ନୂଆଦିଲ୍ଲୀ,୦୨/୧୦: ୧୯୬୮, ଫେବ୍ରୁଆରୀ ୭ ତାରିଖରେ ସଂଘଟିତ ଏକ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସେଇ ସ୍ମୃତି ଏବେ ପୁଣି ଥରେ ତାଜା ହୋଇଛି । ୧୦୨ ଯାତ୍ରୀଙ୍କୁ ନେଇ ଚଣ୍ଡିଗଡ଼ରୁ ଲେହ୍ ଯାଉଥିବା ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ନିଖୋଜ ହୋଇଯାଇଥିଲା । ରୋହତାଙ୍ଗ ପାସ୍ଠାରେ ଏଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ୫୬ ବର୍ଷ ପରେ ପୁଣି ଦେଶବାସୀଙ୍କ ସ୍ମୃତିକୁ ତାଜା କରିଛି । ହିମାଚଳର ଲାହୋଲ ଓ ସ୍ପିତି ଜିଲ୍ଲାର ବାଟାଲ ନିକଟସ୍ଥ ଚନ୍ଦ୍ରଭାଗା ରେଞ୍ଜ୍ ୧୩ (ସିବି ୧୩) ଶୃଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ବିମାନର ୪ ଜଣ ଯାତ୍ରୀଙ୍କ ମୃତ ଶରୀର ମିଳିଛି । ଏ ବିଷୟରେ ସ୍ପଷ୍ଟ କରି ଲାହୋଲ ଓ ସ୍ପିତି ସୁପରିଟେଣ୍ଡେଣ୍ଟ୍ ଅଫ୍ ପୁଲିସ (ଏସ୍ପି) ମୟଙ୍କ ଚୌଧରୀ କହିଛନ୍ତି, ପୁଲିସ ଓ ମେଡିକାଲ ଟିମ୍ କାଜାରୁ ସେଠାକୁ ଯିବେ । ପୋଷ୍ଟ୍ମର୍ଟମ ପରେ ମୃତକଙ୍କ ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।
ସୂଚନାଯୋଗ୍ୟ, ରୋହତାଙ୍ଗ ପାସ୍ ନିକଟରେ ଅତି ଖରାପ ପାଣିପାଗର ସମ୍ମୁଖୀନ ହେବା ଦ୍ୱାରା ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଦୀର୍ଘ ଦଶନ୍ଧି ଧରି ବିମାନ ଭଗ୍ନାବଶେଷ ଓ ପୀଡ଼ିତଙ୍କ ଅବଶେଷ ସେହି ବରଫାବୃତ୍ତ କ୍ଷେତ୍ରରେ ହଜିଯାଇଥିଲା । ଚନ୍ଦ୍ରଭାଗା ମାଉଣ୍ଟେନ୍ ଅଭିଯାନ ଦ୍ୱାରା ୪ ମୃତ ଶରୀର ମିଳିବା ପରେ ମୃତକଙ୍କ ପରିବାର ଆଶାର କିରଣ ପାଇଛନ୍ତି । ତେବେ, ସେମାନଙ୍କ ପାଇଁ ଏହା ଘଡ଼ିସନ୍ଧି ମୁହୂର୍ତ୍ତ । ମୃତ ଶରୀର ମିଳିବା ନେଇ ସେମାନେ ଯେତିକି ଖୁସି, ସେତିକି ଦୁଃଖୀ । ଭାବବିହ୍ୱଳ ମଧ୍ୟ । ୪ ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ସେ କେରଳ ବାସିନ୍ଦା ଥୋମାସ ଚେରିୟାଁ । ଚେରିୟାଁଙ୍କ ଭଉଣୀ କହିଛନ୍ତି, ଏହି ମୁହୂର୍ତ୍ତକୁ କେମିତି ବର୍ଣ୍ଣନା କରିବୁ ଜାଣିପାରୁନୁ । ଆମେ ସମାନ ଭାବେ ଖୁସି ଓ ଦୁଃଖୀ । ମୃତ୍ୟୁର ଅନେକ ଦଶନ୍ଧି ପରେ ଭାଇଙ୍କର ଔପଚାରିକ ଅନ୍ତିମ ସଂସ୍କାର କରିବୁ ବୋଲି ଆମେ କଦାପି ଆଶା କରିନଥିଲୁ । ଚେରିୟାଁ ଆର୍ମି ଟ୍ରେନିଂ ଶେଷ କରି ପୋଷ୍ଟିଂ ପାଇଁ ଯାତ୍ରା କରୁଥିବାବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଆର୍ମିରେ ଯୋଗ ଦେବା ପରେ ଚେରିୟାଁ ମାତ୍ର ଦୁଇ କିମ୍ବା ତିନି ଥର ଘରକୁ ଆସିଥିଲେ ବୋଲି ଭଉଣୀ କହିଛନ୍ତି । ତାଙ୍କ ମର ଶରୀର ପାଇବା ଏକ ବଡ଼ ଆଶୀର୍ବାଦ ବୋଲି ସେ କହିଛନ୍ତି । ଯଥାବିଧି ଅନ୍ତିମ ସଂସ୍କାର କରିବା ପରେ ସ୍ଥାନୀୟ ସମାଧିସ୍ଥଳରେ ଚେରିୟାଁଙ୍କୁ ସମାଧି ଦିଆଯିବ ।
୨୦୦୩ ମସିହାରେ, ମନାଲିର ଏବିଭି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ ଆଣ୍ଡ ଆଲାଏଡ୍ ସ୍ପୋର୍ଟସ୍ର ଏକ ଅଭିଯାନ ଦ୍ୱାରା ଦକ୍ଷିଣ ଢାକା ଗ୍ଲେସିଅରରେ ବିମାନର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା । ପର୍ବତାରୋହୀମାନେ ଏକ ମୃତ ଶରୀର ପାଇଲେ, ଯାହା ବିମାନରେ ଥିବା ଜଣେ ଆର୍ମି କର୍ମଚାରୀ ସିପାହୀ ବେଲି ରାମଙ୍କର ଥିଲା । ଏହି ଘଟଣା ପରେ ମୃତ ଶରୀର ଖୋଜିବା ଲାଗି ଭାରତୀୟ ଆର୍ମି, ଖାସ୍କରି ଡୋଗ୍ରା ସ୍କାଉଟ୍ସ ଦ୍ୱାରା ଦୀର୍ଘ ବର୍ଷ ଧରି ଅନେକ ଅଭିଯାନ ଚଳାଯାଇଥିଲା । ୨୦୦୫, ୨୦୦୬, ୨୦୧୩ ଓ ୨୦୧୯ ମସିହାରେ ସର୍ଚ୍ଚ ମିଶନରେ ଅଗ୍ରଣି ଭୂମିକା ନିର୍ବାହ କରିଥିଲା । ଚରମ ପାଣିପାଗ ଓ ବରଫାଛନ୍ନ ଉଚ୍ଚ ଭୂମି ସତ୍ତେ୍ୱ ସେମାନେ ୨୦୧୯ ମସିହାରେ ମାତ୍ର ୫ ମୃତ ଶରୀର ଠାବ କରିଥିଲେ ।