ଭୁବନେଶ୍ୱର,୧୮/୦୬: ‘ଯଥା ଦେହି ତଥା ଦେବେଂ’ ଅର୍ଥାତ ଯାହା ମଣିଷ ପାଇଁ ହୁଏ, ତାହା ଦେବତାଙ୍କ କ୍ଷେତ୍ରରେ ମଧ୍ୟ ପାଳନ କରାଯାଏ । ଏହି ନୀତିରେ ଗୁରୁବାର ମା’ପାର୍ବତୀଙ୍କ ସହିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଗୁରୁ ପଞ୍ଚମୀ ତିଥିରେ ବୈଦିକ ରୀତିରେ ବିବାହ ହେବ । ଏହି ଦେବ ବିବାହ ୪ଟି ଅନୁଚ୍ଛେଦରେ (ମଙ୍ଗଳକୃତ୍ୟ, ବିବାହ, ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଶୀତଳଷଷ୍ଠୀ ଓ ଚତୁର୍ଥୀ ହୋମ) ସମ୍ପନ୍ନ ହେବ ।

ପ୍ରଥମେ ମଙ୍ଗଳକୃତ୍ୟ କ୍ରମରେ ବୁଧବାର ଚତୁର୍ଥୀ ତିଥିରେ ସନ୍ଧ୍ୟାଧୂପ ବଢିବା ପରେ ରୋଷରେ ପୂର୍ବରୁ ପ୍ରସ୍ତୁତ ୩୫ଟି ଘୃତାନ୍ନ କୁଡୁଆରୁ ୨୭ଟି ଅମୁଣିଆ (ପୂଜାରେ ଲାଗି ହୋଇନଥିବା)କୁଡୁଆ ମନ୍ଦିର ବାହାରକୁ ଅଣାଯାଇଥିଲା । ସେବାୟତମାନେ ସେ ସବୁ ଶୋଭାଯାତ୍ରାରେ ନେଇ ଅଷ୍ଟ ଚଣ୍ଡୀ (କାପାଳିନୀ, ରାମାୟଣୀ, ମୋହିନୀ, ବିନ୍ଧ୍ୟବାସିନୀ, ଅମ୍ବିକା, ଗୌରୀ, ଉତ୍ତରାୟଣୀ ଓ ଦ୍ୱାରବାସିନୀ) ଙ୍କ ନିକଟରେ ଅର୍ପଣ ପୂର୍ବକ ବିବାହ ନିମନ୍ତ୍ରଣ ଜଣାଇଥିଲେ । ଏତଦ୍ ବ୍ୟତିରେକ ଅନ୍ୟ ୨ଜଣ ଚଣ୍ଡୀ (କାପାଳୀ ମଠ ଓ ଆଖଡ଼ା ଚଣ୍ଡୀ)ଙ୍କ ନିକଟରେ ମଧ୍ୟ ୨ଟି କୁଡୁଆ ପହଞ୍ଚି ଥିଲା ବୋଲି ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର କହିଛନ୍ତି ।

ବିବାହ ନିମନ୍ତେ ଗୁରୁବାର ସନ୍ଧ୍ୟାଧୂପ ବଢିବା ପରେ ଚଳନ୍ତି ପ୍ରତିମାଙ୍କ ଶୋଭାଯାତ୍ରା କରାଯିବ । ସୁସଜ୍ଜିତ ବିମାନକୁ ଏକାକୀ ଶ୍ରୀଲିଙ୍ଗରାଜ ବିଜେ କରିବେ । ପାଲିଙ୍କିକୁ ମା’ପାର୍ବତୀ ଓ ବାସୁଦେବ ବିଜେ କରିବେ । ସମସ୍ତ ନୀତି ସହ ବଡ଼ସିଂହାର ଓ ପହୁଡ ନୀତି ବଢ଼ିବ । ଏଣେ ବରଯାତ୍ରୀଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଜିଭାତରେ ଆପ୍ୟାୟିତ କରାଯିବ ବୋଲି ମାନସ ସମର୍ଥା କହିଛନ୍ତି । ବରାନୁଗମନ ଶୋଭାଯାତ୍ରା ନିର୍ଦ୍ଧାରିତ ସମୟ ରାତି ୧୧ଟାରେ ମହାଖଳା, ବଢେଇବାଙ୍କ, ବଡଦାଣ୍ଡ ଓ ବିନ୍ଦୁ ସାଗର ବିଶ୍ରାମଘାଟ ଦେଇ କେଦାରଗୌରୀ ମନ୍ଦିରକୁ ପହଞ୍ଚିବ । ବରଙ୍କୁ ବାଟବରଣୀ କରାଯିବ । ବରଯାତ୍ରୀଙ୍କୁ ଗାମୁଛା ଅର୍ପଣ ପୂର୍ବକ ସ୍ୱାଗତ କରାଯାଇ ମିଠା, ଜଳପାନ କରାଯିବ । ଏଣେ ମା’ପାର୍ବତୀଙ୍କୁ ବାଡୁଅ ପାଣିରେ ସ୍ନାନ କରାଇ ବଉଳପାଟ ପିନ୍ଧାଇ କନ୍ୟା ବେଶରେ ସଜାଇ ବିବାହ ମଣ୍ଡପକୁ ଅଣାଯିବ । ହାତଗଣ୍ଠି ସହିତ ସମସ୍ତ ବିବାହ ନୀତି ଭୋର ୩ଟା ୪୫ ସୁଦ୍ଧା ସରିବ । ପରେ କଉଡି ଖେଳ, ବିବାହ ପରବର୍ତ୍ତୀ ସ୍ନାନ ଓ ଭେଟ ଆଳତୀ କରାଇ ଭୋଗ ଲାଗି ହୋଇ ପହୁଡ ପଡିବ ।

ଅଧିକ ପଢ଼ନ୍ତୁ :-  ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ,ରସିକିଆ ବାବୁଙ୍କ ବିରୋଧରେ ମାମଲା ରୁଜୁ

ତୃତୀୟ ଅନୁଚ୍ଛେଦ କ୍ରମରେ ଷଷ୍ଠୀରେ (ଶୁକ୍ରବାର)ସକାଳୁ ନବ ଦମ୍ପତିଙ୍କ ଦର୍ଶନ ଦିନ ତମାମ ଶ୍ରଦ୍ଧାଳୁମାନେ କରିବେ । ଅନ୍ୟପକ୍ଷରେ କେଦାରଗୌରୀ ନାମଯଜ୍ଞ କମିଟି ତରଫରୁ ଅଷ୍ଟ ପ୍ରହରୀରେ ପୁରା କେଦାରଗୌରୀ ମନ୍ଦିର ହରି ନାମ ସଂକୀର୍ତ୍ତନରେ କମ୍ପିବ । ସନ୍ଧ୍ୟାରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏଠାରେ ପ୍ରୀତିଭୋଜନରେ ଆପ୍ୟାୟିତ କରାଯିବ । ଏଥର ସଅଳ ଝିଅ ବିଦା ହେବ । ଅର୍ଥାତ ରାତି ୧୦ଟାରେ କନକାଞ୍ଜଳି ଦେଇ ନବ ଦମ୍ପତି ସ୍ୱ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା (ଶୀତଳ ଷଷ୍ଠୀ)କରିବେ । କନ୍ୟାଙ୍କୁ ଯୌତୁକରେ ଐରାବତ ହସ୍ତି ଦିଆଯିବ ବୋଲି କେଦାର ଗୌରୀ ମନ୍ଦିର ସମ୍ପାଦକ ଲୁଲୁ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଦେବ ବିବାହ ଉତ୍ସବକୁ ସଫଳ ଓ ସୂଚାରୁ ଭାବେ ସମ୍ପାଦନ କରିବାକୁ ଆମ ୨ ମନ୍ଦିରର ସେବାୟତମାନେ ମିଳିତ ପ୍ରୟାସ କରୁଛୁ ।