ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଉତ୍ତରରେ ଏକ ପାହାଡ ଘେରା ଅଂଚଳରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ପ୍ରିଟୋରିଆରୁ ପ୍ରାୟ ୪୦୦ କିଲୋମିଟର ଉତ୍ତରରେ ଲୁଇସ୍ ଟ୍ରେଚର୍ଡ ସହର ନିକଟରେ N1 ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୋମବାର ଦିନ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି ।

ରୋଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ କର୍ପୋରେସନର ମୁଖପାତ୍ର ସାଇମନ ଜ୍ୱାନେ ଦକ୍ଷିଣ ଆଫ୍ରିକାର ନ୍ୟୁଜ୍ 24 ସମାଚାର ଆଉଟଲେଟ୍‌କୁ କହିଛନ୍ତି ଯେ, କର୍ତ୍ତୃପକ୍ଷ ୪୨ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ । ପ୍ରାଦେଶିକ ସରକାର କହିଛନ୍ତି ଯେ, ଏକ ପାହାଡିଆ ଘାଟି ନିକଟରେ ବସ୍ ଟି ରାସ୍ତାରୁ ଖସି ପଡ଼ିବା ଫଳରେ ଦୁର୍ଘଟଣା ଘଟିଥିଲା।

ଅଧିକାରୀ ମାନେ କହିଛନ୍ତି ଯେ ବସ୍ ଟି ଦକ୍ଷିଣ ଆଫ୍ରିକାର ପୂର୍ବ କେପ୍ ରୁ ଦେଶର ଦକ୍ଷିଣକୁ ଯାତ୍ରା କରୁଥିଲା। ଲିମ୍ପୋପୋ ପ୍ରାଦେଶିକ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ବସ୍ ଟି ଜିମ୍ବାୱେ ଏବଂ ମଲାୱି ନାଗରିକ ମାନଙ୍କୁ ନେଇ ନିଜ ଦେଶକୁ ଫେରୁଥିବା ବିଶ୍ୱାସ କରାଯାଉଛି। ପ୍ରାଦେଶିକ ସରକାର ତୁରନ୍ତ ଆହତଙ୍କ ସଂଖ୍ୟା ପ୍ରକାଶ କରି ନାହାଁନ୍ତି, କିନ୍ତୁ ଅନେକ ବଞ୍ଚିଥିବା ଲୋକଙ୍କୁ ହସ୍ପିଟାଲକୁ ନିଆଯାଇଛି।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ବସ୍ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି।