ଭୁବନେଶ୍ୱର,୨୧/୦୨: ଚଳନ୍ତା ବସ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ବସ୍‌ର ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିବାରୁ ବସ୍‌ରୁ ଓହ୍ଲାଇ ପଡିଲେ ଯାତ୍ରୀ । ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଗଲେ ୩୦ରୁ ଅଧିକ ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବାଲେଶ୍ୱରରୁ ଉଦଳା ଅଭିମୁଖେ ସାହୁ ନାମକ ଏକ ଘରୋଇ ବସ ଯାଉଥିଲା । କପ୍ତିପଦା ଠାରେ ବସ୍‌ଟି ପହଞ୍ଚିଥିବା ବେଳେ ହଠାତ ବସ୍‌ରୁ ଧୂଆଁ ବାହାରିଥିଲା । ଧୂଆଁମୟ ହୋଇଗଲା ପୁରା ବସ୍‌ । ଏହା ଦେଖି କପ୍ତିପଦା ଛକରେ ବସ୍‌କୁ ଛିଡା କରି ଭୟଭୀତ ଅବସ୍ଥାରେ ଓହ୍ଲାଇ ପଡିଲେ ଯାତ୍ରୀ । ଯାହା ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀମାନେ । ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ବର୍ତ୍ତି ଯାଇଥିଲେ । ତୁରନ୍ତ ବସ୍‌ର ଇଞ୍ଜିନ୍ ଖୋଲି ମରାମତି କରିବା ସହ ବସ୍‌ ଇଞ୍ଜିନ୍‌ରେ ସର୍ଟ ସର୍କିଟରୁ ନିଆଁ ଧରିଥିବାରୁ ଜଣାଯାଇଥିଲା । ଏନେଇ ଖବର ପାଇ କପ୍ତିପଦା ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।