ନୂଆଦିଲ୍ଲୀ, ୩/୭ : ମେଘାଳୟର ରାଜା ରଘୁବଂଶୀ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ରାଜାଙ୍କ ପତ୍ନୀ ସୋନମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ଵସ୍ତି। ପୁଣି ଥରେ ଜେଲ୍ ଯିବେନି ସୋନମ୍। ଜାମିନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ। ଜୁଲାଇ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏବେ ସବୁଠୁ ବଡ଼ ପ୍ରଶ୍ନ ବଳିଷ୍ଠ ପ୍ରମାଣ ଥିବା ସତ୍ତ୍ଵେ କେମିତି ସୋନମଙ୍କ ପ୍ରତି କୋହଳ ହେଲେ ସର୍ବୋଚ୍ଚ ଅଦାଲତ। କାହିଁକି ରଖିଲେ ନରମ ମନୋଭାବ ? ପୁଲିସର ଅବହେଳା ନା ପ୍ରମାଣ ଅଭାବ... କେଉଁ ଗ୍ରାଉଣ୍ଡରୁ ସୋନମଙ୍କୁ ମିଳିଲା ଆଶ୍ଵସ୍ତି ? ଜାଣନ୍ତୁ...
ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ୨୦୨୫ ମେ ୧୧ରେ ସୋନମଙ୍କୁ ବିବାହ କରିଥିଲେ। ଦୁହେଁ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ସେଠାରେ ଚେରାପୁଞ୍ଜିରେ ରାଜା ନିଖୋଜ ହୋଇଗଲେ। ପରେ ଏକ ଗଭୀର ଖାଇରୁ ତାଙ୍କର ଶବ ଉଦ୍ଧାର ହେଲା। ଏହି ଘଟଣାରେ ତଦନ୍ତ କରି ପୁଲିସ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହା ଓ ଅନ୍ୟ ଜଣେ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କଲା। ୨୦୨୫ ଜୁନରେ ସୋନମଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରାଗଲା।
ତେବେ ସୋନମଙ୍କୁ ଗିରଫ କରିବା ସମୟରେ ପୁଲିସ ଆରେଷ୍ଟ ମେମୋରେ କିଛି ତ୍ରୁଟି କରିଥିଲା। ଯାହାକୁ ଆଧାର କରି ସୋନମଙ୍କୁ ଜାମିନ ମିଳିଗଲା। ପୁଲିସ ଗିରଫଦାରି ମେମୋ ଏବଂ କେସ ଡାଏରୀରେ ହତ୍ୟା ପାଇଁ ଲାଗୁଥିବା ବିଏନଏସ ଧାରା ୧୦୩ ବଦଳରେ ଧାରା ୪୦୩ ଲେଖିଥିଲା। ତେବେ ବିଏନଏସରେ ଏମିତି କୌଣସି ଧାରା ନାହିଁ। ପୂର୍ବ ପ୍ରଚଳିତ ଆଇପିସି ଧାରା ୪୦୩ ଥିଲା। ଏହା ସମ୍ପତ୍ତି ଆତ୍ମସାତ ସହିତ ଜଡିତ ଥିଲା। ଏହା ବ୍ୟତୀତ, ପୁଲିସ ସେମାନଙ୍କ କାଗଜପତ୍ରରେ ସୋନମଙ୍କୁ "ସେନା ପଳାତକ" ବୋଲି ମଧ୍ୟ ଲେଖିଥିଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶ
୨୦୨୬ ଏପ୍ରିଲ ୨୮ରେ ତଳ ଅଦାଲତ ସୋନମଙ୍କୁ ନିସର୍ତ୍ତ ଜାମିନ ଦେଇଥିଲେ। କୋର୍ଟ କହିଥିଲେ ଯେ, ଅଭିଯୁକ୍ତଙ୍କୁ ଗିରଫର ଉଚିତ୍ କାରଣ ନକହିବା ସମ୍ଵିଧାନର ଅନୁଚ୍ଛେଦ ୨୨(୧)ର ଉଲ୍ଲଙ୍ଘନ। ତେବେ ରାଜ୍ୟ ସରକାର ଏହାକୁ ଟେକ୍ନିକାଲ ତ୍ରୁଟି କହି ହାଇକୋର୍ଟରେ ଅପିଲ କରିଥିଲେ, ହେଲେ ଜୁନ ୨୯ରେ ହାଇକୋର୍ଟ ପୁଲିସର ଅପିଲ ଖାରଜ କରି ଦେଇଥିଲେ।
ସୁପ୍ରିମକୋର୍ଟରେ କଣ ହେଲା ?
ଜଷ୍ଟିସ୍ ଏମ ଏମ ସୁନ୍ଦରେଶ ଏବଂ ଜଷ୍ଟିସ୍ ଶିଲ ନାଗୁଙ୍କ ବେଞ୍ଚ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ପ୍ରଥମେ ରାଜି ହୋଇଥିଲେ। ଆରେଷ୍ଟ ମେମୋରେ ଭୁଲ୍ ଧାରା ଲେଖିବା ଏତେ ବଡ଼ ଭୁଲ୍ ନୁହେଁ ବୋଲି କହିଥିଲେ। ହେଲେ ସେତେବେଳେ ସେମାନେ ଜାଣିଲେ ଯେ ସୋନମ ଏବେ ଜେଲରୁ ବାହାରେ ଅଛନ୍ତି ଏବଂ ଶିଲଙ୍ଗରେ ରହୁଛନ୍ତି କୋର୍ଟ ଜାମିନ ରଦ୍ଦ କରିବାକୁ ମନା କରିଦେଲେ। ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ତାଙ୍କର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ବାତିଲ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୋର୍ଟ ମାମଲା ପ୍ରକ୍ରିୟାର ଗତି ସମୀକ୍ଷା କରିବେ ବୋଲି କହିଛନ୍ତି। ବିଚାରପତିମାନେ ମାମଲାରେ ବିଳମ୍ବ ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ମାମଲାରେ ମୋଟ ୯୪ ଜଣ ସାକ୍ଷୀ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଚାରି ଜଣଙ୍କୁ ଜେରା କରାଯାଇଛି।
ଆହୁରି ପଢନ୍ତୁ- Himachal Pradesh Landslide: ହିମାଚଳରେ ପ୍ରକୃତିର ତାଣ୍ଡବ; ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୯ ମୃତ, ୪୯ରୁ ଅଧିକ ରାସ୍ତା ବନ୍ଦ
୬୦ ବର୍ଷୀୟ ବଡି ବିଲ୍ଡର ରବି ଦାସଙ୍କ ସଫଳ କାହାଣୀ : ୬୦ ବର୍ଷ ବୟସରେ ବି ସୁପର ଫିଟ୍