ତେଲ ଅଭିଭ୍ – ଇସ୍ରାଏଲ ଗତ ଶନିବାର ଇରାନ ଉପରେ ପୂରା ଶକ୍ତିର ସହ ବିମାନ ହମଲା କରି ୧ଅକ୍ଟୋବରର ହମଲାର ପ୍ରତିଶୋଧ ନେଇଛି। ଇସ୍ରାଏଲ ହମଲା ପରେ କହିଛି କି, ସେ ଇରାନର ଅନେକ ସେନା ଠିକଣା ଉପରେ ହମଲା କରିଛି ଏବଂ ସେ ଏହି ହମଲାରେ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇଛି। ଇସ୍ରାଏଲ ଏବେ ଇରାନ ବିରୋଧରେ ପୂର୍ଣ୍ଣ ଯୁଦ୍ଧର ଘୋଷଣା କରି ନାହିଁ। ତଥାପି ଉଭୟ ଦୁଇ ଦେଶ ମଧ୍ୟରେ ମଝିରେ ମଝିରେ ହମଲା ଜାରି ରହିଛି। ଏବେ ଇରାନ ଇସ୍ରାଏଲକୁ ହମଲାର ଜବାବ ଦେବାକୁ ଶପଥ ନେଇଛି ଏବଂ ଦାବି କରିଛି ଯେ ସେ ସବୁ ଉପଲବ୍ଧ ଥିବା ଉତ୍ସର ବ୍ୟବହାର କରି ଇସ୍ରାଏଲକୁ ଜବାବ ଦେବ।
ଇରାନର ଏହି ଖୋଲା ଧମକ ପରେ ଇସ୍ରାଏଲରେ ଆତଙ୍କ ଖେଳି ଯାଇଛି। ସେନା ଓ ଗୋଳାବାରୁଦ ମାମଲାରେ ଇସ୍ରାଏଲ ଯଦିଓ ଇରାନ ଠାରୁ ଆଗରେ , ହେଲେ ଇରାନ କେବେ ଓ କେଉଁଠି ହମଲା କରିବ ଏହାକୁ ନେଇ ଇସ୍ରାଏଲରେ ଚିନ୍ତାର ସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ବେଞ୍ଜାମିନ୍ ନେତନ୍ୟାହୁ ଓ ଇସ୍ରାଏଲର ମନ୍ତ୍ରୀଙ୍କର ସୁରକ୍ଷାକୁ ନେଇ। ଏହା ଏଥିପାଇଁ ମଧ୍ୟ, କାରଣ ନିକଟରେ ନେତନ୍ୟାହୁଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ ହୋଇଥିଲା। ହମଲାରେ ନେତନ୍ୟାହୁଙ୍କର ବେଡରୁମ୍କୁ ଟାର୍ଗେଟ୍ କରାଯାଇ ଥିଲା। ଏହି ସ୍ଥିତିରେ ଇସ୍ରାଏଲ ନେତନ୍ୟାହୁଙ୍କର ସୁରକ୍ଷାକୁ ନେଇ ବିଶେଷ ପଦକ୍ଷେପ ଉଠାଇଛି।
ୱାଇନେଟ୍ ନ୍ୟୁଜ୍ ଇସ୍ରାଏଲର ସୂତ୍ରାନୁସାରେ କହିଛି କି ଇରାନ କେବେ ,କେଉଁଠି ଓ କେମିତି ହମଲା କରିବ , ଏହାକୁ ନେଇ ଶୀର୍ଷ ସ୍ତରରେ ଚିନ୍ତାର ସ୍ଥିତି ଉପୁଜିଛି। ଏଥିପାଇଁ ନେତନ୍ୟାହୁ ଓ ଇସ୍ରାଏଲର ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଶେଷ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ସ୍ତରୀୟ ପରାମର୍ଶଦାତାଙ୍କୁ କ୍ୟାବିନେଟ୍ ବୈଠକରେ ଭାଗ ନେବାର ଅନୁମତି ଦିଆଯିବ ନାହିଁ। ଏହି ପଦକ୍ଷେପ ଆଜି ଠାରୁ ଆଗାମୀ ଆଦେଶ ଯାଏ ପ୍ରଭାବଶାଳୀ ହେବ। ରିପୋର୍ଟରେ ଏହା ପଛରେ ସୁରକ୍ଷା ବିଷୟକୁ ଦର୍ଶାଯାଇଛି।
ଆଉଟଲେଟ୍ ଅନୁସାରେ , ମନ୍ତ୍ରୀଙ୍କୁ ଆଜି ସକାଳେ ଏକ ସନ୍ଦେସ ପ୍ରାପ୍ତ ହୋଇଛି, ଯେଉଁଥିରେ ତାଙ୍କୁ କୁହାଯାଇଛି ଯେ, କ୍ୟାବିନେଟ୍ ବୈଠକର ସ୍ଥାନକୁ ବଦଳାଇ ଦିଆଯାଇଛି। ସନ୍ଦେସରେ କ୍ୟାବିନେଟ ମିଟିଂ କେଉଁଠି ହେବ , ଏହାର ଖୁଲାସା କରାଯାଇ ନାହିଁ। ଏମିତି କୁହାଯାଉଛି ଯେ, ମିଟିଂର କିଛି ସମୟ ପୂର୍ବରୁ ସ୍ପଷ୍ଟ କରି ଦିଆ ଯିବ। ହେଲେ ଏହା ସ୍ପଷ୍ଟ କରାଯାଇଛି କି ମିଟିଂ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଆୟୋଜିତ ହେବ। ଏହା ସେହି ଅଣ୍ଡରଗ୍ରାଉଣ୍ଡ ବଙ୍କର, ଯେଉଁଠି କିଛି ଦିନ ପୂର୍ବେ ଇରାନୀ ହମଲାର ଡ଼ରରେ ନେତନ୍ୟାହୁ ଓ ତାଙ୍କର କ୍ୟାବିନେଟ୍ ଶରଣ ନେଇ ଥିଲେ।