ନୂଆଦିଲ୍ଲୀ ୨୨/୧୨: ପ୍ରତିଭାବାନ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏକ ଚାଇନିଜ୍ କମ୍ପାନି ଫ୍ଲାଟ୍ ଉପହାର ଦେଇଛି । ଯେଉଁମାନେ ସେହି କମ୍ପାନି ସହ ୫ ବର୍ଷ ହେଲା ରହିଛନ୍ତି ଏବଂ କାମରେ ଉତ୍କର୍ଷତା ଦେଖାଇଛନ୍ତି କମ୍ପାନି ସେମାନଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ଫ୍ଲାଟ୍ ବଣ୍ଟନ କରିଛି । ଦକ୍ଷ କର୍ମଚାରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଜେଝିଆଙ୍ଗ କୁଓଶେଙ୍ଗ୍ ଅଟୋମୋବାଇଲ କୋ. ଲିମିଟେଡ୍ ନାମକ କମ୍ପାନି ଏହି ଅଭିନବ ପଦକ୍ଷେପ ନେଇଛି ।
କମ୍ପାନି ଏହାର କ୍ୟାମ୍ପସ ନିକଟବର୍ତ୍ତୀ ଅଞ୍ଚଳରେ ୧୮ଟି ଫ୍ଲାଟ୍ କିଣିଛି । ଏ ସବୁକୁ ପ୍ରତିଭାବାନ କର୍ମଚାରୀଙ୍କୁ ଉପହାର ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ, କୁଓଶେଙ୍ଗ୍ ଅଟୋମୋବାଇଲ କୋ. ଲିମିଟେଡ୍ ୨ ବର୍ଷ ତଳୁ ଏହି ଫ୍ଲାଟ୍ ସବୁକୁ କିଣିଛି । ଏଥିପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ନିକଟରେ କମ୍ପାନି ତରଫରୁ କରାଯାଇଥିବା ଏକ ଜବ୍ ପୋଷ୍ଟିଂରୁ ଜଣାପଡ଼ିଥିଲା ଯେ, ସଂସ୍ଥା ସହ ୫ ବର୍ଷ ଜଡ଼ିତ ରହି କାମରେ ଉନ୍ନତ ପ୍ରଦର୍ଶନ କରିଥିବା କର୍ମଚାରୀ ମାଗଣାରେ ଏକ ଫ୍ଲାଟ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କମ୍ପାନିରେ ମୋଟ ୪୫୦ କର୍ମଚାରୀ ଅଛନ୍ତି । ଅଦ୍ୟାବଧି ୫ କର୍ମଚାରୀଙ୍କୁ ଫ୍ଲାଟ୍ ଦିଆଯାଇସାରିଛି । ଏଥିରେ ଏକ ସର୍ତ୍ତ ମଧ୍ୟ ରଖାଯାଇଛି । ଯେଉଁମାନେ ଫ୍ଲାଟ୍ ଉପହାର ଭାବେ ଗ୍ରହଣ କରିବେ ସେମାନେ ଆଉ ୫ ବର୍ଷ କମ୍ପାନିରେ କାର୍ଯ୍ୟ କରିବାକୁ ଚୁକ୍ତି କରିବେ ।
ଜେଝିଆଙ୍ଗ କୁଓଶେଙ୍ଗ୍ ଅଟୋମୋବାଇଲ କୋ. ଲିମିଟେଡର ଜେନେରାଲ ମ୍ୟାନେଜର ୱାଙ୍ଗ୍ ଜିଆୟୁଆନ୍ କହିଛନ୍ତି, ଦକ୍ଷ କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୫ ଫ୍ଲାଟ୍ ଉପହାର ଦିଆଯାଇସାରିଛି । ଆସନ୍ତା ବର୍ଷ ଆଉ ୮ ଫ୍ଲାଟ୍ ଗିଫ୍ଟ ଆକାରରେ ଦିଆଯିବ । ୩ ବର୍ଷରେ ମୋଟ ୧୮ଟି ଫ୍ଲାଟ ଦିଆଯିବାକୁ ଯୋଜନା ରହିଛି । କମ୍ପାନିର କୋର୍ ମ୍ୟାନେଜମେଣ୍ଟ ଟିମରେ ପ୍ରତିଭା ସମ୍ପନ୍ନ କର୍ମଚାରୀଙ୍କୁ ସାମିଲ କରିବା ଆମର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।