ଭୁବନେଶ୍ୱର,୧୯/୬ : ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ (Standard Operating Procedure - SOP) ଜାରି କରିଛନ୍ତି।

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଆଇନ, ୨୦୨୩, ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଓ ବିକାଶ) ଆଇନ, ୨୦୧୬ ଏବଂ ପଞ୍ଜୀକରଣ ଆଇନ, ୧୯୦୮ର ବିଭିନ୍ନ ବ୍ୟାଖ୍ୟା କାରଣରୁ ସୃଷ୍ଟ ହେଉଥିବା ଅସ୍ପଷ୍ଟତା ଦୂର କରିବା ସହ ରାଜ୍ୟବ୍ୟାପୀ ଏକ ସମାନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରିବା ପାଇଁ ଏହି ଏସ୍ଓପି ପ୍ରଣୟନ କରାଯାଇଛି । ନୂତନ ଏସ୍ଓପି ଅନୁଯାୟୀ ଆପାର୍ଟମେଣ୍ଟ୍ ସମ୍ବନ୍ଧୀୟ ପଞ୍ଜୀକରଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ପ୍ରି-ରେରା (Pre-RERA) ଆପାର୍ଟମେଣ୍ଟର ପୁନଃ ବିକ୍ରୟ, ପ୍ରି-ରେରା ପ୍ରକଳ୍ପରେ ବିକ୍ରୟ ହୋଇନଥିବା ଫ୍ଲାଟ୍ର ପ୍ରଥମ ବିକ୍ରୟ ଏବଂ ପୋଷ୍ଟ-ରେରା (Post-RERA) ଆପାର୍ଟମେଣ୍ଟ୍। ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକୀୟ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ପଷ୍ଟ ଭାବେ ଏହି ନୂତନ ଏସଓପିରେ ନିର୍ଦ୍ଧାରଣ କରାଯାଇଛି। ପୋଷ୍ଟ-ରେରା ଆପାର୍ଟମେଣ୍ଟ କ୍ଷେତ୍ରରେ ପଞ୍ଜୀକରଣ ପୂର୍ବରୁ ଓଡ଼ିଶା ରେରା ପଞ୍ଜୀକରଣ (ଯେଉଁଠି ପ୍ରଯୁଜ୍ୟ), ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଆଲଟିମାନଙ୍କ ସଂଘର ପଞ୍ଜୀକରଣ, ଧାରା-୯ ଅନୁଯାୟୀ ଘୋଷଣାପତ୍ରର ପଞ୍ଜୀକରଣ ଏବଂ ସାଧାରଣ କ୍ଷେତ୍ର ଓ ସୁବିଧାର ହସ୍ତାନ୍ତର ସମ୍ବନ୍ଧୀୟ ବ୍ୟବସ୍ଥା ପାଳନ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମ୍ପୃକ୍ତ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ପଞ୍ଜୀକରଣ ସମ୍ଭବ ହେବ ।

ଏସ୍ଓପିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରାଯାଇଛି । ମହିଳାଙ୍କ ନାମରେ ହେଉଥିବା ଆପାର୍ଟମେଣ୍ଟ ହସ୍ତାନ୍ତର କ୍ଷେତ୍ରରେ ପୂର୍ବରୁ ଚାଲୁଥିବା ଏକ ପ୍ରତିଶତ ଷ୍ଟାମ୍ପ ଶୁଳ୍କ ରିହାତି ସୁବିଧା ଜାରି ରହିବ । ସେହିପରି ଆଲଟିମାନଙ୍କ ସଂଘ ସପକ୍ଷରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ଦଲିଲ ପାଇଁ ନାମମାତ୍ର ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ନାଗରିକ-କୈନ୍ଦ୍ରିକ ହେବା ସହ ଆପାର୍ଟମେଣ୍ଟ୍ କ୍ରେତାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସୁଶାସନ ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି ।