ସମ୍ବଲପୁର,୦୬/୦୯: ଆଜି ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେଉଥିବା ଭେଟଘାଟ୍ କାର୍ଯ୍ୟକ୍ରମ ଇଷ୍ଟଦେବୀ ମା’ସମଲେଶ୍ୱରୀ ମନ୍ଦିର ପାର୍କିଂ ସ୍ଥଳରେ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁରରେ ପହଞ୍ଚିବା ପରେ ମା’ ସମଲେଶ୍ୱରୀ ଓ ମା’ପାଟଣେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ।ସେଠାରୁ ସାଂସ୍କୃତିକ ପଟୁଆରାରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । ନୂଆ ସରକାରରେ ପ୍ରଥମଥର ଆୟୋଜିତ ଏଭଳି ଭବ୍ୟ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସାରିବାକୁ ଆୟୋଜକ ଦିନରାତି ଏକ୍ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି ।
ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ଓହ୍ଲାଇବା ପରେ କାର୍କେଡ୍ରେ ମା’ ସମଲେଇ ମନ୍ଦିରକୁ ଆସିବେ । କାର୍କେଡ୍ରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଗାଡ଼ି ସହ ୨ ପ୍ଲାଟୁନ୍ ଫୋର୍ସ ସାମିଲ ହେବେ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବିଧାୟକ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ନେଇ ସମୀକ୍ଷା ହୋଇଛି । କମିଟି ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି, ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଭେଟଘାଟର ବହୁତ ମହତ୍ତ୍ୱ ରହିଛି । ଏଥର ସମ୍ବଲପୁରରେ ମଧ୍ୟ ଭବ୍ୟ ଆୟୋଜନ କରାଯାଉଛି । ପୂର୍ବତନ ବିଧାୟକ ନାଉରୀ ନାୟକ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ଗୋବିନ୍ଦ ଅଗ୍ରୱାଲ, ଡ.ପ୍ରମୋଦ ରଥ, ରିକି ବେହେରା, ଶୁଭଶ୍ରୀ ମିଶ୍ର ପ୍ରମୁଖ ପ୍ରସ୍ତୁତିରେ ଲାଗିଛନ୍ତି