ନୂଆଦିଲ୍ଲୀ,୨୨/୦୫: ଭୁଷୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କ୍‌ଗୁଡ଼ିକରୁ ୪.୯ ବିଲିୟନ  ଡଲାର(ପାଖାପାଖି ୪୧,୦୦୦ କୋଟି ଟଙ୍କା)ର ଋଣ ନେବାକୁ ଯୋଜନା କରୁଛି । ଚଳିତ ମାସ  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରୁ ୧  ବିଲିୟନ ଡଲାର(୧୨,୦୦୦ କୋଟି ଟଙ୍କା)ର  ଋଣ ମଞ୍ଜୁର ବାଦ୍‌ ଏହି ଋଣ ନେବାକୁ ଯୋଜନା  କରିଛି ପାକ୍‌ । 

ଏହି ଋଣ ରାଶିର ବ୍ୟବହାର ବିତ୍ତୀୟ ଆବଶ୍ୟକତାକୁ ପୂରଣ କରିବା ଏବଂ ବିଦେଶୀ  ମୁଦ୍ରା ଭଣ୍ଡାରକୁ ବଢ଼ାଇବା ପାଇଁ ନିଆଯିବ । ଋଣ ପାଇଁ ପାକିସ୍ତାନ ୪ ବଡ଼ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କଗୁଡ଼ିକ  ସହ ଆଲୋଚନ କରୁଛି । ପାକିସ୍ତାନ ଚୀନ୍‌ର ଆଇସିବିସି ବ୍ୟାଙ୍କ୍‌ରୁ ୧.୧  ବିଲିୟନ ଡଲାର ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ଏବଂ  ଦୁବାଇ ଇସ୍‌ଲାମିକ୍‌ ବ୍ୟାଙ୍କରୁ ୫୦ କୋଟି ଡଲାର  ଲେଖାଏଁ ଋଣ ପାଇଁ କଥାବାର୍ତ୍ତା କରୁଛି । 

ଏହାସହିତ ଏସିଆନ୍‌ ଡେଭଲପ୍‌ମେଣ୍ଟ  ବ୍ୟାଙ୍କ(ଏଡିବି)ରୁ ବି ୫୦ କୋଟି ଡଲାର ପାଇଁ  ଗ୍ୟାରେଣ୍ଟି ମାଗୁଛି ପାକିସ୍ତାନ । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପାକ୍‌ ଏହାର ଆର୍ଥିକ ବିକାଶ  ଲକ୍ଷ ୩.୬% ରଖିଥିଲା । କିନ୍ତୁ ବିକାଶ ହାର  ୨.୬୮% ହିଁ ରହିପାରିଛି ।  

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ,  ସେଠାକାର ସରକାର ୨.୬୪ ବିଲିୟନ  ଡଲାର(୨୨,୦୦୦ କୋଟି ଟଙ୍କା)ର ସ୍ୱଳ୍ପମିଆଦୀ  ଋଣ ନେବେ, ଯାହା ଉପରେ ୭ରୁ୮% ସୁଧ  ଦେବାକୁ ପଡ଼ିବ । ଏହାବ୍ୟତୀତ ସରକାର ୨.୨୭  ବିଲିୟନ ଡଲାର(୧୮,୯୦୦ କୋଟି ଟଙ୍କା)ର ଦୀର୍ଘମିଆଦୀ ଋଣ ନେବାକୁ ଯୋଜନା କରିଛି । 

 ଏହାପୂର୍ବରୁ ଆଇଏମ୍‌ଏଫ୍‌ ପହଲ୍‌ଗାମ  ଆତଙ୍କବାଦ ହମ୍‌ଲା ପରେ ଭାରତ-ପାକିସ୍ତାନ  ମଧ୍ୟରେ ବଢ଼ିଥିବା ବିବାଦକୁ ବେଲ୍‌ଆଉଟ୍‌  ପ୍ରୋଗ୍ରାମ ପାଇଁ ବିପଦ ବୋଲି ଦର୍ଶାଇଥିଲା । ଏହାସହିତ ପରବର୍ତ୍ତୀ କିସ୍ତି ଋଣ ରାଶି ଜାରି  କରିବା ପାଇଁ ପାକିସ୍ତାନ ଉପରେ ୧୧ ନୂଆ ସର୍ତ୍ତ  ଲଗାଇଥିଲା । ଏବେ ଋଣ ପାଇଁ ପାକିସ୍ତାନ ଉପରେ  ମୋଟ ସର୍ତ୍ତ ୫୦ରେ ପହଞ୍ଚିଛି ।  

ବେଲ୍‌ଆଉଟ୍‌ ପ୍ରୋଗ୍ରାମର ପ୍ରଥମ ସମୀକ୍ଷା  ବୈଠକରେ ଆଇଏମ୍‌ଏଫ୍‌ କହିଥିଲା ଯେ, ଯଦି  ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼େ ତେବେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍‌ ଋଣ  କ୍ଷେତ୍ରରେ ଚାପ ପାଲଟିପାରେ । ଋଣ ରାଶିକୁ  ଏହି ଦେଶ ଦୁରୂପଯୋଗ କରିପାରେ ବୋଲି ଆଇଏମ୍‌ଏଫ୍‌ ଆଶଙ୍କା କରୁଛି । ଋଣ ଟଙ୍କାରେ  ପାକିସ୍ତାନ ଏହାର ପ୍ରତିରକ୍ଷା ବଜେଟ୍‌ ବଢ଼ାଇବାକୁ  ଚାହେଁ ।