କଣାସ , ୧୯/୧୦(ସ୍ଵପ୍ର): ଶେଷରେ ଧରାହେଲା କୁମ୍ଭୀର   । ପ୍ରାୟ ୨୦ ଦିନ   ନଦୀରେ ବୁଲି ଲୋକମାନଙ୍କ ମନରେ ଛନକା ସୃଷ୍ଟି କରିଥିବା କୁମ୍ଭୀରକୁ  ସ୍ଥାନୀୟ ମତ୍ସ୍ୟଜୀବୀ କାବୁ  କରିଛନ୍ତି । ଜଙ୍କିଆ ବଜାର ସ୍ଥିତ ଦୟାନଦୀ ସେତୁ ଧାରରୁ   ତିନି ଘଣ୍ଟାର ପରିଶ୍ରମ  କରି ପାଣି ଉପରକୁ କୁମ୍ଭୀରକୁ ଉଠାଇ ଆଣିଥିଲେ ମତ୍ସ୍ୟଜୀବୀ । 

 କୁମ୍ଭୀରଟି ସକାଳେ ଜଂକିଆ ସେତୁ ନିକଟରେ  ନଦୀରେ ବୁଲୁଥିଲା। ନଦୀରେ ପଡ଼ିଥିବା ମାଛ ଜାଲକୁ ମଧ୍ୟ ଖାତିର କରୁନଥିଲା । ପାଣିରେ ବୁଡ଼ି ଖଣ୍ଡେ ଦୂରରେ ପୁଣି ଉଠୁଥିଲା । ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ କିଛି ଯୁବକ    କୁମ୍ଭୀରକୁ କାବୁ କରିବା ପାଇଁ ଅଣ୍ଟା ଭିଡିଥିଲେ । କାରଣ ମତ୍ସ୍ୟଜୀବୀମାନେ  ମାଛ ଧରିବା ,  ସ୍ନାନ ଶୌଚ ହେବାରେ ଆସୁବିଧା ଭୋଗୁଥିଲେ । ଜୀବନ ଜୀବିକା ବାଧା ପ୍ରାପ୍ତ ହେବାରୁ  ଏବଂ କୁମ୍ଭୀରକୁ ଧରିବାରେ ବନ୍ୟପ୍ରାଣୀ ବିଭାଗ ଆନ୍ତରିକତା ଦେଖାଉନଥିବା ରୁ ସେମାନେ ସାହସ ବାନ୍ଧି ନଦୀରେ ପଶିଥିଲେ । ସତର୍କତାର ସହ ଜାଲ ଘେରା କରିଥିଲେ । ସେତୁ ନିକଟରେ ଅଳ୍ପ ପାଣି ଓ ଉଚ୍ଚ ପିଣ୍ଡି ଥିବାରୁ  ସେ ତଳକୁ ଖସି ଯାଇ ପାରି ନ ଥିଲା । ଜାଲରେ  କୁମ୍ଭୀର ଗୁଡେ଼ଇ ହେଇ ବଳଶୂନ୍ୟ ହୋଇପଡ଼ିଥିଲା । ଅଧିକ ଜନଗହଳି ଓ କୁମ୍ଭୀରର ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଡଙ୍ଗାରେ କିଛି ଦୂର ନେଇ ମକର ସାହି ନିକଟରେ ଉପରକୁ ନେଇଥିଲେ । 

ଖବର ପାଇ ନନ୍ଦନ କାନନ ୱାଇଲ୍ଡ ଆନିମଲ୍ ରେଷ୍କ୍ୟୁ ଟିମ୍  ପହଞ୍ଚି ଗହଳି ଭାଙ୍ଗିବା ଓ କୁମ୍ଭୀରକୁ ଭୟଭୀତ କି ବିରକ୍ତ ନକରିବା ପାଇଁ ନିବେଦନ କରୁଥିଲେ । କାଳେ କୁମ୍ଭୀର ପ୍ରତିକ୍ରିୟା ଶିଳ ହେବ ସେଥିପାଇଁ ତା ଆଖିରେ କପଡ଼ା ଘୋଡାଇ ଦେଇଥିଲେ । କୁମ୍ଭୀରକୁ ଦେଖିବାକୁ  ଲୋକ ଭିଡ଼ ଜମିଥିଲେ । କଣାସ ପୁଲିସ ମଧ୍ୟ  ଉକ୍ତ ସ୍ଥାନକୁ ଯାଇ  ଗହଳି କମାଇବାକୁ ଚେଷ୍ଟା କରିଥିଲା । ହେଲେ କୁମ୍ଭୀର ଦେଖିବା ନିଶାରେ କେହି ପୁଲିସ କଥା ଶୁଣି ନଥିଲେ । କୁମ୍ଭୀରର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏକ ଡାଲା ଅଟୋ ( ଟାଟା ଏସି)ରେ ଲୋଡ କରି ନେଇ ଆସିଥିଲେ । କୁମ୍ଭୀରକୁ ନେଇ  ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ପରିସରରେ କିଛି ସମୟ ପାଇଁ ରଖା ଯାଇଥିଲା । ବନ୍ୟା ପ୍ରାଣୀ ବିଭାଗ,  କଣାସ ପୁଲିସ ଓ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ସେଠାରେ ପହଞ୍ଚି ଆଲୋଚନା କରିଥିଲେ । ରେଷ୍କ୍ୟୁ ଗାଡ଼ି ମଧ୍ୟ ଆସି ପହଞ୍ଚି ଥିଲା । ରେସ୍କ୍ୟୁ ବକ୍ସରେ ନେବକୁ ପ୍ରସ୍ତୁତ ହେଉଥିବା ବେଳେ କୁମ୍ଭୀରଟି ତଳକୁ ଡେଇଁ ପଡ଼ିଥିଲା । ତାକୁ ରେସ୍କ୍ୟୁ ଟିମ୍ ର ସଦସ୍ୟ ମାନେ ମାଡିବସି ବକ୍ସ ରେ ପ୍ୟାକିଂ କରି ନନ୍ଦନ କାନନ ନେଇ ଯାଇଥିଲେ  ।                    

ନିଜ ଜୀବନ ଜୀବିକା  ଉପରେ ପ୍ରତିବନ୍ଧକ ସାଜିଥିବା ଏବଂ ନଦୀରେ ଚଳପ୍ରଚଳ କରିବା  ଭୟ ଥିବାରୁ ଆମ୍ଭେମାନେ କୁମ୍ଭୀରକୁ ଧରିଲି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। କୁମ୍ଭୀର ଧରିବାରେଦୁଇ ତିନୋଟି ଡଙ୍ଗା ଓ ୨୦ ଜଣ ଲୋକ ଲାଗିଥିଲେ ।ଜାଲ ଚିରି ଯିବା ସହ ଆମ୍ଭର ଲକ୍ଷାଧିକ ଟଙ୍କାର ଜିନିଷ କ୍ଷତି ହୋଇଛି। ଆମ୍ଭକୁ କ୍ଷତିପୂରଣ ସହ କୁମ୍ଭୀର ଧରିଥିବାରୁ ଅର୍ଥି ପ୍ରୋତ୍ସାହନ ଦେବା ପାଇଁ ଦାବି କରିଥିଲେ । ତେବେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  ରେସ୍କ୍ୟୁ ଟିମ୍ ମେମ୍ବର । ଏ ସମ୍ପର୍କରେ ତହସିଲଦାର ଶ୍ରୀ ପାଣିଗ୍ରାହି କୁହନ୍ତି  ମତ୍ସ୍ୟଜୀବୀମାନେ  ରେଞ୍ଜରଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ଦାବି ସମାଧାନ କରିବେ ବୋଲି ନିଷ୍ପତ୍ତି କରି ସେମାନେ କୁମ୍ଭୀରକୁ ନେଇ ଯାଇଥିଲେ।