ବାରିପଦା,୨୬/୧୦: ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ଶିମିଳିପାଳରେ ବର୍ଷା ବିତ୍ପାତ ଜାରି ରହିଛି ।  ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ  ଶିମିଳିପାଳ ବନ୍ଦ ରଖିବାକୁ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ନିଷ୍ପତ୍ତି  ନେଇଛନ୍ତି । ପୂର୍ବରୁ ୨୩ରୁ ୨୫ ତାରିଖ ଯାଏ ଶିମିଳିପାଳ ବନ୍ଦ  ରଖାଯାଇଥିବାବେଳେ ଏହାକୁ ଆଉ ୩ ଦିନ ବୃଦ୍ଧି କରାଯାଇଛି । 

ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ  ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା  ଅନୁଯାୟୀ, ବାତ୍ୟା ପ୍ରଭାବରେ ଦୁଇଦିନ ହେଲା ଜାରି ରହିଥିବା  ଲଗାଣ ବର୍ଷାରେ ଶିମିଳିପାଳ ଆଭ୍ୟନ୍ତରୀଣ ଇଲାକାକୁ ସଂଯୋଗ  କରୁଥିବା ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି । ପାହାଡ଼ ପାଣି  ସ୍ରୋତରେ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏଭଳି  ସ୍ଥିତିରେ ପର୍ଯ୍ୟଟକଙ୍କ ପ୍ରବେଶ ଓ ରହଣି ଆଦୌ ସୁରକ୍ଷିତ  ନୁହେଁ । ତେଣୁ ପୂର୍ବରୁ କଟେଜ୍‌ ରହଣି ପାଇଁ ହୋଇଥିବା ସମସ୍ତ  ବୁକିଂକୁ ବାତିଲ କରିଦିଆଯାଇଛି । ବାତ୍ୟା ଦୁର୍ବଳ ହୋଇ ଗଭୀର  ଅବପାତରେ ପରିଣତ ହୋଇଥିବାରୁ ସମଗ୍ର ଜିଲ୍ଲାରେ ପ୍ରବଳ  ବର୍ଷା ଲାଗି ରହିଛି । 

ଶିମିଳିପାଳ, ଶିମିଳିପାଳ ପାଦଦେଶ ସମେତ  ଅନ୍ୟ କେତେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ସନ୍ଧ୍ୟା  ୫ଟା ସୁଦ୍ଧା ଜିଲ୍ଲାରେ ୭୮୪.୩ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ପାହାଡ଼ିଆ ସ୍ଥାନ ବିଶେଷକରି ଶିମିଳିପାଳରୁ ବାହାରିଥିବା  ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଢ଼ାବଳଙ୍ଗ  ଫୁଲି ଉଠିଛି । ତଳି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ବର୍ଷା  ବିତ୍ପାତକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ରାଜ୍ୟ ସରକାର ଜୀବନରକ୍ଷା  ଉପରେ ଗୁରୁତ୍ୱ ଦେଉଥିବାରୁ ପର୍ଯ୍ୟଟକଙ୍କୁ ୨୮ ତାରିଖ ଯାଏ  ଶିମିଳିପାଳକୁ ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।