ନୂଆଦିଲ୍ଳୀ,୨୫।୪: ଆମେରିକା ସହିତ ପାକିସ୍ତାନରେ ଦ୍ବିତୀୟ ପର୍ଯ୍ୟାୟ ବାର୍ତ୍ତାର ଆଶା କାରଣରୁ ଇରାନ ପୁଣିଥରେ କମର୍ସିଆଲ ଉଡାଣ ଆରମ୍ଭ କରିଛି। ତେହରାନର ଇମାନ ଖୁମେନି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଶନିବାର ପ୍ରାୟ ଦୁଇ ମାସ ବ୍ୟବଧାନ ପରେ କମର୍ସିଆଲ ଉଡାଣ ସେବା ଆରମ୍ଭ ହୋଇଛି। ଆମେରିକା ଓ ଇସ୍ରାଏଲ ସହିତ ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପରେ ଉଡାଣ ବନ୍ଦ ଥିଲା।

ଇରାନର ସରକାରୀ ଟେଲିଭିନ୍ ଅନୁସାରେ, ଏୟାରପୋର୍ଟରୁ ତୁର୍କୀର ଇସ୍ତାନବୁଲ,ଓମାନର ରାଜଧାନୀ ମସ୍କଟ ଓ ସାଉଦି ଆରବର ମଦିନା ପାଇଁ ଉଡାଣ ପରିଚାଳନା କରାଯାଉଛି। ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ପ୍ଲାଇଟ ରାଡାର ୨୪ ଅନୁସାରେ, ଶନିବାର ସକାଳେ ଇସ୍ତାନବୁଲ ଯାଉଥିବା ଅତି କମ୍‌ରେ ୩ଟି ବିମାନ ଯାତ୍ରା କରିଛି।ଚଳିତ ମାସ ଆରମ୍ଭରୁ ଆମେରିକା ସହିତ ଅସ୍ତ୍ର ବିରତି ଲାଗୁ ହେବାପରେ ଇରାନ ନିଜର ଏୟାରସ୍ପେସ୍କୁ ଆଂଶିକ ଭାବରେ ପୁଣିଥରେ ଖୋଲିଥିଲା। ଆମେରିକା ଓ ଇରାନ ଭିତରେ ଦ୍ବିତୀୟ ପର୍ଯ୍ୟାୟ ଗସ୍ତର ଆଲୋଚନା ପାଇଁ ପାକିସ୍ତାନର ଇସଲାମାବାଦରେ ମଞ୍ଚ ତିଆରି ହୋଇ ରହିଛି। ଏବେ କେବଳ ଦୁଇ ଦେଶର ପ୍ରତିନିଧିଙ୍କ ଆସିବା ବାକି ରହିଛି, କିନ୍ତୁ ଏହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ୍ ଆରାଘାଚି ଶୁକ୍ରବାର ବିଳମ୍ବିତ ରାତିରେ ଇସଲାମାବାଦ ପହଁଞ୍ଚିଥିଲେ, ପାକିସ୍ତାନ ସେନାର ମୁଖ୍ୟ ଫିଲ୍ଡ ମାର୍ଶଲ ସୈୟେଦ ଆସିମ ମୁନୀର, ବୈଦେଶିକ ମନ୍ତ୍ରୀ ଇସହାକ ଡାର ଓ ଗୃହମନ୍ତ୍ରୀ ମୋହସିନ୍ ନକଭି ସହିତ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ହ୍ୱାଇଟ୍ ହାଉସ୍ ନିକଟରେ ଘୋଷଣା କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଜଣ ସ୍ୱତନ୍ତ୍ର ଦୂତ ପାକିସ୍ତାନ ଯାତ୍ରା କରିବେ, ଯେତେବେଳେ କି ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଲୋଚନାକୁ ନିକଟରୁ ନିରୀକ୍ଷଣ କରିବା ପାଇଁ ଆମେରିକାରେ ରହିବେ।