ନୂଆଦିଲ୍ଲୀ ୦୫/୦୭: ଆକ୍ସିଓମ୍‌-୪ ମିଶନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଭାରତର ପ୍ରଥମ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଗତ ଗୁରୁବାର ଉତ୍ତରପ୍ରଦେଶ ଓ କେରଳର ବିଦ୍ୟାର୍ଥୀଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ କଥା ହୋଇଛନ୍ତି । ଏ ଅବସରରେ ଛାତ୍ରଛାତ୍ରୀ ତାଙ୍କୁ ମହାକାଶରେ ଜୀବନ ସହ ସଂଶ୍ଳିଷ୍ଟ ଅନେକ ପ୍ରଶ୍ନ ପଚାରିଲେ । ଶୁଭାଂଶୁ ବିସ୍ତୃତ ଭାବେ ସମସ୍ତ ପ୍ରଶ୍ନର ଉତ୍ତର ଦେଲେ । ଏହି ବାର୍ତ୍ତାଳାପ ପାଇଁ ଉତ୍ତପ୍ରଦେଶର ୧୫୦ ବିଦ୍ୟାର୍ଥୀ ଓ କେରଳର କୋଝିକୋଡ୍‌ ଜିଲ୍ଲାର ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଥିଲା । ଜଣେ ଛାତ୍ର ପଚାରିଲେ, ମହାକାଶରେ ସେ କେମିତି ଶୁଅନ୍ତି? ଶୁଭାଂଶୁ କହିଲେ, ମହାକାଶରେ ଚଟାଣ ବା ଛାତ ଭଳି କିଛି ନାହିଁ । ସେଥିପାଇଁ କିଏ କାନ୍ଥରେ ଶୁଅନ୍ତି, ଆଉ କିଏ ଛାତ ଉପରେ । ଭାସି ଭାସି ଅନ୍ୟ କେଉଁଠିକୁ ନ ଯିବା ପାଇଁ ଶୋଇବା ସମୟରେ ନିଜ ଗୋଡ଼କୁ ବାନ୍ଧିବାକୁ ପଡ଼େ । 

ଆଉ ଜଣେ ଛାତ୍ର ପଚାରିଲେ, ମହାକାଶରେ ସେ ନିଜକୁ କେମିତି ଫିଟ୍‌ ରଖନ୍ତି? ଶୁଭାଂଶୁ କହିଲେ, ସୂକ୍ଷ୍ମ ମାଧ୍ୟାକର୍ଷଣରେ ମାଂସପେଶୀକୁ କ୍ଷତି ପହଞ୍ଚେ । ସେଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ । ଯୋଗ ଓ ବ୍ୟାୟାମ ଦ୍ୱାରା ସେ ନିଜକୁ ଫିଟ୍‌ ରଖୁଛନ୍ତି । ସେଠାରେ ଏକ ସ୍ୱତନ୍ତ୍ର ସାଇକେଲ ଅଛି । କିନ୍ତୁ ତା’ର ସିଟ୍‌ ନାହିଁ । କେବଳ ପେଡାଲରେ ନିଜକୁ ବାନ୍ଧି ବ୍ୟାୟାମ କରିବାକୁ ପଡ଼େ । ଏହି ଅବଧିରେ ମାନସିକ ସ୍ୱାସ୍ଥ୍ୟ ଉପରେ କେମିତି କାମ କରାଯାଏ ବୋଲି ଜଣେ ବିଦ୍ୟାର୍ଥୀ ପଚାରିଲେ । ଶୁଭାଂଶୁ କହିଲେ, ପରିବାର ଓ ବନ୍ଧୁଙ୍କ ସହ ସମ୍ପର୍କ ବଜାୟ ରଖିବା ଲାଗି ଟେକ୍ନୋଲୋଜିର ସାହାଯ୍ୟ ନିଆଯାଏ, ଏହା ଦ୍ୱାରା ମନୋବଳ ବଢ଼େ । ମହାକାଶରେ ଶରୀର ସୂକ୍ଷ୍ମ ମାଧ୍ୟାକର୍ଷଣକୁ ଗ୍ରହଣ କରିନିଏ । କିନ୍ତୁ ପୃଥିବୀକୁ ଫେରିବା ପରେ ପୁଣି ମାଧ୍ୟାକର୍ଷଣ ଅନୁସାରେ ଶରୀରକୁ ଖାପ ଖୁଆଇବାକୁ ପଡ଼େ । ଏହା ଏକ ବଡ଼ ଆହ୍ୱାନ । ଏଥିପାଇଁ ବିଶେଷ ପ୍ରସ୍ତୁତି ଓ ପ୍ରକ୍ରିୟା ଆପଣାଇବାକୁ ପଡ଼େ । 

ମହାକାଶରେ ସେ କ’ଣ ଖାଆନ୍ତି ପ୍ରଶ୍ନର ଉତ୍ତରରେ ଶୁଭାଂଶୁ କହିଲେ, ମହାକାଶରେ ମହାକାଶଚାରୀ ଖାଇବା ପାଇଁ ପ୍ୟାକେଟ୍‌ରେ ଭର୍ତ୍ତି ଖାଦ୍ୟ ପସନ୍ଦ କରନ୍ତି ଅଥବା ମିଶନ୍‌ରେ ଆସିବା ପୂର୍ବରୁ ଯେଉଁ ଖାଦ୍ୟ ଖାଉଥିଲେ, ତାହା ଖାଆନ୍ତି । ସାଙ୍ଗରେ ଆଣିଥିବା ଗାଜର ହାଲୁଆ, ମୁଗ ଡାଲି ହାଲୁଆ ଓ ଆମ୍ବ ଜୁସ୍‌ ବିଷୟରେ ମଧ୍ୟ ଶୁଭାଂଶୁ କହିଲେ । ଔଷଧ ବିଷୟରେ ପଚାରିବାରୁ ସାଙ୍ଗରେ ମେଡିକାଲ କିଟ୍‌ ଆଣିଥିବା କଥା ସେ କହିଲେ, ଯେଉଁଥିରେ ପର୍ଯ୍ୟାପ୍ତ ମାତ୍ରାରେ ସବୁ ପ୍ରକାର ଔଷଧ ଅଛି । ସ୍ପେସ୍‌ ଷ୍ଟେସନ୍‌ରେ ମହାକାଶ ଯାତ୍ରୀଙ୍କୁ ବହୁତ କମ୍‌ ସମୟ ମିଳେ । କିନ୍ତୁ ଯେତେବେଳେ ସମୟ ମିଳେ, ସେ ମହାକାଶରୁ ପୃଥିବୀକୁ ଦେଖନ୍ତି ବୋଲି ଶୁଭାଂଶୁ ପିଲାଙ୍କୁ କହିଲେ । ଏହି ବାର୍ତ୍ତାଳାପରେ ମହାକାଶ ବିଜ୍ଞାନରେ କ୍ୟାରିଅର କରିବାକୁ ଶୁଭାଂଶୁ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କଲେ ।