ଭୁବନେଶ୍ବର,୫।୧୨ : ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ବ୍ୟୟ ମଞ୍ଜୁରୀ ବିଲ ଉପରେ ଗୃହରେ ବିବୃତି ରଖିଛନ୍ତି। ମନ୍ତ୍ରୀ କହିଥିଲେ ଯେ ଅର୍ଥ ବଳକା ରହିବ ନାହିଁ । ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଅତିରିକ୍ତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଭଳି ବିଭାଗକୁ ଗୁରୁତ୍ୱ ଦିଆଯିବ ।
ତତ୍କାଳୀନ ସରକାର ବଜେଟର ମାତ୍ର ୮୦ ପ୍ରତିଶତ ଖର୍ଚ୍ଚ କରି ପାରୁଥିଲେ । ୨୦୨୧-୨୨ ରେ ବଜେଟ ର ୪୬ ପ୍ରତିଶତ, ୨୦୨୨-୨୩ ରେ ୪୪ ପ୍ରତିଶତ, ୨୦୨୩-୨୪ ରେ ୪୫.୯୦ ପ୍ରତିଶତ ନଭେମ୍ବର ସୁଦ୍ଧା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ । ଚଳିତ ବର୍ଷ ଆମ ସରକାର ୪୩.୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କାର୍ଯ୍ୟକ୍ରମ ବ୍ୟୟକୁ ଦେଖିଲେ ରାଜ୍ୟ ସରକାର ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତତ୍କାଳୀନ ସରକାର ୨୩ ନଭେମ୍ବର ସୁଦ୍ଧା ୧ ଲକ୍ଷ ୭ ହଜାର ୩୩୭ କୋଟି ଖର୍ଚ୍ଚ କରିଛନ୍ତି । ପୂର୍ବ ସରକାରରେ ଅତିରିକ୍ତ ବଜେଟରେ ୨୦୧୯-୨୦ ରେ ୭୪୩୩ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୧୩୫୫୧ କୋଟି ଖର୍ଚ୍ଚ କରି ପାରି ନଥିଲେ । ସେହିପରି ୨୦୨୦-୨୧ ରେ ୭୪୩୮କୋଟି ବ୍ୟୟ ବରାଦ କରିଥିବା ବେଳେ ୧୧,୪୭୭ କୋଟି ଟଙ୍କା ଖର୍ଚ୍ଚ କରି ପାରିନଥିଲେ । ୨୦୨୧-୨୨ରେ ୧୩୫୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ବେଳେ ଫେରସ୍ତ କରିଥିଲେ ୨୨୫୩୪ କୋଟି ଟଙ୍କା । ସେହିପରି ୨୦୨୨-୨୩ ରେ ୯୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୨୪୩୭୦ କୋଟି ଟଙ୍କା ଫେରସ୍ତ କରିଥିଲେ । ସେହିପରି ୨୦୨୩-୨୪ ରେ ୧୩୦୦୦ କୋଟି ବ୍ୟୟ ବରାଦ କରିଥିବା ବେଳେ ୨୪୦୦୦ କୋଟି ଟଙ୍କା ଫେରସ୍ତ କରିଥିଲେ ।
ବର୍ତ୍ତମାନ ମୁଣ୍ଡ ପିଛା ଋଣ ଭାର ଅକ୍ଟୋବର ୨୦୨୪ ସୁଦ୍ଧା ୨୦, ୧୭୭ ଟଙ୍କା ରହିଛି । ଗତ ବର୍ଷ ଠୁ ଏହା ୨୫୯୭ ଟଙ୍କା କମ ରହିଛି । ନଭେମ୍ବର ସୁଦ୍ଧା ରାଜସ୍ୱ ଆୟରେ ବି ବୃଦ୍ଧି ଘଟିଛି ବୋଲି ମନ୍ତ୍ରୀ କହିଥିଲେ।