ନୂଆଦିଲ୍ଲୀ,୨୨।୧୦: ସର୍ଭିଆର ରାଜଧାନୀ ବେଲଗ୍ରେଡ୍ରେ ବୁଧବାର ସଂସଦ ଭବନ ବାହାରେ ଗୁଳିକାଣ୍ଡ। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆକ୍ରମଣକାରୀ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗୁଳିମାଡ଼ କରିଥିଲା। ଏହାପରେ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଚିଚଙ୍କ ସମର୍ଥକଙ୍କ ଟେଣ୍ଟରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ବୁଚିଚ କହିଛନ୍ତି, ଏହା ଆତଙ୍କୀ ଆକ୍ରମଣ ଥିଲା। ସେ କହିଛନ୍ତି ସଂସଦ ଭବନ ବାହାରେ ହୋଇଥିବା ଆକ୍ରମଣ ଦେଶର ଶାନ୍ତିକୁ ଭଙ୍ଗ କରିବାର ଚେଷ୍ଟା ଥିଲା।’
ନୋଭା ମିଡିଆ ଭିଡିଓରେ ସଶସ୍ତ୍ର ସୁରକ୍ଷା ଅଧିକାରୀମାନେ ସଂସଦ ବାହାରେ ଥିବା ବଡ ଟେଣ୍ଟ ଆଡକୁ ବଢୁଥିବାର ଦେଖିବାକୁ ମିଳୁଛନ୍ତି। କିଛି ସମୟ ପରେ ଗୁଳିକାଣ୍ଡ ଓ ନିଆଁ ଦେଖିବାକୁ ମିଳୁଛି। ଏହା ସେହି ଟେଣ୍ଟ ଥିଲା, ଯାହାକୁ ରାଷ୍ଟ୍ରପତି ବୁଚିଚଙ୍କ ସମର୍ଥକ ଚଳିତ ବର୍ଷ ସରକାରୀ ବିରୋଧି ପ୍ରଦର୍ଶନ ଭିତରେ ସଂସଦ ଭବନ ବାହାରେ ଲଗାଇଥିଲେ। ଏପର୍ଯ୍ୟନ୍ତ ଜଣାପଡିଛି ଗୁଳି କିଏକରିଛି ଓ କିଏ ନିଆଁ ଲଗାଇଛି।
N1 ଟିଭି କହିଛି ଯେ ଗୁଳିକାଣ୍ଡରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଆହତ ହୋଇଛନ୍ତି, କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ଅଛି। ‘ଏକ୍ସ’ ରେ ପୋଷ୍ଟ ହୋଇଥିବା ଅନ୍ୟ ଭିଡିଓଗୁଡ଼ିକରେ ଜଣେ ବ୍ୟକ୍ତି ପୋଲିସ ଅଧିକାରୀମାନଙ୍କ ଦ୍ୱାରା ଘେରି ରହିଥିବା ଏବଂ ତାଙ୍କ ହାତ ପଛକୁ ପଛ କରି ତଳେ ପଡ଼ିଥିବା ଦେଖାଯାଇଛି। ବର୍ତ୍ତମାନ ପୋଲିସ ଓ ସୁରକ୍ଷା ଏଜେନ୍ସି ଏହି ଆକ୍ରମଣର ଯାଞ୍ଚରେ ଲାଗି ରହିଛନ୍ତି। ସଂସଦ ପରିସର ଓ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି।