ଉନ୍ନତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମଗୁଡ଼ିକୁ ସରଳ ଏବଂ ସ୍ପଷ୍ଟ କରିବାର ସମୟ ଆସିଛି । ଆମର ପ୍ରଧାନମନ୍ତ୍ରୀ ଠିକ୍ କହିଛନ୍ତି- ଆମେ ଜଣେ ବ୍ୟକ୍ତିଙ୍କ ଇଚ୍ଛାରେ ସରକାର ଚଳାଉ ନାହୁଁ । ଆମର ପ୍ରଗତି ସଂସ୍କାର ଦ୍ୱାରା ପରିଚାଳିତ ହୁଏ । ଆମର ସଂସ୍କାର ନୀତି-ଚାଳିତ ଏବଂ ଆମର ନୀତିଗୁଡ଼ିକ ଲୋକ-ଚାଳିତ । ସରକାରଙ୍କ ପାଇଁ ଅନାବଶ୍ୟକ ହସ୍ତକ୍ଷେପରୁ ବାହାରି "ଅନ୍ୟ ବାଟରେ ଯିବା' ଏବଂ ନବସୃଜନ, ଅଭିବୃଦ୍ଧି ଓ ଜନସାଧାରଣଙ୍କ ମଙ୍ଗଳ ପାଇଁ ସମ୍ବଳଗୁଡ଼ିକୁ ପୁନଃନିର୍ଦ୍ଦେଶିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଭାରତୀୟ ପ୍ରଶାସନିକ ସେବାର
ବରିଷ୍ଠ ଅଧିକାରୀ
ମୋ କ୍ୟାରିୟରର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମୁଁ ଉତ୍ତର ପ୍ରଦେଶରେ ତାଲିମ ପାଇଥିଲି । ସେଠାରେ ରାଜସ୍ୱ ଆଇନ ସ୍ପଷ୍ଟଭାବରେ ପରିଭାଷିତ । ସେହି ସମୟରେ ଜଣେ କଲେକ୍ଟର ତୃଣମୂଳ ସ୍ତରରେ କାମ କରୁଥିବା ରାଜସ୍ୱ କର୍ମଚାରୀଙ୍କ କ୍ଷମତା ସମ୍ପର୍କରେ ଏକ ଆକର୍ଷଣୀୟ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଜଣେ ବରିଷ୍ଠ ଅଧିକାରୀ ତାଙ୍କ ପୈତୃକ ଜମିର ମାନଚିତ୍ର ସଂଶୋଧନ ପାଇଁ ବେଶ୍ ଚେଷ୍ଟା କରୁଥିବା ସମୟରେ କଲେକ୍ଟରଙ୍କ ପାଖକୁ ସହାୟତା ପାଇଁ ଯାଇଥିଲେ । କଲେକ୍ଟର କର୍ତ୍ତବ୍ୟପରାୟଣ ହୋଇ ଅଭିଯୋଗଟିକୁ ସବ୍- କଲେକ୍ଟର ଏବଂ ଶେଷରେ ତହସିଲଦାରଙ୍କ ନିକଟକୁ ପଠାଇ ଦେଇଥିଲେ । ସେ ବିଶ୍ୱାସ କରିଥିଲେ ଯେ, କାର୍ଯ୍ୟଟି ଆରମ୍ଭ ହୋଇଯାଇଛି ଓ ଶୀଘ୍ର ତା'ର ସମାଧାନ ହୋଇଯିବ । କିନ୍ତୁ ମାମଲାଟି ଗଡ଼ିଚାଲିଲା, ଶୁଣାଣି ଲାଗାତାର ଜାରି ରହିଲା ଏବଂ କାଗଜପତ୍ର କ୍ରମଶଃ ଜଟିଳ ହେବାରେ ଲାଗିଲା ।
କଲେକ୍ଟର ଘଟଣାକ୍ରମେ ସେହି ଅଞ୍ଚଳ ପରିଦର୍ଶନ କଲେ ଏବଂ ସ୍ଥାନୀୟ ଲେଖାପାଳ (ରାଜସ୍ୱ ରେକର୍ଡ ପାଇଁ ଗ୍ରାମ ହିସାବ ରକ୍ଷକ)ଙ୍କ ସହିତ ସମସ୍ୟା ଉଠାଇଲେ । ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଲେଖାପାଳ ଶୀଘ୍ର ତାଙ୍କର ରେକର୍ଡ ଖୋଲିଲେ, ମାନଚିତ୍ର ସଂଶୋଧନ କଲେ ଏବଂ କଲେକ୍ଟରଙ୍କୁ ଜଣାଇଦେଲେ ଯେ ଅପଡେଟ୍ ହୋଇଥିବା ମାନଚିତ୍ରଟି ଖୁବ୍ଶୀଘ୍ର ଆନୁଷ୍ଠାନିକ ରେକର୍ଡ ସଂରକ୍ଷଣ ନିମନ୍ତେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠାଯିବ । କଲେକ୍ଟର ବିସ୍ମିତ ହୋଇଗଲେ । ଯେତେବେଳେ ବରିଷ୍ଠ ଅଧିକାରୀମାନେ ନିୟମ ଓ ବିଧିବିଧାନ ଜାଲରେ ଛନ୍ଦିହୋଇ ଆଗେଇ ପାରୁନଥିଲେ, ସେତେବେଳେ ଜଣେ ଲେଖାପାଳଙ୍କ ସ୍ତରରେ ଏତେ ସରଳ ସମାଧାନ କିପରି ସମ୍ଭବ ହୋଇପାରିଲା? ଏହି ଅଭିଜ୍ଞତା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଉପସ୍ଥାପିତ କଲା: ଯଦି ଯଥାର୍ଥ ଉଦ୍ଦେଶ୍ୟ ଥାଏ ତେବେ କାର୍ଯ୍ୟ ସମ୍ଭବ ହୋଇପାରିବ । ସରକାରରେ ଯେତେବେଳେ ଅଧିକାରୀମାନଙ୍କର ଆଗ୍ରହ କିମ୍ବା ଇଚ୍ଛାଶକ୍ତିର ଅଭାବ ଥାଏ ସେତେବେଳେ କାର୍ଯ୍ୟର ପ୍ରଗତିକୁ ବିଳମ୍ବିତ ଓ ପ୍ରତ୍ୟାଖ୍ୟାତ କରିଦେବା ପାଇଁ ପ୍ରଚୁର ନିୟମ ଏବଂ ନିୟନ୍ତ୍ରଣ ରହିଥାଏ ।
ବିଡ଼ମ୍ବନାର ବିଷୟ ହେଉଛି ଯେ, ଏହି ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ସରକାରୀ କାର୍ଯ୍ୟକଳାପରେ ବ୍ୟକ୍ତିଗତ ପସନ୍ଦକୁ ରୋକିବା ପାଇଁ ଏହି ନିୟମଗୁଡ଼ିକ ମୂଳତଃ ପ୍ରଣୟନ କରାଯାଇଛି । କିନ୍ତୁ ସେସବୁ ପ୍ରାୟତଃ ଦକ୍ଷ ସେବା ପ୍ରଦାନରେ ବାଧା ସୃଷ୍ଟି କରିଥାଏ, ଜଟିଳତା ସୃଷ୍ଟି କରିଥାଏ ଏବଂ କ୍ଷମତାରେ ଥିବା ଲୋକଙ୍କୁ ଅନୁଚିତ ସୁବିଧା ଦେଇଥାଏ । ଅର୍ଥନୈତିକ ସର୍ଭେ ୨୦୨୫ ଏହି ପ୍ରସଙ୍ଗକୁ ସ୍ପର୍ଶ କରିଛି, ସରକାରଙ୍କ "ଅନ୍ୟ ବାଟରେ ଯିବା'ର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛି । ଏହା ଘରୋଇ କ୍ଷେତ୍ରର ପ୍ରୟାସଗୁଡ଼ିକୁ ଫଳବତୀ କରିବାରେ, ବିଶେଷକରି ଯେଉଁ କ୍ଷେତ୍ରରେ ବିପଣନ ବ୍ୟବସ୍ଥା ଅଧିକ ଦକ୍ଷତାର ସହିତ କାର୍ଯ୍ୟକାରୀ ହୋଇପାରିବ ସେଠାରେ ନିୟନ୍ତ୍ରଣରୁ ମୁକ୍ତି ଉପରେ ଗୁରୁତ୍ୱ ଦେଇଛି । "ଅନ୍ୟ ବାଟରେ ଯିବା'ର ଅର୍ଥ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା, ଅନାବଶ୍ୟକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ଏକ ଅଧିକ ଗତିଶୀଳ ତଥା ପ୍ରତିଯୋଗିତାମୂଳକ ଆର୍ଥିକ ପରିବେଶକୁ ପ୍ରୋତ୍ସାହିତ କରିବା । ଏପରି କଲେ ସରକାର ଅଭିବୃଦ୍ଧି, ନିଯୁକ୍ତି ଏବଂ ସମୃଦ୍ଧିକୁ ଆଗେଇ ନେଇପାରିବେ । ସରକାରୀ ନିୟନ୍ତ୍ରଣରେ ଉଦାରତା ଅବଲମ୍ବନ କରିବାକୁ ରାଜ୍ୟଗୁଡ଼ିକୁ ଉତ୍ସାହିତ କରି ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନାରେ ଭାରତ ବ୍ୟବସାୟକୁ ସୁଗମ କରିବା ଦିଗରେ ଯଥେଷ୍ଟ ଅଗ୍ରଗତି ହାସଲ କରିପାରିଛି । ଏହି ବର୍ଷର ବଜେଟରେ ଏହି ପରିବର୍ତ୍ତନ ପ୍ରତିଫଳିତ ହୋଇଛି । ବଜେଟରେ "ନିୟନ୍ତ୍ରଣ' ଏବଂ "ନିୟନ୍ତ୍ରଣମୁକ୍ତ' ଶବ୍ଦ ଦୁଇଟି ୧୦୦ ଥରରୁ ଅଧିକ ବ୍ୟବହୃତ ହୋଇଛି । ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶ ନିମନ୍ତେ ଏକ ପ୍ରତିକ୍ରିୟାସଂପନ୍ନ ନିୟନ୍ତ୍ରକ ପରିବେଶର ଆବଶ୍ୟକତା ଉପରେ ବଜେଟରେ ଗୁରୁତ୍ୱ ଆରୋପ କରାଯାଇଛି ।
ସରକାରୀ ବ୍ୟବସ୍ଥାର ଉପର ସ୍ତରରେ ଅନେକ ଅଧିକାରୀ ବିଶ୍ୱାସ କରନ୍ତି ଯେ, ସେମାନେ ନିୟମ ଓ ନିୟନ୍ତ୍ରଣଗୁଡ଼ିକୁ କଠୋର ଭାବରେ ଅନୁପାଳନ କରି ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରୁଛନ୍ତି । ଦୁର୍ଭାଗ୍ୟବଶତଃ, ଏହା ଅଭିନବ ସମାଧାନକୁ ନିରୁତ୍ସାହିତ କରୁଛି । ଦୁର୍ନୀତିକୁ ରୋକିବା ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, କେନ୍ଦ୍ରୀୟ ସତର୍କତା କମିଶନ ଏବଂ ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଭଳି ତଦାରଖ ସଂସ୍ଥାଗୁଡ଼ିକର ପ୍ରଭାବ ଭୟର ଏକ ପରିବେଶ ସୃଷ୍ଟି କରିଛି, ଫଳରେ ଅଧିକାରୀମାନେ ଦାୟିତ୍ୱ ନେବାକୁ କିମ୍ବା ନିକଟତମ ସମାଧାନ ନିର୍ଣ୍ଣୟ ନିମନ୍ତେ କୁଣ୍ଠିତ ହେଉଛନ୍ତି । ନୀତି-ନିୟମ ପଙ୍ଗୁ ହୋଇଯିବାର ଯୁଗ ଆମ ପଛରେ ରହିଥିବାବେଳେ ଆମ ପାଖରେ ବ୍ୟବସାୟ-ଅନୁକୂଳ ହେବାର ଆହ୍ୱାନଗୁଡ଼ିକ ରହିଛି । ଯେତେବେଳେ ନିୟମାବଳୀଗୁଡ଼ିକ ସେମାନଙ୍କ ଯଥାର୍ଥ ଉଦ୍ଦେଶ୍ୟ ପାସୋରି ଯାଆନ୍ତି ଏବଂ ପ୍ରତିବନ୍ଧକର ଉପକରଣ ହୋଇଯାନ୍ତି, ସେତେବେଳେ ସେଗୁଡ଼ିକର ପୁନଃମୂଲ୍ୟାୟନ ଏବଂ ସଂଶୋଧନ ନିଶ୍ଚୟ ଆବଶ୍ୟକ ।
୧୯୯୧ର ଆର୍ଥିକ ସଂସ୍କାର ହେଉ କି ନାଗରିକ ଆସ୍ଥାରେ ସାମ୍ପ୍ରତିକ ଗୁରୁତ୍ୱ ହେଉ, ଇତିହାସ ଦର୍ଶାଇଦିଏ ଯେ ଦୃଢ଼ ଓ ଉତ୍ତମ ଚିନ୍ତା-ପ୍ରସୂତ ନିଷ୍ପତ୍ତିଗୁଡ଼ିକ ସକାରାତ୍ମକ ଫଳ ପ୍ରଦାନ କରିଥାନ୍ତି । ଏକ ବିଶାଳ ଓ ପ୍ରାୟତଃ ଧୀର ଗତିଶୀଳ ସଂସ୍ଥା ହୋଇଥିବାବେଳେ ସରକାର ଯଦି ଘରୋଇ କ୍ଷେତ୍ରକୁ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବା ଓ ଅଭିବୃଦ୍ଧିକୁ ଆଗେଇ ନେବାପାଇଁ ଆଶା କରେ, ତେବେ ତାହାକୁ ଏହି ସୁଯୋଗ ଗ୍ରହଣ କରିବା ସହ ଅନାବଶ୍ୟକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାକୁ ହେବ । ଏହି ବୁଝାମଣା ବିଧାନସଭା ଏବଂ ନ୍ୟାୟପାଳିକା ସମେତ ସରକାରଙ୍କ ସମସ୍ତ ସ୍ତରରେ ବ୍ୟାପିବା ଉଚିତ । ଏହା କରିବାରେ ବିଫଳ ହେଲେ ଅଧିକ ମାମଲା, ହତାଶା ଏବଂ ଜନଅସନ୍ତୋଷ ସୃଷ୍ଟିହେବ।
ଉଦାହରଣ ସ୍ୱରୂପ, ସହରାଞ୍ଚଳ ସଂସ୍କାର କ୍ଷେତ୍ରରେ କେତେକ କାର୍ଯ୍ୟକଳାପକୁ ରୋକିବା ପାଇଁ ଉଦ୍ଦିଷ୍ଟ କିଛି ନିୟମାବଳୀ ବରଂ ଭଡ଼ା-ଖୋଜିବା ବ୍ୟବହାରକୁ ଉତ୍ସାହିତ କରୁଛି । ସମ୍ପ୍ରତି ଆମେ ଏପରି ଅନେକ ନିୟମ ପ୍ରତ୍ୟାହାର କରିନେଇଛୁ, ଯାହା କେବଳ ଅନାବଶ୍ୟକ କଷ୍ଟର କାରଣ ହେଉଥିଲା । ଉନ୍ନତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମଗୁଡ଼ିକୁ ସରଳ ଏବଂ ସ୍ପଷ୍ଟ କରିବାର ସମୟ ଆସିଛି । ଆମର ପ୍ରଧାନମନ୍ତ୍ରୀ ଠିକ୍ କହିଛନ୍ତି- ଆମେ ଜଣେ ବ୍ୟକ୍ତିଙ୍କ ଇଚ୍ଛାରେ ସରକାର ଚଳାଉ ନାହୁଁ । ଆମର ପ୍ରଗତି ସଂସ୍କାର ଦ୍ୱାରା ପରିଚାଳିତ ହୁଏ । ଆମର ସଂସ୍କାର ନୀତି-ଚାଳିତ ଏବଂ ଆମର ନୀତିଗୁଡ଼ିକ ଲୋକ-ଚାଳିତ । ସରକାରଙ୍କ ପାଇଁ ଅନାବଶ୍ୟକ ହସ୍ତକ୍ଷେପରୁ ବାହାରି "ଅନ୍ୟ ବାଟରେ ଯିବା' ଏବଂ ନବସୃଜନ, ଅଭିବୃଦ୍ଧି ଓ ଜନସାଧାରଣଙ୍କ ମଙ୍ଗଳ ପାଇଁ ସମ୍ବଳଗୁଡ଼ିକୁ ପୁନଃନିର୍ଦ୍ଦେଶିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।