ନୂଆଦିଲ୍ଲୀ,୦୪/୧୧: କଂଗ୍ରେସ ସାଂସଦ ଶଶି ଥରୁର  ଦେଶରେ ବଂଶବାଦୀ ରାଜନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଭାରତର ରାଜନୀତି ‘ପାରିବାରିକ ବ୍ୟବସାୟ’ରେ ପରିଣତ ହୋଇଛି। ଥରୁର ‘ଇଣ୍ଡିଆନ ପଲିଟିକ୍ସ ଆର ଏ ଫ୍ୟାମିଲି ବିଜନେସ୍’ ଶୀର୍ଷକ ଏକ ଆର୍ଟିକ୍ଲ ଲେଖିଛନ୍ତି। ଯେଉଁଥିରେ ସେ ଗାନ୍ଧି-ନେହେରୁ ପରିବାରଙ୍କ ଉଲ୍ଲେଖ କରିଛନ୍ତି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ ବସପା ସୁପ୍ରିମୋ ମାୟାବତୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଯେତେବେଳେ ସିଧାସଳଖ ଉତ୍ତରାଧିକାରୀ ନ ମିଳିଲେ ଏହି ନେତାମାନେ ସେମାନଙ୍କ ପୁତୁରାଙ୍କୁ ଉତ୍ତରାଧିକାରୀ କରିଦେଇଛନ୍ତି।

ଥରୁର ଆହୁରି ବି କହିଛନ୍ତି ଯେ, ବଂଶବାଦ ରାଜନୀତି ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଛି ଓ ନେତୃତ୍ୱ କାହାରିବି ଜନ୍ମସିଦ୍ଧ ଅଧିକାର ହୋଇପାରେ। ରାଜନୀତି ପରିବାରର ଲୋକେ ନେତୃତ୍ୱ ନେବାକୁ ଯୋଗ୍ୟ ଏହା ଲୋକଙ୍କ ବିଶ୍ୱାସ ପାଲଟିଯାଇଛି। ଏଣୁ ପଞ୍ଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପରିବାରବାଦ ଅନୁପ୍ରବେଶ କରିଛି। ଯଦି ନିର୍ବାଚିତ ପଦକୁ ଖାନଦାନୀ ଉତ୍ତରାଧିକାର ମାନି ନିଆଯାଏ ତେବେ ଶାସନ ଉପରେ ଖରାପ ପ୍ରଭାବ ପଡିଥାଏ। ସେହିପରି ଥରୁର କଂଗ୍ରେସର ରାଜନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଦୀର୍ଘ ଦଶନ୍ଧି ଧରି ଗୋଟିଏ ପରିବାର ଭାରତୀୟ ରାଜନୀତି ଉପରେ ପ୍ରଭୁତ୍ୱ ବିସ୍ତାର କରି ରଖିଛି। ନେହେରୁ-ଗାନ୍ଧି ପରିବାର ଯେଉଁଥିରେ ଜାବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ୱାଡ୍ରା ଆଦି ସାମିଲ ଅଛନ୍ତି। ଏମାନଙ୍କ ସମ୍ପର୍କ ସ୍ୱାଧୀନତା ଆନ୍ଦୋଳନ ସହ ନିଶ୍ଚିତ ଥିଲା, ହେଲେ ଏଥିରୁ ଏହି ଧାରଣା ହୋଇଛି ଯେ ରାଜନୈତିକ ନେତୃତ୍ୱ ଜନ୍ମରୁ ନିର୍ଦ୍ଧାରିତ।ମମତା ବାନାର୍ଜୀ ଓ କୁମାରୀ ମାୟାବତୀଙ୍କ ଭଳି ମହିଳା ନେତାମାନେ ମଧ୍ୟ ଯେଉଁମାନଙ୍କ ସିଧାଶଳଖ ଉତ୍ତରାଧିକାରୀ ନାହାନ୍ତି ସେମାନେ ନିଜନିଜ ପୁରୁରାମାନଙ୍କୁ ଉତ୍ତରାଧିକାରୀ ଭାବେ ଆଗକୁ ବଢାଉଛନ୍ତି ବୋଲି ସେ କହିଛନ୍ତି ।