ନୂଆଦିଲ୍ଲୀ ୨୫/୧୦: ଇଣ୍ଡୋନେସିଆର ଜାଭାରେ ବାନୟୁୱାଙ୍ଗି ରିଜେନ୍ସି ଓ ବୋଣ୍ଡୋୱସେର ରିଜେନ୍ସି ସୀମାରେ ଏଭଳି ଏକ ଆଗ୍ନେୟଗିରି ରହିଛି, ଯେଉଁଥିରୁ ନୀଳ ଲାଭା ନିର୍ଗତ ହେଉଛି । ଏହା ଏକ ଆଶ୍ଚର୍ଯ୍ୟଚକିତ ପ୍ରାକୃତିକ ଘଟଣା । ନିଜର ୪ଟି ବୈଶିଷ୍ଟ୍ୟ- ନୀଳ ଲାଭା, ନୀଳ ଅଗ୍ନି, ଏସିଡିକ୍‌ କ୍ରାଟର୍‌ ହ୍ରଦ ଓ ସଲ୍‌ଫର ଖନନ ପାଇଁ ଏହା ପରିଚିତ । ନାଁ ‘କାୱା ଇଜେନ ଆଗ୍ନେୟଗିରି’ । ଶେଷ ଥର ୧୯୯୯ ମସିହାରେ ଏହି ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ହୋଇଥିଲା । କିନ୍ତୁ ଏଥିରୁ ନିର୍ଗତ ଲାଭା ଏହାକୁ ସର୍ବଦା ବୈଜ୍ଞାନିକଙ୍କ ଅଧ୍ୟୟନର କେନ୍ଦ୍ର କରି ରଖିଛି । 

କାୱା ଆଗ୍ନେୟଗିରିର କାଲ୍‌ଡେରା ପ୍ରାୟ ୨୦ କିମି ଚଉଡ଼ା । ଏଠାରେ ଅନେକ ପାହାଡ଼ର ସମଷ୍ଟି ରହିଛି । ତନ୍ମଧ୍ୟରେ ଗୁରୁଙ୍ଗ ମେରାପି ଷ୍ଟ୍ରାଟୋଭୋଲ୍‌କାନୋ ସବୁଠୁ ଭୟଙ୍କର । ଏହିଠାରୁ ନୀଳ ରଙ୍ଗର ଅଗ୍ନି ଓ ନୀଳ ଲାଭା ନିର୍ଗତ ହୁଏ । ଗୁରୁଙ୍ଗ ମେରାପିର ଅର୍ଥ ଅଗ୍ନି ପାହାଡ଼ ।ଏଠାରେ ଏକ କ୍ରାଟର୍‌ ଅଛି, ଯାହାର ବ୍ୟାସ ୧ କିମି । ଏହାର ପାଣି ନୀଳ ରଙ୍ଗର, ଯାହା ସମ୍ପୂର୍ଣ୍ଣ ରୂପେ ଏସିଡିକ୍‌ । ଅର୍ଥାତ ଏସିଡ୍‌ ହ୍ରଦ । ଲୋକେ ଏଠାରୁ ସଲ୍‌ଫର ଖନନ କରନ୍ତି । ସଲ୍‌ଫର ଖନନ କରୁଥିବା ଶ୍ରମିକଙ୍କୁ ଦିନକୁ ୧୩ ଡଲାର ବା ୧୦୧୩ ଟଙ୍କା ମିଳେ ।

କାୱା ଇଜେନ୍‌ ଆଗ୍ନେୟଗିରିର ବ୍ୟାସ ୭୨୨ ମିଟର । ଏହି କ୍ରାଟର୍‌ ପ୍ରାୟ ୨୦୦ ମିଟର ଗଭୀର । ଏହାର ସଲ୍‌ଫ୍ୟୁରିକ୍‌ ଏସିଡ୍‌ ମାତ୍ରା ବହୁତ ଅଧିକ । ଏଠାକାର ଏସିଡ୍‌ ହ୍ରଦକୁ ବିଶ୍ୱର ସବୁଠୁ ବଡ଼ ଏସିଡିକ୍‌ କ୍ରାଟର୍‌ ହ୍ରଦ ବୋଲି କୁହାଯାଏ । ଏହିଠାରୁ ଧାତୁସମ୍ପନ୍ନ ଏକ ନଦୀ ମଧ୍ୟ ପ୍ରବାହିତ ହେଉଛି । ନ୍ୟାସନାଲ୍‌ ଜିଓଗ୍ରାଫିକ୍‌ ଏହି କ୍ରାଟର୍‌ ବିଷୟରେ ଖବର ପ୍ରସାର କରିବା ପରଠୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନୀଳ ରଙ୍ଗର ଲାଭା ନିର୍ଗମନ ବା ପ୍ରବାହ ଦେଖିବାକୁ ରାତିରେ ଲୋକେ ମାଉଣ୍ଟେନ୍‌ ହାଇକିଙ୍ଗ ପାଇଁ ଏଠାକୁ ଆସୁଛନ୍ତି । ଦୁଇ ଘଣ୍ଟାର ଟ୍ରେକିଙ୍ଗ୍‌ ପରେ ଲୋକେ ଆଗ୍ନେୟଗିରିର କ୍ରାଟର୍‌ ରିମ୍‌ ପର୍ଯ୍ୟନ୍ତ ପହଞ୍ଚନ୍ତି । ଏହା ପରେ ୪୫ ମିନିଟ୍‌ର ଟ୍ରେକିଙ୍ଗ୍‌ ପରେ ତଳେ ଥିବା ଏସିଡ୍‌ ହ୍ରଦ ପାଖରେ ପହଞ୍ଚିଥାନ୍ତି ।  

ଏଠାକୁ ଆସୁଥିବା ଲୋକେ କେମିକାଲ୍‌ ମାସ୍କ ବ୍ୟବହାର କରନ୍ତି । ଅନ୍ୟଥା ସଲ୍‌ଫର ଗନ୍ଧରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଥାଏ । ସଲ୍‌ଫ୍ୟୁରିକ୍‌ ଗ୍ୟାସ୍‌ ନିର୍ଗତ ହେଉଥିବାରୁ ଆଗ୍ନେୟଗିରିରୁ ନିର୍ଗତ ଅଗ୍ନି ନୀଳ ଦେଖାଯାଏ । କ୍ରାଟର୍‌ର ତାପମାତ୍ରା ୬୦୦ ଡିଗ୍ରୀ ସେଲ୍‌ସିୟସ୍‌ । ଏଥିରୁ ନିର୍ଗତ ଅଗ୍ନି ୧୬ ଫୁଟ ଉଚ୍ଚକୁ ଉଠିଥାଏ । ବିଶ୍ୱର ଏହି ଅନନ୍ୟ ଆଗ୍ନେୟଗିରିକୁ ସ୍ଥାନୀୟ ଲୋକେ ଅପି ବୀରୁ ଅର୍ଥାତ୍‌ ନୀଳ ଅଗ୍ନି ନାମରେ ସମ୍ବୋଧନ କରନ୍ତି । ଏସିଡ୍‌ ହ୍ରଦ ନିକଟରେ ମାଟି ତଳକୁ ଯାଉଥିବା ଏକ ରାସ୍ତା ଅଛି, ଯେଉଁଠାରୁ ସଲ୍‌ଫର ବାହାରକୁ ଆସେ । ବାହାରକୁ ଆସିଲେ ତାହା ଲାଲ୍‌ ରଙ୍ଗ ଦିଶେ । ଥଣ୍ଡା ହେବା ପରେ ହଳଦିଆ ରଙ୍ଗ ଦେଖାଯାଏ ଏବଂ ପଥର ରୂପେ ଜମିଯାଏ । ତା’ପରେ ଶ୍ରମିକମାନେ ଏହାକୁ ଭାଙ୍ଗି ତଳେ ଥିବା ଘାଟିକୁ ନେଇଥାନ୍ତି ।