ବ୍ରହ୍ମପୁର, ୦୧/୧୨: ଯାତ୍ରା ମଞ୍ଚରେ ସାପ  ଖେଳ । ସାପକୁ ଡବାରୁ କାଢ଼ି ପେଣ୍ଡାଲ ମଝିରେ ଛାଡ଼ି  ଦେଲେ ସାପୁଆ । ସାପ ଚାରିପଟେ ଘେରି ରହିଥିଲେ  ସାଧାରଣ ଲୋକ । ଏହାର ଏକ ଭିଡ଼ିଓ ଭାଇରାଲ  ହେବାରେ ଲାଗିଛି । ଖୋଲା ମଞ୍ଚରେ ଏଭଳି ଖେଳ ଉଭୟ  ଲୋକ ଓ ସାପର ଜୀବନ ପ୍ରତି ବିପଦ ସାଜିଛି । ଟିକେ ଅସାବଧାନତାରେ ସାପ କାମୁଡ଼ାରେ ଚାଲିଯିବ ଜୀବନ ।  ବନ୍ୟପ୍ରାଣୀ ଆଇନର ଖୁଲମ୍‌ ଖୁଲା ଉଲ୍ଲଘଂନ କରୁଛନ୍ତି  ସାପ ଧରାଳି । ସାପ ଖେଳର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେଉଛି । ଏହାକୁ ନେଇ ପିସିସିଏଫ୍‌ ୱାଇଲ୍ଡ  ଲାଇଫ୍‌ଙ୍କୁ ଏକ୍ସ(ଟୁଇଟର) ଯୋଗେ ଅଭିଯୋଗ କରିଛନ୍ତି  ପଶୁପ୍ରେମୀ । ଅଭିଯୋଗ ଆସିବାପରେ ଘଟଣାର ତଦନ୍ତ  ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ । 

ଗଞ୍ଜାମ ଜିଲ୍ଲାରେ ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ  ହେବାର ଚିତ୍ର ନିୟମିତ ଦେଖିବାକୁ ମିଳୁଛି । ବନ୍ୟପ୍ରାଣୀ  ସଂରକ୍ଷଣ ଆଇନରେ ୧ ନମ୍ବର ତଫସିଲଭୁକ୍ତ ଥିବା  ବନ୍ୟଜନ୍ତୁଙ୍କୁ ଧରି ଖେଳ ପ୍ରଦର୍ଶନ କରୁଛନ୍ତି ଲୋକ । ଯାତ୍ରା  ମଞ୍ଚରେ ନିୟମିତ ସାପ ଖେଳ ହେଉଥିବାର ଚିତ୍ର ନଜରକୁ  ଆସୁଛି । ଗତ ୨୪ରେ ହିଞ୍ଜିଳି ବ୍ଲକ ରାଳବ ଗ୍ରାମରେ ଯାତ୍ରା  ମଞ୍ଚରେ ସାପ ଖେଳ ହୋଇଛି । ଏହାର ଏକ ଭିଡିଓ ସୋସିଆଲ୍‌  ମିଡିଆରେ ଘୁରି ବୁଲୁଛି । ଏ ନେଇ ଏକ୍ସ(ଟୁଇଟର) ଯୋଗେ  ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ଙ୍କୁ ଅଭିଯୋଗ କରିଛନ୍ତି ଆଞ୍ଚଳିକ  ବିକାଶ ପରିଷଦ ସଭାପତି ସାଗର ପାତ୍ର । ସେ କହିଛନ୍ତି, ଉକ୍ତ  ଦିନ ଗ୍ରାମରେ ଦୁଇଟି ଯାତ୍ର ମଞ୍ଚରେ ପୌରାଣିକ ରାମାୟଣ  ନାଟକ ଲାଗିଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବାଦ ବିବାଦରେ  ନାଟକ ଜାରି ରହିଥିଲା । ମ୍ୟାଜିକ୍‌ ସୋ’ରୁ ଆରମ୍ଭ ହୋଇ  ଶେଷରେ ବିଷଧର ସାପଙ୍କୁ ନେଇ ମଞ୍ଚରେ ଖେଳ ହୋଇଥିଲା ।  ପାରମ୍ପରିକ ବେଶରେ ଦୁଇଜଣ ବ୍ୟକ୍ତି ବିଷଧରା ନାଗ ସାପକୁ  ନେଇ ଖେଳ ପ୍ରଦର୍ଶନ କରୁଛନ୍ତି । ନିକଟରେ ଜଣେ ସାପୁଆ  ସାପ ଧରିବା ଷ୍ଟିକ୍‌ ଧରି ଛିଡ଼ା ହୋଇଛନ୍ତି । ଶତାଧିକ ଲୋକ  ସାପ ଚାରିପାଖେ ଛିଡ଼ା ହୋଇଛନ୍ତି । ଯାହାକି ଲୋକଙ୍କ  ଜୀବନ ପ୍ରତି ବିପଦ ରହିଛି । 

ସ୍ନେକ ହେଲ୍‌ପ ଲାଇନ୍‌ ସାଧାରଣ ସମ୍ପାଦକ ଶୁଭେନ୍ଦୁ  ମଲ୍ଲିକ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ମଞ୍ଚରେ ସାପ ଖେଳ  ଚିତ୍ର ପ୍ରତିବର୍ଷ ସାମ୍ନାକୁ ଆସୁଛି । ଏହାକୁ ନେଇ ଡିଏଫ୍‌ଓଙ୍କ  ଠାରୁ ଆରମ୍ଭ କରି ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ଙ୍କ ନିକଟରେ  ଅଭିଯୋଗ କରୁଛୁ । କିନ୍ତୁ ବନବିଭାଗ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାରେ ସବୁବେଳେ ପଛଘୁଞ୍ଚା ଦେଉଛି । ଏହି  ସାପ ଗୁଡ଼ିକ ବନ୍ୟପ୍ରାଣୀ ସଂରକ୍ଷଣ ଆଇନରେ ୧ ନମ୍ବର  ତଫସିଲରେ ରହିଛି । ବନ୍ୟପ୍ରାଣୀଙ୍କ ସହ ଫଟୋ ନେବା  ବି ଅପରାଧ ଭାବେ ୨୦୧୪ରୁ ନିୟମ ରହିଛି । ତଥାପି  ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଥିବା  ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି  ଖୋଖର କହିଛନ୍ତି, ଅଭିଯୋଗ ଆସିଛି । କର୍ମଚାରୀଙ୍କ ଦ୍ୱାରା  ତଦନ୍ତ ଜାରି ରହିଛି । ତଦନ୍ତ ରିପୋର୍ଟ ଅନୁଯାୟୀ ଦୋଷୀଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।