ନୂଆଦିଲ୍ଲୀ,୦୨/୧୦: ପୁଣି ଅଟକ ସୋନମ ଓ୍ବାଙ୍ଗଚୁଙ୍ଗ । ଜେଲରୁ ମୁକୁଳିବା ପରେ ପରିବେଶବିତ୍ ସୋନମ ଓ୍ବାଙ୍ଗଚୁକଙ୍କୁ ପୁଣିଥରେ ଅଟକ ରଖାଯାଇଛି । ତେବେ ୧୫୦ ଲଦାଖବାସୀଙ୍କୁ ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ମୁକ୍ତ କରିବା ପରେ ସେମାନଙ୍କୁ ପୁଣିଥରେ ଅଟକ ରଖିଛି। ଏହାପରେ ଥାନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଜାରି ରଖିଛନ୍ତି ସୋନମ ୱାଙ୍ଗଚୁକ୍।
ତେବେ ସୂଚନା ମୁତାବକ, ୱାଙ୍ଗଚୁକ୍ ଏବଂ ଅନ୍ୟ ଅଟକ ଲଦାଖୀମାନଙ୍କୁ ମଙ୍ଗଳବାର ରାତିରେ ମୁକ୍ତ କରାଯାଇଥିଲା । ହେଲେ ସେମାନେ ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳ ଅଭିମୁଖେ ପଦଯାତ୍ରା କରିବାକୁ ଜିଦ୍ ଧରିଥିଲେ। ତେଣୁ ସେମାନଙ୍କୁ ପୁଣି ଅଟକ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ୱାଙ୍ଗଚୁକ୍ଙ୍କୁ ଅନ୍ୟ କିଛି ଲୋକଙ୍କ ସହ ବାୱାନା ଥାନାରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ନରେଲା ଶିଳ୍ପାଞ୍ଚଳ, ଅଲିପୁର ଓ କଂଜାୱାଲା ଥାନାରେ ରଖାଯାଇଛି। ସୋମବାର ରାତିରେ ୱାଙ୍ଗଚୁକ୍ ଏବଂ ତାଙ୍କ ସହଯୋଗୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଦେଶର ରାଜଧାନୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କୁ ସିଂଘୁ ସୀମାରେ ଅଟକ ରଖିଥିଲା। ଯାହା ନିଷେଧାଦେଶକୁ ଉଲ୍ଲଂଘନ କରୁଛି। ମାସେ ତଳେ ଲେହରୁ ଆରମ୍ଭ ହୋଇଥିବା 'ଦିଲ୍ଲୀ ଚଲୋ ପଦଯାତ୍ରା'ର ନେତୃତ୍ୱ ନେଉଛନ୍ତି ସୋନମ ୱାଙ୍ଗଚୁକ୍। ଲଦାଖକୁ ରାଜ୍ୟ ମାନ୍ୟତା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ରଖିଛନ୍ତି ସୋନମ ୱାଙ୍ଗଚୁକ୍।