ନୂଆଦିଲ୍ଲୀ, ୧୨।୭: ରହସ୍ୟମୟ ପ୍ରଶାନ୍ତ ମହାସାଗରର । ଯେତିକି ଶାନ୍ତ, ସେତିକି ରହସ୍ୟ ଭରା । ଏହି ମହାସମୁଦ୍ରରୁ ମିଳିଛି କଳା ଜେଟ୍ ଅଣ୍ଡା । ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହି ଅଦ୍ଭୁତ ଅଣ୍ଡା । ସମୁଦ୍ରର ଗଭୀରରୁ ମିଳିଥିବା ଏହି ଅଣ୍ଡାଗୁଡ଼ିକ ଏକ ପଥର ସହିତ ସଂଯୁକ୍ତ ଥିଲା ଏବଂ ପ୍ରାୟ ୬ ହଜାର ୨୦୦ ମିଟର ଅର୍ଥାତ୍, ୨୦ ହଜାର ୩୪୧ ଫୁଟ୍ ଗଭୀରତାରେ ଆବିଷ୍କୃତ ହୋଇଥିଲା । ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟ ଏବଂ ହୋକାଇଡୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ରିମୋଟ୍ ପରିଚାଳିତ ଯାନ ବ୍ୟବହାର କରି ଏହି ଅଞ୍ଚଳ ଅନୁସନ୍ଧାନ କରିଛନ୍ତି । ଯେଉଁଠାରୁ ଏହି ଅଣ୍ଡା ମିଳିଥିଲା ସେହି ଅଞ୍ଚଳଟି ସମୁଦ୍ରର ଗଭୀର ସ୍ତରରେ ଥିଲା । ଟୋକିଓ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ଗବେଷକ ୟାସୁନୋରି କାନୋ ଅଣ୍ଡାଗୁଡ଼ିକୁ ଆବିଷ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଙ୍ଗି ଯାଇଥିଲା, କିନ୍ତୁ ମାତ୍ର ଚାରିଟି ଅଣ୍ଡା ଅକ୍ଷୁର୍ଣ୍ଣ ଥିଲା । ସେ ସେଗୁଡ଼ିକୁ ହୋକାଇଡୋ ବିଶ୍ୱବିଦ୍ୟାଳୟର ଅଭେଦକ ପ୍ରାଣୀବିଜ୍ଞାନୀଙ୍କ ନିକଟକୁ ପଠାଇଥିଲେ ଯେଉଁମାନେ ସେଗୁଡ଼ିକୁ ବିଶ୍ଳେଷଣ କରିଥିଲେ ।
ତେବେ ଏହି ଅଣ୍ଡାଗୁଡ଼ିକ କାହାର ସେନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ । ସେମାନେ ଏହି ଅଣ୍ଡାଗୁଡ଼ିକୁ ଛୋଟ କୋକୁନ୍ ଭାବରେ ପାଇଲେ ଯାହା ଭିତରେ ଫ୍ଲାଟୱାର୍ମ ଅଛି । ଫ୍ଲାଟୱାର୍ମ ହେଉଛି ଏକ ଚେପଟା ଶରୀର ବିଶିଷ୍ଟ ଜିଆ ବା ସାମୁଦ୍ରିକ ଜୀବ, ସାଧାରଣତଃ ଏମାନେ ଗଭୀର ସମୁଦ୍ର ଭିତରେ ଦେଖାଯାନ୍ତି । ଜର୍ଣ୍ଣାଲ ବାୟୋଲୋଜି ଲେଟର୍ସରେ ପ୍ରକାଶିତ ଅଣ୍ଡା ଉପରେ ଅଧ୍ୟୟନର ସହ-ଲେଖକ, ହୋକ୍କାଇଡୋ ବିଶ୍ୱବିଦ୍ୟାଳୟର କେଇଚି କାକୁଇ IFLScienceକୁ କହିଛନ୍ତି ଯେ ସେ "କେବେବି ଫ୍ଲାଟୱାର୍ମ କୋକୁନ୍ ଦେଖି ନଥିଲେ ।" ଯେତେବେଳେ ସେ ୪ଟି ଅଣ୍ଡାରୁ ଗୋଟିଏକୁ କାଟିଲେ, ତା’ ଭିତରୁ କ୍ଷୀର ଭଳି ତରଳ ଜିନିଷ ବାହାରିଥିଲା । ଏକ ଏଥିସହ ଅଣ୍ଡା ଖୋଳରେ ନଷ୍ଟ ହୋଇଯାଇଥିବା ଧଳା ଶରୀର ପାଇଲେ ଏବଂ ଏହା ପ୍ଲାଟିହେଲମିନ୍ଥର କୋକୁନ୍ ଥିଲା ବୋଲି କହିଥିଲେ ।
କେଇଚି କାକୁଇ କହିଛନ୍ତି ଯେ, ଏହି ଫ୍ଲାଟୱାର୍ମଗୁଡ଼ିକୁ ପ୍ରଥମ ଥର ପାଇଁ ସମୁଦ୍ରର ଏତେ ଗଭୀରତାରେ ଆବିଷ୍କାର କରାଯାଇଛି । ଏହା ପୂର୍ବରୁ, ସବୁଠାରୁ ଗଭୀର ଫ୍ଲାଟୱାର୍ମ ପ୍ରାୟ ୫ ହଜାର ୨୦୦ ମିଟରରେ ଦେଖାଯାଇଥିଲା, ଯାହାକୁ କାଠ ଖଣ୍ଡ ସହିତ ଜଡ଼ିତ ଥିବାବେଳେ ଆବିଷ୍କାର କରାଯାଇଥିଲା । କୋକୁନଗୁଡ଼ିକର ଡିଏନଏ ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ଫ୍ଲାଟୱାର୍ମଗୁଡ଼ିକ ଫାଇଲମ୍ ପ୍ଲାଟିହେଲମିନ୍ଥର ଏକ ପ୍ରଜାତି । ଏହି ରିପୋର୍ଟରେ କୁହାଯାଇଛି ଯେ, "ଏହି ମୁକ୍ତ-ଜୀବିତ ପ୍ଲାଟିହେଲମିନ୍ଥର ସବୁଠୁ ଗଭୀରତମ ରେକର୍ଡ ଭିତରୁ ଗୋଟିଏ" । ମାନବଜାତି ପାଇଁ ବିଶ୍ୱର ସମସ୍ତ ମହାସାଗରଗୁଡ଼ିକ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ରହସ୍ୟ ଘେରରେ ରହିଛି । ପୃଥିବୀର ଜଳରେ ବାସ କରୁଥିବା ପ୍ରତ୍ୟେକ ପ୍ରଜାତି ବିଷୟରେ ଜାଣିବା ପ୍ରାୟ ଅସମ୍ଭବ । ସମୁଦ୍ର ଗଭୀରରୁ ମିଳିଥିବା ଏହି କଳା ଅଣ୍ଡାର ଆବିଷ୍କାର ସମୁଦ୍ରର ରହସ୍ୟ ଖୋଜିବା ଦିଗରେ ଏକ ବଡ଼ ପଦକ୍ଷେପ ।