ମିଛର ପାହାଡ଼' ଉପରେ ଚାଲିଲା ଭାରତର ବୁଲଡୋଜର ! ଅନ୍ତର୍ଜାତୀୟ ମଞ୍ଚରେ ଫେଲ୍ ମାରିଲା ଶେହବାଜଙ୍କ ଗେମ୍ ପ୍ଲାନ୍
ଜାତିସଂଘରେ ପାକିସ୍ତାନକୁ ଜବାବ ଦେଲା ଭାରତ- ଭାରତ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର କହିଛି ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ତାଲିମ ପ୍ରଦାନ କରୁଛି । ପାକିସ୍ତାନ ଏହି ଆତଙ୍କବାଦୀମାନଙ୍କୁ ନିପାତ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ପୁନରୁଦ୍ଧାର ହେବ ନାହିଁ । ଗତକାଲି, UNSCର ୬୨ତମ ଅଧିବେଶନରେ ଭାଷଣ ଦେଇ, ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ସ୍ପଷ୍ଟ କରିଥିଲେ ଯେ, ଦିଲ୍ଲୀ ସିନ୍ଧୁ ଜଳ ଚୁକ୍ତିନାମା (IWT) ଉପରେ ନିଜର ସ୍ଥିତିରୁ ପଛକୁ ହଟିବ ନାହିଁ । ୧୯୬୦ ଚୁକ୍ତିନାମାକୁ ଏକ ସ୍ଥାୟୀ ଅଧିକାର ଭାବରେ ବିବେଚନା କରାଯାଇପାରିବ ନାହିଁ, ଯାହା ଦାୟିତ୍ୱ ଏବଂ ବର୍ତ୍ତମାନର ବାସ୍ତବତାଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ।