ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ବନ୍ଦୀର ଆତ୍ମକଥା...

ହଜାରେ ଦୋଷୀ ଖସି ଯାଆନ୍ତୁ, ଜଣେ  ନିର୍ଦ୍ଦୋଷ ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା  ସଂପୂର୍ଣ୍ଣ ଓଲଟା । କୋର୍ଟରେ ବିଚାର ପୂର୍ବରୁ  ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା ଦଣ୍ଡ  ଦେଇଦିଏ । ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି  ଦଣ୍ଡିତ ହେଉଛନ୍ତି । ଜେଲ୍‌ରେ କିଏ ନିଜ  ଯୌବନକୁ ହରାଉଛି । ଦୁଃଖରେ କାହାର ପତ୍ନୀ  ତ ଆଉ କାହାର ବାପା କିମ୍ବା ମାଆ ଆରପାରିକୁ  ଚାଲିଯାଉଛନ୍ତି । ଆମ ବ୍ୟବସ୍ଥା ଏସବୁ  ଫେରାଇ ପାରିବ କି? ଆମ ଆଇନ, ବିଚାର  ବ୍ୟବସ୍ଥା, ସରକାର ଏହାର ଜବାବ ଦିଅନ୍ତୁ।

ଦୋଷ ନକରି ଦୋଷୀ । ବିନା ଅପରାଧରେ ସଜା । ଜୀବନ  କଟୁଛି ଜେଲ୍‌ରେ । ଦିନେ ନୁହେଁ କି ଦି’ଦିନ । ମାସ  ମାସ ଆଉ ବର୍ଷ ବର୍ଷ । ଘରେ ବୁଢ଼ା ବାପା, ମାଆ । ବାହା ବୟସର  ସାନ ଭଉଣୀ । କ୍ଷେତରେ ଖଟିଲେ ପେଟକୁ ମିଳୁଛି ଦାନା । ଭୁଲ୍‌  ନଥାଇ ମୁଁ ଜେଲରେ ସଢ଼ୁଛି। ତାରିଖ ପରେ ତାରିଖ ଗଡ଼ୁଛି । ମୋ  ଦୋଷର ବିଚାର କିନ୍ତୁ କୋର୍ଟରେ ସରୁନି । ସ୍ୱପ୍ନ ପୂରଣ ବୟସରେ  ଜେଲ୍‌ର ଚାରିକାନ୍ଥ ଛଡ଼ାଇ ନେଇଛି ସ୍ୱପ୍ନ । ଗୁହାରୀ କି କାକୁତି  ମିନତି କାଟୁ କରୁନି । ଛଟପଟ ହୋଇ କଟୁଛି ଜୀବନ । ନିଜକୁ  ପଚାରୁଛି, ମୋର ଭୁଲ୍‌ କେଉଁଠି? ଜେଲ୍‌ରୁ ମୁଁ ବନ୍ଦୀ କହୁଛି ।  

ଏହା ହେଉଛି ମୋ ଜୀବନର ବାସ୍ତବ କାହାଣୀ । ମୁଁ ନୁହେଁ ଆମେ । ମୋ ଭଳି ବହୁ ନିର୍ଦ୍ଦୋଷ ଜେଲ୍‌ରେ ଭୋଗୁଛନ୍ତି  ଯନ୍ତ୍ରଣା । ନିଜ ପରିବାରକୁ ଝୁରୁଛନ୍ତି । ନିଜ ଭାଗ୍ୟକୁ ନିନ୍ଦୁଛନ୍ତି । କିଏ  ୫ ବର୍ଷ, କିଏ ୧୦ ବର୍ଷ ଆଉ କିଏ ୨୦ ବର୍ଷ କାଳ ସଜା କାଟିବା  ପରେ ଏବେ ଘରକୁ ଫେରିଛନ୍ତି । ଜୀବନର ଏତିକି ମୂଲ୍ୟବାନ  ସମୟ କିଏ ଫେରାଇବ? ଜେଲରେ କିଏ ନିଜ ଯୌବନକୁ ହରାଇଛି । ଦୁଃଖରେ, ଚିନ୍ତାରେ କାହାର ପତ୍ନୀ ତ ଆଉ କାହାର  ବାପା କିମ୍ବା ମାଆ ଆରପାରିକୁ ଚାଲିଯାଇଛନ୍ତି । ଶେଷ ସମୟରେ  କିଏ ନିଜ ବାପାଙ୍କୁ ଦେଖିପାରିନି ଆଉ କିଏ ମାଆଙ୍କୁ । ଆମ ବ୍ୟବସ୍ଥା  ଏସବୁ ଫେରାଇ ପାରିବ କି? ଆମ ଆଇନ, ବିଚାର ବ୍ୟବସ୍ଥା,  ସରକାର ଏହାର ଜବାବ ଦିଅନ୍ତୁ । 

ନିର୍ଦ୍ଦୋଷରେ ଜେଲ୍‌ 

ଶହେ ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷକୁ  ଦଣ୍ଡ ନ ମିଳୁ । ଆମ ଆଇନ ଏଇଆ କହୁଛି । ମାତ୍ର ସେଇ ଆଇନ  ତ ବିନା ଦୋଷରେ ଦେଉଛି ସଜା । ଅପରାଧ ନକରି ମୋ ଭଳି  ମଣିଷମାନେ ଜେଲ୍‌ ଭିତରେ ଦହଗଞ୍ଜ ହେଉଛନ୍ତି । ଆମ ପରିବାର  ଆଖିରୁ ଲୁହ ଶୁଖୁନି । ବିନା କାରଣରେ ସମାଜରେ ଲାଞ୍ଛିତ,  ଅପମାନିତ ହୋଇ ଦିନ କାଟୁଛନ୍ତି । ଜୀବନ ଆଗକୁ ଗଡ଼ୁଛି  ମାନସିକ ଅବସାଦରେ । ଘରର ପିଲାମାନେ ସ୍କୁଲ କଲେଜରେ  ଟାହି ଟାପରାର ଶିକାର ହେଉଛନ୍ତି । 

ବହୁ ଅପରାଧୀ ଛପନ ଇଞ୍ଚର  ଛାତି ଫୁଲାଇ ବଞ୍ଚୁଛନ୍ତି । ମାତ୍ର ମୋ ଭଳି ନିରୀହ, ଗରିବମାନେ  ଜେଲରେ ଦିନ ଗଣୁଛୁ । ଜଗତସିଂହପୁରର ମଞ୍ଜୁଲତା ମୁଦୁଲି  ହୁଅନ୍ତୁ ଅବା ମୟୂରଭଞ୍ଜ ଯଶିପୁର ଥାନା ବଳରାମପୁରର ହାବିଲ  ସିନ୍ଧୁ³ କାହିଁକି ସେମାନେ ୧୫ ବର୍ଷ କାଳ ଜେଲରେ ରହିଲେ?  ସେମାନେ ନିର୍ଦ୍ଦୋଷରେ ଖଲାସ ହେଲେ ସତ ମାତ୍ର ମୁକ୍ତିର ଆନନ୍ଦ  କାହିଁ? ନିଜ ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତାରେ । ମଥାରୁ ଲିଭୁନି ପାପର ମିଛ କଳଙ୍କ । ଧନ୍ୟ ଆମ ଆଇନ, ଧନ୍ୟ  ବିଚାର ବ୍ୟବସ୍ଥା । 

ମନେ ପଡ଼ୁଛି, ପ୍ରାୟ ବର୍ଷକ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆମମାନଙ୍କ ଜୀବନ କାହାଣୀକୁ ବଖାଣିଥିଲେ । ସେ କହଥିଲେ,  ଦେଶର ଜେଲଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି  ଯେଉଁମାନେ ବିନା ଦୋଷରେ ୧୦ବର୍ଷ, ୨୦ବର୍ଷ, ଏପରି କି  ୩୦ବର୍ଷ ଧରି ଜେଲ୍‌ଦଣ୍ଡ ଭୋଗୁଛନ୍ତି । ଜେଲ୍‌ଦଣ୍ଡର କାରଣ  ସଂପର୍କରେ ବି ସେମାନେ ଜାଣିନାହାନ୍ତି । ନିରପରାଧ ବହୁ ମଣିଷଙ୍କ  ସ୍ୱପ୍ନ ଜେଲ୍‌ରେ ହିଁ ସମାଧି ନେଉଛି। ରାଷ୍ଟ୍ରପତିଙ୍କ ମତରେ, ଏହା  ମୂଳରେ ଅଛି ଦୁଇଟି କାରଣ । ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ । ଆମ  ବିଚାର ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ । ଶତ ପ୍ରତିଶତ ସତ । ବ୍ରିଟିଶ ଅମଳର ଆଇନ ବ୍ୟବସ୍ଥା ଦେଶରୁ ହଟିଛି ।  ସଂସ୍କାରମୂଳକ ନୂଆ ଆଇନ ଲାଗୁ ହୋଇଛି । ମାତ୍ର ମୋ ଭଳି  ବିଚାରାଧୀନ ବନ୍ଦୀଙ୍କୁ ନିକଟରେ କିଛି ସୁଫଳ ମିଳିବାର ଆଶା କମ୍‌ । ତଦନ୍ତ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ହେଉ ଅବା ଜେଲ୍‌ କର୍ତ୍ତୃପକ୍ଷଙ୍କ  ଅଦୂରଦର୍ଶିତା । ନ୍ୟାୟ ବ୍ୟବସ୍ଥାରେ ଅସଙ୍ଗତି ଅବା ସରକାରଙ୍କ  ନିଷ୍ଠାପଣ ଅଭାବରୁ ହେଉ  ବିନା ଦୋଷରେ ମୋ ଭଳି ବହୁ କଏଦୀ ଦୀର୍ଘଦିନ ଧରି ଜେଲଦଣ୍ଡ  ଭୋଗୁଛନ୍ତି । ଏହାଠାରୁ ବଡ଼ ବିଡ଼ମ୍ବନା  ଆଉ କ’ଣ ହୋଇପାରେ? 

ଦଣ୍ଡ ନୁହେଁ ନ୍ୟାୟ 

ଦେଶର ପ୍ରତି ଅଦାଲତର କୋଠରୀ  ଭିତରେ ନିରବରେ ଠିଆ ହୋଇଛନ୍ତି ନ୍ୟାୟଦେବୀ । ନ୍ୟାୟଶାସ୍ତ୍ର  କହୁଛି, ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷ  ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା ଓଲଟା । କୋର୍ଟରେ ଅପରାଧର  ବିଚାର ହେବା ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା  ଦଣ୍ଡ ଦେଇଦିଏ । ଗଣମାଧ୍ୟମ ଖବରରେ ଥାଏ ଅଧା ସତ ଅଧା  ମିଛ । ଆଜି ବି ବିଚାରାଧୀନ ବନ୍ଦୀ ଜେଲରୁ କୋର୍ଟକୁ ଯିବା  ପୁଲିସର ଇଚ୍ଛା, ଦୟା ଓ ସକ୍ରିୟତା ଉପରେ ନିର୍ଭର କରୁଛି ।  ବିଚାରବିଭାଗର ଦାୟିତ୍ୱହୀନତାରୁ ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି  ଦଣ୍ଡିତ ହେଉଛନ୍ତି । ଜେଲରେ ବନ୍ଦୀ ଭାବେ ଜୀବନ କାଟୁଛନ୍ତି ।  ମୋ ଭଳି ଏମିତି ନିର୍ଦ୍ଦୋଷରେ ଦଣ୍ଡ ପାଉଥିବା ଲୋକଙ୍କ ପାଇଁ  ନ୍ୟାୟଦେବୀ କାହିଁକି ନିଷ୍ଠୁର?

 ହଁ...ଶୁଣୁଛୁ ନୂଆ ନ୍ୟାୟ ସଂହିତାରେ ଶୀଘ୍ର ବିଚାର ସାରିବା  ଉପରେ ଜୋର ଦିଆଯାଇଛି । ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ କି  ନମିଳୁ, ତୁରନ୍ତ ନ୍ୟାୟ ଦେବାକୁ ବ୍ୟବସ୍ଥା ରହିଛି । ଏହା ମୋ  ଭଳି ଦୋଷ ନକରି ବିଚାରାଧୀନ ବନ୍ଦୀ ଭାବେ ଦିନ କାଟୁଥିବା  ମଣିଷମାନଙ୍କୁ ନୂଆ ଆଶା ଦେଇଛି । ମାତ୍ର ପୁଲିସ ଓ ବିଚାର  ବ୍ୟବସ୍ଥାର ଆନ୍ତରିକତା ନ ରହିଲେ ଏ ନୂଆ ଆଇନ ବି ଆଇନ  ବହି ଭିତରେ ରହିଯିବ । 

ଆପଣ ଜାଣନ୍ତି...ଦେଶରେ ମୋ ଭଳି ବିଚାରାଧୀନ ବନ୍ଦୀଙ୍କ  ସଂଖ୍ୟା କେତେ? ଏନ୍‌ସିଆର୍‌ବି ରିପୋର୍ଟ କହୁଛି, ଦେଶରେ  ୨୦୨୩ ବେଳକୁ ୫ ଲକ୍ଷ ୭୩ ହଜାର ବନ୍ଦୀ ଥିଲା ବେଳେ ୪  ଲକ୍ଷ ୩୪ ହଜାର ହେଉଛନ୍ତି ବିଚାରାଧୀନ । ଅତଏବ ୭୬%  ବିଚାରାଧୀନ ବନ୍ଦୀଙ୍କ ବିଚାରପ୍ରକ୍ରିୟା ବିଳମ୍ବ ଧରୁଛି । ଏମାନଙ୍କ  ମଧ୍ୟରୁ ୫୦% ହେଉଛନ୍ତି ଯୁବକ/ଯୁବତୀ (୧୮-୩୦ ବର୍ଷ)  । ପ୍ରତି ୪ ଜଣରେ ୩ ଜଣ ହେଉଛନ୍ତି ଦଳିତ, ଆଦିବାସୀ  ଅବା ପଛୁଆବର୍ଗର । ଯେଉଁମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ  ପଛୁଆ ସେମାନେ ବେଶି ଆଇନର ଯନ୍ତାରେ ପଡ଼ୁଛନ୍ତି । ଏମିତି  ବହୁ ଆଦିବାସୀ ଯୁବକ ଜଙ୍ଗଲରୁ କାଠ ହାଣିବାକୁ ଯାଇ ମଧ୍ୟ  ଘରକୁ ଫେରିନାହାନ୍ତି । ପୁଲିସ ବାନ୍ଧିଲା । ଜେଲରେ ସଢୁଛନ୍ତି । ଏହା କି ଗଣତାନ୍ତ୍ରିକ ଶାସନ? ଧନ୍ୟ କହିବ ଆମ ସ୍ୱଚ୍ଛ ବିଚାର  ବ୍ୟବସ୍ଥାକୁ? ଜେଲ ସଂସ୍କାର ତ ଚାଲିଛି । ଗତ ଦଶନ୍ଧି ମଧ୍ୟରେ କିନ୍ତୁ ବନ୍ଦୀଙ୍କ ସଂଖ୍ୟା ଦି’ଗୁଣା ବଢ଼ିଛି । ଜେଲ ଭିତରେ ଖୁନ୍ଦାଖୁନ୍ଦି  ହୋଇ ରହୁଛୁ । ସରକାର କ’ଣ ଜାଣିନାହାନ୍ତି? ବିଲେଇ ଆଖି  ବୁଜି କ୍ଷୀର ପିଉଛି । 

ନିରୀହଙ୍କ ସହ ଖେଳରେ ପଡ଼ୁ ପୂର୍ଣ୍ଣଛେଦ

ବିଚାର ବ୍ୟବସ୍ଥାର ସମ୍ବେଦନଶୂନ୍ୟତା ଓ ଆନ୍ତରିକତାର ଅଭାବ  କେତେ ଯେ ନିରୀହଙ୍କ ଜୀବନକୁ ଯନ୍ତ୍ରଣାରେ କଲବଲ କରୁଛି  ତା’ର ହିସାବ କାହା ପାଖରେ ଅଛି? ବର୍ଷ ବର୍ଷ ଜେଲରେ  ରହିବା ପରେ ବି ମୋ ପ୍ରଶ୍ନର ଉତ୍ତର ମୋତେ ମିଳୁନି । ମୋର  ଭୁଲ୍‌ କ’ଣ? କାହିଁକି ପୁଲିସ ମୋତେ ଗିରଫ କଲା? ବିଚାର  କେବେ ସରିବ? କେବଳ ମୁଁ ନୁହେଁ,  ମୋ ଭଳି ବହୁ ନିରୀହ ବି ଏ ପ୍ରଶ୍ନ  ଉଠାଉଛନ୍ତି । ହେଲେ ଶୁଣିବ କିଏ।  କିଏ ଦେବ ଜବାବ?

 ବିଚାରାଧୀନ ବନ୍ଦୀ କାହିଁକି ଦୀର୍ଘଦିନ  ଯାଏ ଜେଲରେ ଯନ୍ତ୍ରଣା ଭୋଗୁଛନ୍ତି?  କାଉଲୁ ବାଉଲୁ ହୋଇ କାହିଁକି କଟୁଛି  ଦିନ? ଆବଶ୍ୟକତା ଅନୁସାରେ ବିଚାରପତିଙ୍କ ଅଭାବ ହିଁ ବଡ଼  କାରଣ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିମାନେ ନ୍ୟାୟିକ  ପ୍ରକ୍ରିୟାର ବିଳମ୍ବକୁ ଏଡ଼ାଇବାକୁ ଅଧିକ ସଂଖ୍ୟାରେ ବିଚାରପତି  ନିଯୁକ୍ତି ଦେବାକୁ ସରକାରଙ୍କୁ ପରାମର୍ଶ ଦେଉଛନ୍ତି । ସରକାର ହଁ...  ହାଁ କରୁଛନ୍ତି । କିନ୍ତୁ ଯତ୍ନବାନ ହେଉନାହାନ୍ତି । ଆନ୍ତର୍ଜାତିକ ମାନଦଣ୍ଡ  ଅନୁସାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ଅତିକମ୍‌ରେ ୫୦  ଜଣ ବିଚାରପତି ରହିବା ଆବଶ୍ୟକ । ଭାରତରେ ଏହି ଅନୁପାତ  ୧୮ ରୁ ବି କମ୍‌ । ପରିସଂଖ୍ୟାନ କହୁଛି, ଆମ ବିଚାରପତିମାନେ  ମାମଲା ଶୁଣିବାକୁ ହାରାହାରି ୨.୫ ମିନିଟ୍‌ ଓ ରାୟ ଶୁଣାଇବା  ପାଇଁ ୫ ମିନିଟ୍‌ ସମୟ ପାଉଛନ୍ତି । ବିଚାର ବ୍ୟବସ୍ଥାର ଏ ଦୁର୍ବୋଧ୍ୟ  ଗଣିତରୁ ସାଧାରଣ ଲୋକର କ’ଣ ବା ଯାଏ ଆସେ? ବର୍ଷ ବର୍ଷ  ଧରି ମାନବିକ ଅଧିକାରର ଗଳା ଚିପି ଚାଲିଛନ୍ତି ଖୋଦ ସରକାର ।  ନିର୍ଦ୍ଦୋଷ ମଣିଷଟି ଜେଲ ଭିତରେ ଭାଗ୍ୟକୁ ନିନ୍ଦୁଛି । 

ସମ୍ମାନ ସହକାରେ ସାଧାରଣ ଲୋକଟିଏ ଜୀବନ ଜିଇଁବ ।  ଜନମଙ୍ଗଳ ରାଷ୍ଟ୍ରରେ ଏହା ହେଉଛି ସରକାରଙ୍କ ଦାୟିତ୍ୱ । ନ୍ୟାୟିକ  ସଂସ୍କାରର ଗପ ସରକାର ବହୁତ ଶୁଣାଇଲେଣି । ସମ୍ବେଦନଶୀଳ  ହୋଇ ନିର୍ଦ୍ଦୋଷ ବନ୍ଦୀମାନେ କିଭଳି ଶୀଘ୍ର ଜେଲରୁ ମୁକୁଳିବେ  ତା’ର ସରଳ ବାଟ ବାହାର କରନ୍ତୁ । ନିର୍ଦ୍ଦୋଷ ଜେଲ ନଯାଉ । ଏଥିପାଇଁ ନିଷ୍ଠା ଓ ଆନ୍ତରିକତା ଦେଖାନ୍ତୁ । 

ଆପଣମାନେ ବିଚାର କରନ୍ତୁ, ପ୍ରକୃତ ଦୋଷୀ କିଏ? ଜେଲରେ  ଛଟପଟ ହେଉଥିବା ମୋ ଭଳି ନିରପରାଧ ବିଚାରାଧୀନ ବନ୍ଦୀ ନା  ଆମ ବ୍ୟବସ୍ଥା???

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.