ହଜାରେ ଦୋଷୀ ଖସି ଯାଆନ୍ତୁ, ଜଣେ  ନିର୍ଦ୍ଦୋଷ ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା  ସଂପୂର୍ଣ୍ଣ ଓଲଟା । କୋର୍ଟରେ ବିଚାର ପୂର୍ବରୁ  ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା ଦଣ୍ଡ  ଦେଇଦିଏ । ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି  ଦଣ୍ଡିତ ହେଉଛନ୍ତି । ଜେଲ୍‌ରେ କିଏ ନିଜ  ଯୌବନକୁ ହରାଉଛି । ଦୁଃଖରେ କାହାର ପତ୍ନୀ  ତ ଆଉ କାହାର ବାପା କିମ୍ବା ମାଆ ଆରପାରିକୁ  ଚାଲିଯାଉଛନ୍ତି । ଆମ ବ୍ୟବସ୍ଥା ଏସବୁ  ଫେରାଇ ପାରିବ କି? ଆମ ଆଇନ, ବିଚାର  ବ୍ୟବସ୍ଥା, ସରକାର ଏହାର ଜବାବ ଦିଅନ୍ତୁ।

ଦୋଷ ନକରି ଦୋଷୀ । ବିନା ଅପରାଧରେ ସଜା । ଜୀବନ  କଟୁଛି ଜେଲ୍‌ରେ । ଦିନେ ନୁହେଁ କି ଦି’ଦିନ । ମାସ  ମାସ ଆଉ ବର୍ଷ ବର୍ଷ । ଘରେ ବୁଢ଼ା ବାପା, ମାଆ । ବାହା ବୟସର  ସାନ ଭଉଣୀ । କ୍ଷେତରେ ଖଟିଲେ ପେଟକୁ ମିଳୁଛି ଦାନା । ଭୁଲ୍‌  ନଥାଇ ମୁଁ ଜେଲରେ ସଢ଼ୁଛି। ତାରିଖ ପରେ ତାରିଖ ଗଡ଼ୁଛି । ମୋ  ଦୋଷର ବିଚାର କିନ୍ତୁ କୋର୍ଟରେ ସରୁନି । ସ୍ୱପ୍ନ ପୂରଣ ବୟସରେ  ଜେଲ୍‌ର ଚାରିକାନ୍ଥ ଛଡ଼ାଇ ନେଇଛି ସ୍ୱପ୍ନ । ଗୁହାରୀ କି କାକୁତି  ମିନତି କାଟୁ କରୁନି । ଛଟପଟ ହୋଇ କଟୁଛି ଜୀବନ । ନିଜକୁ  ପଚାରୁଛି, ମୋର ଭୁଲ୍‌ କେଉଁଠି? ଜେଲ୍‌ରୁ ମୁଁ ବନ୍ଦୀ କହୁଛି ।  

ଏହା ହେଉଛି ମୋ ଜୀବନର ବାସ୍ତବ କାହାଣୀ । ମୁଁ ନୁହେଁ ଆମେ । ମୋ ଭଳି ବହୁ ନିର୍ଦ୍ଦୋଷ ଜେଲ୍‌ରେ ଭୋଗୁଛନ୍ତି  ଯନ୍ତ୍ରଣା । ନିଜ ପରିବାରକୁ ଝୁରୁଛନ୍ତି । ନିଜ ଭାଗ୍ୟକୁ ନିନ୍ଦୁଛନ୍ତି । କିଏ  ୫ ବର୍ଷ, କିଏ ୧୦ ବର୍ଷ ଆଉ କିଏ ୨୦ ବର୍ଷ କାଳ ସଜା କାଟିବା  ପରେ ଏବେ ଘରକୁ ଫେରିଛନ୍ତି । ଜୀବନର ଏତିକି ମୂଲ୍ୟବାନ  ସମୟ କିଏ ଫେରାଇବ? ଜେଲରେ କିଏ ନିଜ ଯୌବନକୁ ହରାଇଛି । ଦୁଃଖରେ, ଚିନ୍ତାରେ କାହାର ପତ୍ନୀ ତ ଆଉ କାହାର  ବାପା କିମ୍ବା ମାଆ ଆରପାରିକୁ ଚାଲିଯାଇଛନ୍ତି । ଶେଷ ସମୟରେ  କିଏ ନିଜ ବାପାଙ୍କୁ ଦେଖିପାରିନି ଆଉ କିଏ ମାଆଙ୍କୁ । ଆମ ବ୍ୟବସ୍ଥା  ଏସବୁ ଫେରାଇ ପାରିବ କି? ଆମ ଆଇନ, ବିଚାର ବ୍ୟବସ୍ଥା,  ସରକାର ଏହାର ଜବାବ ଦିଅନ୍ତୁ । 

ନିର୍ଦ୍ଦୋଷରେ ଜେଲ୍‌ 

ଶହେ ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷକୁ  ଦଣ୍ଡ ନ ମିଳୁ । ଆମ ଆଇନ ଏଇଆ କହୁଛି । ମାତ୍ର ସେଇ ଆଇନ  ତ ବିନା ଦୋଷରେ ଦେଉଛି ସଜା । ଅପରାଧ ନକରି ମୋ ଭଳି  ମଣିଷମାନେ ଜେଲ୍‌ ଭିତରେ ଦହଗଞ୍ଜ ହେଉଛନ୍ତି । ଆମ ପରିବାର  ଆଖିରୁ ଲୁହ ଶୁଖୁନି । ବିନା କାରଣରେ ସମାଜରେ ଲାଞ୍ଛିତ,  ଅପମାନିତ ହୋଇ ଦିନ କାଟୁଛନ୍ତି । ଜୀବନ ଆଗକୁ ଗଡ଼ୁଛି  ମାନସିକ ଅବସାଦରେ । ଘରର ପିଲାମାନେ ସ୍କୁଲ କଲେଜରେ  ଟାହି ଟାପରାର ଶିକାର ହେଉଛନ୍ତି । 

ବହୁ ଅପରାଧୀ ଛପନ ଇଞ୍ଚର  ଛାତି ଫୁଲାଇ ବଞ୍ଚୁଛନ୍ତି । ମାତ୍ର ମୋ ଭଳି ନିରୀହ, ଗରିବମାନେ  ଜେଲରେ ଦିନ ଗଣୁଛୁ । ଜଗତସିଂହପୁରର ମଞ୍ଜୁଲତା ମୁଦୁଲି  ହୁଅନ୍ତୁ ଅବା ମୟୂରଭଞ୍ଜ ଯଶିପୁର ଥାନା ବଳରାମପୁରର ହାବିଲ  ସିନ୍ଧୁ³ କାହିଁକି ସେମାନେ ୧୫ ବର୍ଷ କାଳ ଜେଲରେ ରହିଲେ?  ସେମାନେ ନିର୍ଦ୍ଦୋଷରେ ଖଲାସ ହେଲେ ସତ ମାତ୍ର ମୁକ୍ତିର ଆନନ୍ଦ  କାହିଁ? ନିଜ ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତାରେ । ମଥାରୁ ଲିଭୁନି ପାପର ମିଛ କଳଙ୍କ । ଧନ୍ୟ ଆମ ଆଇନ, ଧନ୍ୟ  ବିଚାର ବ୍ୟବସ୍ଥା । 

ମନେ ପଡ଼ୁଛି, ପ୍ରାୟ ବର୍ଷକ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆମମାନଙ୍କ ଜୀବନ କାହାଣୀକୁ ବଖାଣିଥିଲେ । ସେ କହଥିଲେ,  ଦେଶର ଜେଲଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି  ଯେଉଁମାନେ ବିନା ଦୋଷରେ ୧୦ବର୍ଷ, ୨୦ବର୍ଷ, ଏପରି କି  ୩୦ବର୍ଷ ଧରି ଜେଲ୍‌ଦଣ୍ଡ ଭୋଗୁଛନ୍ତି । ଜେଲ୍‌ଦଣ୍ଡର କାରଣ  ସଂପର୍କରେ ବି ସେମାନେ ଜାଣିନାହାନ୍ତି । ନିରପରାଧ ବହୁ ମଣିଷଙ୍କ  ସ୍ୱପ୍ନ ଜେଲ୍‌ରେ ହିଁ ସମାଧି ନେଉଛି। ରାଷ୍ଟ୍ରପତିଙ୍କ ମତରେ, ଏହା  ମୂଳରେ ଅଛି ଦୁଇଟି କାରଣ । ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ । ଆମ  ବିଚାର ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ । ଶତ ପ୍ରତିଶତ ସତ । ବ୍ରିଟିଶ ଅମଳର ଆଇନ ବ୍ୟବସ୍ଥା ଦେଶରୁ ହଟିଛି ।  ସଂସ୍କାରମୂଳକ ନୂଆ ଆଇନ ଲାଗୁ ହୋଇଛି । ମାତ୍ର ମୋ ଭଳି  ବିଚାରାଧୀନ ବନ୍ଦୀଙ୍କୁ ନିକଟରେ କିଛି ସୁଫଳ ମିଳିବାର ଆଶା କମ୍‌ । ତଦନ୍ତ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ହେଉ ଅବା ଜେଲ୍‌ କର୍ତ୍ତୃପକ୍ଷଙ୍କ  ଅଦୂରଦର୍ଶିତା । ନ୍ୟାୟ ବ୍ୟବସ୍ଥାରେ ଅସଙ୍ଗତି ଅବା ସରକାରଙ୍କ  ନିଷ୍ଠାପଣ ଅଭାବରୁ ହେଉ  ବିନା ଦୋଷରେ ମୋ ଭଳି ବହୁ କଏଦୀ ଦୀର୍ଘଦିନ ଧରି ଜେଲଦଣ୍ଡ  ଭୋଗୁଛନ୍ତି । ଏହାଠାରୁ ବଡ଼ ବିଡ଼ମ୍ବନା  ଆଉ କ’ଣ ହୋଇପାରେ? 

ଦଣ୍ଡ ନୁହେଁ ନ୍ୟାୟ 

ଦେଶର ପ୍ରତି ଅଦାଲତର କୋଠରୀ  ଭିତରେ ନିରବରେ ଠିଆ ହୋଇଛନ୍ତି ନ୍ୟାୟଦେବୀ । ନ୍ୟାୟଶାସ୍ତ୍ର  କହୁଛି, ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷ  ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା ଓଲଟା । କୋର୍ଟରେ ଅପରାଧର  ବିଚାର ହେବା ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା  ଦଣ୍ଡ ଦେଇଦିଏ । ଗଣମାଧ୍ୟମ ଖବରରେ ଥାଏ ଅଧା ସତ ଅଧା  ମିଛ । ଆଜି ବି ବିଚାରାଧୀନ ବନ୍ଦୀ ଜେଲରୁ କୋର୍ଟକୁ ଯିବା  ପୁଲିସର ଇଚ୍ଛା, ଦୟା ଓ ସକ୍ରିୟତା ଉପରେ ନିର୍ଭର କରୁଛି ।  ବିଚାରବିଭାଗର ଦାୟିତ୍ୱହୀନତାରୁ ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି  ଦଣ୍ଡିତ ହେଉଛନ୍ତି । ଜେଲରେ ବନ୍ଦୀ ଭାବେ ଜୀବନ କାଟୁଛନ୍ତି ।  ମୋ ଭଳି ଏମିତି ନିର୍ଦ୍ଦୋଷରେ ଦଣ୍ଡ ପାଉଥିବା ଲୋକଙ୍କ ପାଇଁ  ନ୍ୟାୟଦେବୀ କାହିଁକି ନିଷ୍ଠୁର?

 ହଁ...ଶୁଣୁଛୁ ନୂଆ ନ୍ୟାୟ ସଂହିତାରେ ଶୀଘ୍ର ବିଚାର ସାରିବା  ଉପରେ ଜୋର ଦିଆଯାଇଛି । ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ କି  ନମିଳୁ, ତୁରନ୍ତ ନ୍ୟାୟ ଦେବାକୁ ବ୍ୟବସ୍ଥା ରହିଛି । ଏହା ମୋ  ଭଳି ଦୋଷ ନକରି ବିଚାରାଧୀନ ବନ୍ଦୀ ଭାବେ ଦିନ କାଟୁଥିବା  ମଣିଷମାନଙ୍କୁ ନୂଆ ଆଶା ଦେଇଛି । ମାତ୍ର ପୁଲିସ ଓ ବିଚାର  ବ୍ୟବସ୍ଥାର ଆନ୍ତରିକତା ନ ରହିଲେ ଏ ନୂଆ ଆଇନ ବି ଆଇନ  ବହି ଭିତରେ ରହିଯିବ । 

ଆପଣ ଜାଣନ୍ତି...ଦେଶରେ ମୋ ଭଳି ବିଚାରାଧୀନ ବନ୍ଦୀଙ୍କ  ସଂଖ୍ୟା କେତେ? ଏନ୍‌ସିଆର୍‌ବି ରିପୋର୍ଟ କହୁଛି, ଦେଶରେ  ୨୦୨୩ ବେଳକୁ ୫ ଲକ୍ଷ ୭୩ ହଜାର ବନ୍ଦୀ ଥିଲା ବେଳେ ୪  ଲକ୍ଷ ୩୪ ହଜାର ହେଉଛନ୍ତି ବିଚାରାଧୀନ । ଅତଏବ ୭୬%  ବିଚାରାଧୀନ ବନ୍ଦୀଙ୍କ ବିଚାରପ୍ରକ୍ରିୟା ବିଳମ୍ବ ଧରୁଛି । ଏମାନଙ୍କ  ମଧ୍ୟରୁ ୫୦% ହେଉଛନ୍ତି ଯୁବକ/ଯୁବତୀ (୧୮-୩୦ ବର୍ଷ)  । ପ୍ରତି ୪ ଜଣରେ ୩ ଜଣ ହେଉଛନ୍ତି ଦଳିତ, ଆଦିବାସୀ  ଅବା ପଛୁଆବର୍ଗର । ଯେଉଁମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ  ପଛୁଆ ସେମାନେ ବେଶି ଆଇନର ଯନ୍ତାରେ ପଡ଼ୁଛନ୍ତି । ଏମିତି  ବହୁ ଆଦିବାସୀ ଯୁବକ ଜଙ୍ଗଲରୁ କାଠ ହାଣିବାକୁ ଯାଇ ମଧ୍ୟ  ଘରକୁ ଫେରିନାହାନ୍ତି । ପୁଲିସ ବାନ୍ଧିଲା । ଜେଲରେ ସଢୁଛନ୍ତି । ଏହା କି ଗଣତାନ୍ତ୍ରିକ ଶାସନ? ଧନ୍ୟ କହିବ ଆମ ସ୍ୱଚ୍ଛ ବିଚାର  ବ୍ୟବସ୍ଥାକୁ? ଜେଲ ସଂସ୍କାର ତ ଚାଲିଛି । ଗତ ଦଶନ୍ଧି ମଧ୍ୟରେ କିନ୍ତୁ ବନ୍ଦୀଙ୍କ ସଂଖ୍ୟା ଦି’ଗୁଣା ବଢ଼ିଛି । ଜେଲ ଭିତରେ ଖୁନ୍ଦାଖୁନ୍ଦି  ହୋଇ ରହୁଛୁ । ସରକାର କ’ଣ ଜାଣିନାହାନ୍ତି? ବିଲେଇ ଆଖି  ବୁଜି କ୍ଷୀର ପିଉଛି । 

ନିରୀହଙ୍କ ସହ ଖେଳରେ ପଡ଼ୁ ପୂର୍ଣ୍ଣଛେଦ

ବିଚାର ବ୍ୟବସ୍ଥାର ସମ୍ବେଦନଶୂନ୍ୟତା ଓ ଆନ୍ତରିକତାର ଅଭାବ  କେତେ ଯେ ନିରୀହଙ୍କ ଜୀବନକୁ ଯନ୍ତ୍ରଣାରେ କଲବଲ କରୁଛି  ତା’ର ହିସାବ କାହା ପାଖରେ ଅଛି? ବର୍ଷ ବର୍ଷ ଜେଲରେ  ରହିବା ପରେ ବି ମୋ ପ୍ରଶ୍ନର ଉତ୍ତର ମୋତେ ମିଳୁନି । ମୋର  ଭୁଲ୍‌ କ’ଣ? କାହିଁକି ପୁଲିସ ମୋତେ ଗିରଫ କଲା? ବିଚାର  କେବେ ସରିବ? କେବଳ ମୁଁ ନୁହେଁ,  ମୋ ଭଳି ବହୁ ନିରୀହ ବି ଏ ପ୍ରଶ୍ନ  ଉଠାଉଛନ୍ତି । ହେଲେ ଶୁଣିବ କିଏ।  କିଏ ଦେବ ଜବାବ?

 ବିଚାରାଧୀନ ବନ୍ଦୀ କାହିଁକି ଦୀର୍ଘଦିନ  ଯାଏ ଜେଲରେ ଯନ୍ତ୍ରଣା ଭୋଗୁଛନ୍ତି?  କାଉଲୁ ବାଉଲୁ ହୋଇ କାହିଁକି କଟୁଛି  ଦିନ? ଆବଶ୍ୟକତା ଅନୁସାରେ ବିଚାରପତିଙ୍କ ଅଭାବ ହିଁ ବଡ଼  କାରଣ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିମାନେ ନ୍ୟାୟିକ  ପ୍ରକ୍ରିୟାର ବିଳମ୍ବକୁ ଏଡ଼ାଇବାକୁ ଅଧିକ ସଂଖ୍ୟାରେ ବିଚାରପତି  ନିଯୁକ୍ତି ଦେବାକୁ ସରକାରଙ୍କୁ ପରାମର୍ଶ ଦେଉଛନ୍ତି । ସରକାର ହଁ...  ହାଁ କରୁଛନ୍ତି । କିନ୍ତୁ ଯତ୍ନବାନ ହେଉନାହାନ୍ତି । ଆନ୍ତର୍ଜାତିକ ମାନଦଣ୍ଡ  ଅନୁସାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ଅତିକମ୍‌ରେ ୫୦  ଜଣ ବିଚାରପତି ରହିବା ଆବଶ୍ୟକ । ଭାରତରେ ଏହି ଅନୁପାତ  ୧୮ ରୁ ବି କମ୍‌ । ପରିସଂଖ୍ୟାନ କହୁଛି, ଆମ ବିଚାରପତିମାନେ  ମାମଲା ଶୁଣିବାକୁ ହାରାହାରି ୨.୫ ମିନିଟ୍‌ ଓ ରାୟ ଶୁଣାଇବା  ପାଇଁ ୫ ମିନିଟ୍‌ ସମୟ ପାଉଛନ୍ତି । ବିଚାର ବ୍ୟବସ୍ଥାର ଏ ଦୁର୍ବୋଧ୍ୟ  ଗଣିତରୁ ସାଧାରଣ ଲୋକର କ’ଣ ବା ଯାଏ ଆସେ? ବର୍ଷ ବର୍ଷ  ଧରି ମାନବିକ ଅଧିକାରର ଗଳା ଚିପି ଚାଲିଛନ୍ତି ଖୋଦ ସରକାର ।  ନିର୍ଦ୍ଦୋଷ ମଣିଷଟି ଜେଲ ଭିତରେ ଭାଗ୍ୟକୁ ନିନ୍ଦୁଛି । 

ସମ୍ମାନ ସହକାରେ ସାଧାରଣ ଲୋକଟିଏ ଜୀବନ ଜିଇଁବ ।  ଜନମଙ୍ଗଳ ରାଷ୍ଟ୍ରରେ ଏହା ହେଉଛି ସରକାରଙ୍କ ଦାୟିତ୍ୱ । ନ୍ୟାୟିକ  ସଂସ୍କାରର ଗପ ସରକାର ବହୁତ ଶୁଣାଇଲେଣି । ସମ୍ବେଦନଶୀଳ  ହୋଇ ନିର୍ଦ୍ଦୋଷ ବନ୍ଦୀମାନେ କିଭଳି ଶୀଘ୍ର ଜେଲରୁ ମୁକୁଳିବେ  ତା’ର ସରଳ ବାଟ ବାହାର କରନ୍ତୁ । ନିର୍ଦ୍ଦୋଷ ଜେଲ ନଯାଉ । ଏଥିପାଇଁ ନିଷ୍ଠା ଓ ଆନ୍ତରିକତା ଦେଖାନ୍ତୁ । 

ଆପଣମାନେ ବିଚାର କରନ୍ତୁ, ପ୍ରକୃତ ଦୋଷୀ କିଏ? ଜେଲରେ  ଛଟପଟ ହେଉଥିବା ମୋ ଭଳି ନିରପରାଧ ବିଚାରାଧୀନ ବନ୍ଦୀ ନା  ଆମ ବ୍ୟବସ୍ଥା???