ମୁମ୍ବାଇ: ପ୍ରସିଦ୍ଧ ଗାୟକ ଜୁବୀନ୍ ଗର୍ଗଙ୍କର ୫୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍କୁବା ଡାଇଭିଂ କରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ସେ ସେପ୍ଟେମ୍ବର ୧୯-୨୧ ରେ ହେବାକୁ ଥିବା ନର୍ଥଇଷ୍ଟ ଫେଷ୍ଟିଭାଲରେ ଯୋଗଦେବା ପାଇଁ ସିଙ୍ଗାପୁରରେ ଥିଲେ। ରିପୋର୍ଟ ଅନୁସାରେ, ସିଙ୍ଗାପୁର ପୁଲିସ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଜୁବୀନଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ଜୁବୀନ୍ ଗର୍ଗ ଆସାମର ଜଣେ ପ୍ରସିଦ୍ଧ ସଂଗୀତଜ୍ଞ ଥିଲେ। ସେ ‘ଗ୍ୟାଙ୍ଗଷ୍ଟର’ ଫିଲ୍ମର ‘ୟା ଅଲି’ ସମେତ ଅନେକ ସୁପରହିଟ୍ ବଲିଉଡ୍ ଗୀତରେ କଣ୍ଠଦାନ କରିଛନ୍ତି। ଜୁବୀନଙ୍କ ମୃତ୍ୟୁ କେବଳ ସଙ୍ଗୀତ ଜଗତ ନୁହେଁ ବରଂ ସମଗ୍ର ବଲିଉଡ୍ ଜଗତକୁ ମର୍ମାହତ କରିଛି । ପ୍ରଶଂସକମାନେ ସୋସିଆଲ ମିଡିଆରେ ଜୁବୀନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ରାଜନେତା ରିପୁନ ବୋରା ଜୁବୀନଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଜୁବୀନଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଆମର ସାଂସ୍କୃତିକ ପ୍ରତୀକ ଜୁବୀନ ଗର୍ଗଙ୍କ ଅକାଳ ବିୟୋଗରେ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖିତ। ତାଙ୍କ ସ୍ୱର, ସଙ୍ଗୀତ ଏବଂ ଅଦମ୍ୟ ସାହସ ଆସାମ ଏବଂ ଦେଶର ଯୁବପିଢ଼ିଙ୍କୁ ପ୍ରେରଣା ଦେଇଛି । ତାଙ୍କ ପରିବାର, ପ୍ରଶଂସକ ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’