ବାରିପଦା, ୨୩/୦୬ : ବର୍ଷାଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ବିଜ୍ଞପ୍ତି ଅନୁଯାୟୀ ଜୁନ୍‌ ୨୯ ତାରିଖରୁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। 

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ଷା ଦିନେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ରହିବ । ଏଥିପାଇଁ ଯଶିପୁରର କାଳିଆଣି ଗେଟ୍‌ ଓ ବାରିପଦା ପଟୁ ପିଠାବଟା ଗେଟ୍‌ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯିବ । ତେବେ ତାଳବନ୍ଧ ଓ ଜାମୁଆଣି ଇକୋ ଟୁରିଜିମ୍‌ କମ୍ପେ୍ଲକ୍ସ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ରହିଛି । ବର୍ଷା ଦିନରେ ଶିମିଳିପାଳର କଚ୍ଚା ରାସ୍ତା କାଦୁଅ ହୋଇ ପିଚ୍ଛିଳ ହୋଇଯିବା ସହ ପାହାଡ ଉପରୁ ବର୍ଷା ଜଳ ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ନଷ୍ଟ ଓ ଆଶଙ୍କା ଯୋଗୁଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ବର୍ଷା ଋତୁ ପରେ ଶିମିଳିପାଳ ପୁଣି କେବେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ, ସେ ନେଇ ବିଭାଗ ପକ୍ଷରୁ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ପ୍ରକାଶ ଚନ୍ଦ୍ର ଗୋଗିନାନୀ ସୂଚନା ଦେଇଛନ୍ତି । 

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୨୫ ମସିହା ଅକ୍ଟୋବର ୧୮ ତାରିଖରୁ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଖୋଲା ହୋଇଥିଲା। ତେବେ ପ୍ରତିବର୍ଷ ବର୍ଷା ଦିନେ ଜୁନ୍‌ ମାସରେ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ଆସନ୍ତା ୨୯ରୁ ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢନ୍ତୁ- ବଦଳିଲା ପାଗର ମିଜାଜ, ଗରମ, ଗୁଳୁଗୁଳିରୁ ମିଳିଲା ମୁକ୍ତି, ୨ ଦିନରେ ୩ ଡିଗ୍ରୀ ଖସିବ ପାରଦ

ମେସେଜରୁ ଜେଲ, ଡାକ୍ତରଙ୍କ ଡାର୍ଟି କାହାଣୀ କହିଲେ ମହିଳା ​​​​​​​