ନୂଆଦିଲ୍ଲୀ,୨୧/୩ : ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜନର ଅପେକ୍ଷା ଶେଷ ହେବାକୁ ଅଛି । ଯାହାର ଆରମ୍ଭ ୨୮ମାର୍ଚ୍ଚରୁ ହେବ । ପ୍ରଥମ ମ୍ୟାଚ୍ ଗତଥରର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ଆଇପିଏଲର ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ ଚର୍ଚ୍ଚାରେ ଆସିଯାଇଛି । କାରଣ ବିସିସିଆଇ ନୂଆ ସିରିଜର ସିଡ୍ୟୁଲ ଜାରି କରି ଦେଇଛି । ଟିମ୍ ଇଣ୍ଡିଆକୁ ଆୟାରଲ୍ୟାଣ୍ଡ ସହ ୨ମ୍ୟାଚର ଟି-୨୦ ସିରିଜ ଖେଳିବାକୁ ଅଛି । ଆଇପିଏଲ୍ ପରେ ଟିମ୍ ଇଣ୍ଡିଆ ଲଗାତର ଭାବେ ଆକ୍ସନରେ ଦେଖାଯିବ । କାରଣ ତାକୁ ଆଫଗାନିସ୍ତାନ, ଏହାପରେ ଆୟାରଲ୍ୟାଣ୍ଡ ଏବଂ ପରେ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବାକୁ ହେବ ।
ଏହା ୩ବର୍ଷ ପରେ ହେବ ଯେତେବେଳେ ଟିମ୍ ଇଣ୍ଡିଆ ଆୟାରଲ୍ୟାଣ୍ଡ ଗସ୍ତରେ ଯିବ। ଏହା ପୂର୍ବରୁ ଭାରତୀୟ ଟିମ୍ ୨୦୧୮, ୨୦୨୨ ଏବଂ ୨୦୨୩ରେ ଆୟାରଲ୍ୟାଣ୍ଡ ଟୁରରେ ଯାଇସାରିଛି । ୨ ଟି-୨୦ ମ୍ୟାଚ ସିରିଜର ଆରମ୍ଭ ୨୬ଜୁନରୁ ହେବ ଏବଂ ଦ୍ବିତୀୟ ଟି-୨୦ ମ୍ୟାଚ୍ ୨୮ଜୁନରେ ହେବ । ଏହି ଦୁଇ ମ୍ୟାଚ୍ ବେଲଫାଷ୍ଟରେ ଖେଳାଯିବ । ରୋହିତ ଶର୍ମା ଏବଂ ବିରାଟ କୋହଲୀ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏଥିଲାଗି ସେ ଆୟାରଲ୍ୟାଣ୍ଡ ବିପକ୍ଷ ସିରିଜରେ ଖେଳିବେ ନାହିଁ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମର ଆଫଗାନିସ୍ତାନ ସହ ଏକ ଟେଷ୍ଟ ଏବଂ ତିନି ଓ୍ବାନଡେ ମ୍ୟାଚର ସିରିଜ ଖେଳିବାରେ ଅଛି । ଏହି ୩ ଓ୍ବାନଡେ ମ୍ୟାଚରେ ରୋହିତ ଏବଂ ବିରାଟ କୋହଲୀ ଖେଳୁଥିବା ଦେଖାଯାଇପାରନ୍ତି । ଭାରତ ବନାମ ଆଫଗାନିସ୍ତାନ ସିରିଜ ୬ଜୁନ-୨୦ଜୁନ ପର୍ଯ୍ୟନ୍ତ ଚାଲିବ ।
ସେହିଭଳି ଆୟରଲ୍ୟାଣ୍ଡ ସିରିଜ ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ପଳାଇଯିବ । ଇଂଲଣ୍ଡ ଟୁର୍ ପରେ ଟିମ୍ ଇଣ୍ଡିଆ ୫ ଟି-୨୦ ଏବଂ ୩ ଓ୍ବାନଡେ ମ୍ୟାଚ୍ ଖେଳିବ । ଟିମ୍ ଇଣ୍ଡିଆର ଇଂଲଣ୍ଡ ଟୁର୍ ୧ଜୁଲାଇ-୧୯ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହାର ମାନେ ଆଇପିଏଲ୍ ୨୦୨୬ ଶେଷ ହେବା ପରେ ଭାରତୀୟ କ୍ରିକେଟ ଟିମ୍ ବହୁ ବ୍ୟସ୍ତ ରହିବ । ଆଗାମୀ ୩ ସିରିଜରେ ବିରାଟ ଏବଂ ରୋହିତ ୬ ଓ୍ବାନଡେ ମ୍ୟାଚରେ ଖେଳୁଥିବା ଦେଖାଯିବେ ।