ନୂଆଦିଲ୍ଲୀ,୦୮/୧୧: ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’। ଏହାର ନାଁ ବଦଳି ‘ଆଂଶିକ ଅଦାଳତ କାର୍ଯ୍ୟ ଦିବସ’ହୋଇଛି । ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ତେବେ ସୁପ୍ରିମକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଦାଲତର ଆଶିଂକ କାର୍ଯ୍ୟଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ। ତେବେ ରବିବାରକୁ ଛାଡ଼ି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ କ୍ୟାଲେଣ୍ଡରରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି। ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର୍ଯ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ।
ସବୁ ବର୍ଷ ମେ’ଜୁନ୍ ମାସରେ ସୁପ୍ରିମକୋର୍ଟରେ ୭ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରୀଷ୍ମକାଳୀନ ଅବକାଶ ହୋଇଥାଏ। ସେହିପରି ଡିସେମ୍ବର ମାସରେ ପ୍ରବଳ ଶୀତ ସମୟରେ ବି ଛୁଟି ହୋଇଥାଏ। କିନ୍ତୁ ତାହା ମଧ୍ୟରେ ଅବକାଶକାଳୀନ ବେଞ୍ଚ ବସିଥାଏ। ଉକ୍ତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି। ଏହି ଛୁଟି ସମୟରେ ଜଜ୍ମାନେ ପରିବାର ସହ ବିଦେଶ ଯାଇ ଛୁଟି କାଟୁଥିବା କୁହାଯାଉଥିଲା। ଏପରିକି କୋର୍ଟରେ ବିଭିନ୍ନ ମାମଲା ପଡ଼ି ରହିଥିବା ବେଳେ ବିଚାରପତିମାନେ ବିଦେଶରେ ମଜାମସ୍ତି କରୁଥିବା କୁହାଯାଉଥିଲା। କିନ୍ତୁ ଏଥିରେ ସ୍ପଷ୍ଟୋକ୍ତି ଦେବାକୁ ଯାଇ ପ୍ରଧାନ ବିଚାରପତି କହିଥିଲେ, ଉକ୍ତ ଛୁଟି ସମୟରେ ବିଚାରପତିମାନେ ବାହାରକୁ ଯାଇ ଛୁଟି କାଟି ନ ଥାନ୍ତି। ଉକ୍ତ ସମୟର ଉପଯୋଗ କରି ସେମାନେ ବିଭିନ୍ନ ମାମଲାର ଚୂଡ଼ାନ୍ତ ରାୟକୁ ସବିଶେଷ ଭାବେ ଲେଖିଥାନ୍ତି। ଏଥିସହ ଅବକାଶକାଳୀନ ଛୁଟି ସମୟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ନିମନ୍ତେ ପ୍ରଧାନ ବିଚାରପତି ଅବକାଶକାଳୀନ ପୀଠ ଗଠନ କରିଥାନ୍ତି।