ମୋରଡ଼ା,୧୦/୬ : ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ନାଉପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଶାସକ୍ତ ଅବସ୍ଥାରେ ନିଜ ଶ୍ବଶୁର ଘରକୁ ଆସି ଶାଶୁ ଓ ଶ୍ବଶୁର ଶୋଇଥିବା ଅବସ୍ଥାରେ ତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଛି ଜ୍ବାଇଁ । ତେବେ ଦେହରେ ନିଆଁ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଶାଶୁ-ଶ୍ବଶୁର ଦୁହେଁ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଝିଅଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ୱାର୍ଡ ନମ୍ବର ୨୨ର ସେକ୍ ସବୀର ପ୍ରତିଦିନ ମଦ ପିଇ ତାଙ୍କ ମାରପିଟ କରୁଥିଲେ । ଫଳରେ ସେ ୫ମାସ ପୂର୍ବରୁ ତାଙ୍କ ବାପ ଘର ନାଉପଦାକୁ ଚାଲି ଆସିଥିଲେ । ତେବେ ଅଭିଯୁକ୍ତ ସେକ୍ ସବୀର ତାଙ୍କ ଘରକୁ ବିଳମ୍ବିତ ରାତିରେ ଆସି ତାଙ୍କ ଲୁଗା ପଟା ଓ ପଲିଥିନ ଗୁଡ଼ିକରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଚାଲି ଯାଇଥିଲେ । ଫଳରେ ସେ ଶୁଳିଆପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଏଣେତେଣେ ଖୋଜାଖୋଜି କରୁଥିଲା ।

ମଙ୍ଗଳବାର ରାତିରେ ଝିଅ ଓ ତାଙ୍କ ବାପା-ମାଆ ଘରେ ଶୋଇଥିବାବେଳେ ଜ୍ବାଇଁ ବାଇକ୍ରେ ଆସି ପେଟ୍ରୋଲ ଢାଳି ନିଆଁ ହୁଳା ଫିଙ୍ଗି ଫେରାର ହୋଇଯାଇଥିଲା । ଫଳରେ ତାଙ୍କ ବାପା-ମାଆ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହୋଇଥିବା ଶାଶୁ ଓ ଶ୍ୱଶୁର ହେଲେ ନାଉପଦା ଗାଁର ଶୁହାନା ବିବି ଓ ଶେକ ହାରୁନ ଅଲ୍ଲୀ। ପୂର୍ବରୁ ଦୁଇ ଥର ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିଲା ଜ୍ବାଇଁ ।