ମୁମ୍ବାଇ,୧୨ /୯: ସାଉଥ୍ ସୁପର୍ଷ୍ଟାର ସମନ୍ଥା ରୁଥ୍ ପ୍ରଭୁ ଅଟୋଇମ୍ୟୁନ ରୋଗ ମାୟୋସାଇଟିସ୍ରେ ପୀଡ଼ିତ । ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି । ବ୍ୟାୟାମ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେଉଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଦିଲ୍ଲୀ ଆସିଥିଲେ । ଏ ଅବସରରେ କ୍ୟାରିୟର୍ ଓ ଜୀବନ ପ୍ରତି ନିଜର ପରିବର୍ତ୍ତିତ ଦୃଷ୍ଟିକୋଣ ବିଷୟରେ ସେ ଆଲୋଚନା କଲେ । କହିଲେ, ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିଲେ ହେଁ, କୌଣସି ମୂଷା ଦୌଡ଼ରେ ସେ ସାମିଲ ନାହାନ୍ତି । ଭଲ ଫିଲ୍ମ ଯେତେ କଲେକ୍ସନ୍ କଲେ ମଧ୍ୟ ସେଥିରେ ତାଙ୍କୁ କୌଣସି ଫରକ ପଡୁନାହିଁ । କୌଣସି ପ୍ରକାର ଚାପ ମଧ୍ୟ ସେ ଅନୁଭବ କରୁନାହାନ୍ତି ।
ଆଗର ସମନ୍ଥା ବର୍ଷରେ ତାଙ୍କର ୫ ଫିଲ୍ମ ରିଲିଜ୍ ହେଉ ବୋଲି ଚାହିଁଥାନ୍ତେ । କାରଣ ଏହା ଜଣେ ସଫଳ କଳାକାରର କାମ କରିବାର ଢଙ୍ଗ । କିନ୍ତୁ ଏବେ ତାଙ୍କ ପାଇଁ ଏ ସବୁର ମାନେ କିଛି ନାହିଁ । ଗତ ୨ ବର୍ଷରେ ତାଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନାହିଁ । ଟପ୍-୧୦ କଳାକାରଙ୍କ ତାଲିକାରେ ରହିବାକୁ ସେ ଆଦୌ ଇଚ୍ଛୁକ ନୁହନ୍ତି । ତାଙ୍କ ପାଖରେ ୧୦୦୦ କୋଟି ବ୍ୟବସାୟ କରିବା ଭଳି ଫିଲ୍ମ ବି ନାହିଁ । ଏ ସବୁ ସତ୍ତେ୍ୱ ସେ ଖୁସି ଅଛନ୍ତି । ଏହା ପୂର୍ବରୁ ଏତେ ଖୁସି ସେ କେବେ ବି ଅନୁଭବ କରିନଥିଲେ ବୋଲି କହିଛନ୍ତି । ଏବେ ପୁରୁଣା ସମନ୍ଥା କଥା ଭାବିଲେ ତାଙ୍କୁ ଭୟ ଲାଗେ । ସେ ଖୁବ୍ ସମ୍ବେଦନଶୀଳ ଥିଲେ । ଏବେ କିନ୍ତୁ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହୋଇଥିବା ସମନ୍ଥା କହିଛନ୍ତି ।