ନୂଆଦିଲ୍ଲୀ ୨୩/୧୧:  ଦିବଂଗତ ବ୍ରିଟେନ ରାଜକୁମାରୀ ଡାଏନାଙ୍କ କଳା ଇଭନିଙ୍ଗ୍‌ ଗାଉନ୍‌ ଏକ ଚିରସ୍ମରଣୀୟ ସ୍ମୃତି, ଯାହା କେବଳ ଏକ ଫ୍ୟାଶନ୍‌ ଷ୍ଟେଟମେଣ୍ଟ୍‌ ରୂପେ ନୁହେଁ ବରଂ ଦୃଢ଼ତା ଓ ଶକ୍ତିର ପ୍ରତୀକ । ଏହା ପୁଣି ଥରେ ଖବରର ଶିରୋନାମା ହୋଇଛି । ଗତ ୨୦ ତାରିଖରେ ପ୍ୟାରିସର ମ୍ୟୁଜି ଗ୍ରେଭିନରେ ରାଜକୁମାରୀ ଡାଏନାଙ୍କ ମହମ ମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ମୂର୍ତ୍ତିରେ ଡାଏନାଙ୍କୁ ସେହି ଅଫ୍‌-ଶୋଲଡର ଡ୍ରେସରେ ଦେଖିବାକୁ ମିଳିଛି, ଯାହାକୁ ସେ ୧୯୯୪ ମସିହାରେ କେନସିଙ୍ଗଟନ୍‌ ଗାର୍ଡେନ୍‌ସରେ ସରପେଣ୍ଟାଇନ୍‌ ଗ୍ୟାଲେରୀରେ ଆୟୋଜିତ ଏକ ରାତ୍ରିଭୋଜନରେ ପିନ୍ଧିଥିଲେ । ‘ରିଭେଞ୍ଜ୍‌ ଡ୍ରେସ୍‌’ ନାମକ ଏହି ପ୍ରସିଦ୍ଧ ଡ୍ରେସର ଏକ ରୋଚକ କାହାଣୀ ରହିଛି । ୧୯୯୦ରେ ରାଣୀ ଏଲିଜାବେଥ୍‌ ୨ୟଙ୍କ ବଡ଼ ପୁଅ ତଥା ବର୍ତ୍ତମାନର ରାଜା ଚାର୍ଲସ ୩ୟ ଓ ଦିବଂଗତ ରାଜକୁମାରୀ ଡାଏନାଙ୍କ ସମସ୍ୟାବହୁଳ ବୈବାହିକ ଜୀବନକୁ ନେଇ ଗୁଜବ ଉଠିଲା ।

୧୯୯୨ରେ ଏ ମାମଲା ସର୍ବସମ୍ମୁଖକୁ ଆସିବାରୁ ତତକାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍‌ ମେଜର ଔପଚାରିକ ରୂପେ ଦମ୍ପତିଙ୍କର ବିବାହ ବିଚ୍ଛେଦ ଘୋଷଣା କଲେ । ୧୯୯୬ରେ ଉଭୟଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଏକ ଆଇଟିଭି ଡକ୍ୟୁମେଣ୍ଟାରୀ ପରେ ପ୍ରିନ୍ସ ଚାର୍ଲସ ନିଜ ବିଶ୍ୱାସଘାତକତାକୁ ସ୍ୱୀକାର କରିଥିଲେ । ଦମ୍ପତିଙ୍କ ବିଚ୍ଛେଦର ଦେଢ଼ ବର୍ଷ ପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସାରିତ ହୋଇଥିଲା । ଡାଏନାଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ସମୟ ଥିଲା । ଏହି ସ୍ଥିତିରେ ଲୋକେ ନିଜକୁ ଚାରିକାନ୍ଥ ମଧ୍ୟରେ ବନ୍ଦୀ କରିଦିଅନ୍ତି । ଡାଏନା କିନ୍ତୁ ଭିନ୍ନ ମାର୍ଗ ଆପଣେଇଥିଲେ । ଭ୍ୟାନିଟି ଫେୟାର ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଯୋଗ ଦେବାକୁ ସେ ନିଷ୍ପତ୍ତି ନେଇଥିଲେ । ସେ ଭଲଭାବେ ଜାଣିଥିଲେ ଯେ ସମସ୍ତଙ୍କ ନଜର ତାଙ୍କ ଉପରକୁ ଯିବ । ତଥାପି ସେ ଏହି ସାହସିକ ନିଷ୍ପତ୍ତି ନେଇଥିଲେ ବୋଲି ପିପୁଲ ଡେପ୍ୟୁଟି ଷ୍ଟାଇଲ୍‌ ଡାଇରେକ୍ଟର ବ୍ରିଟାନି ଟାଲାରିକୋ କହିଛନ୍ତି ।

​​​​​​​

ଡାଏନା ଜଣେ ଚମତ୍କାର ଫ୍ୟାଶନ୍‌ ଡିଭା ଭାବେ ଉତ୍ସବରେ ଯୋଗ ଦେଇଥିଲେ । ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ବୟାନ ଦେବାକୁ ସେ ମନାକରିଥିଲେ, କିନ୍ତୁ ତାଙ୍କ ପୋଷାକ ହଜାର କଥା କହୁଥିଲା । ପାର୍ଟିରେ ସେ ଡିଜାଇନର୍‌ କ୍ରିଷ୍ଟିନା ଷ୍ଟାମ୍ବୋଲିଆନ୍‌ଙ୍କ କଳା ରଙ୍ଗର ବଡିହଗିଂ ଗାଉନ୍‌ ପିନ୍ଧିଲେ । ୩ ବର୍ଷ ବିତିଯାଇଥିଲେ ହେଁ, ଡାଏନା ଏହି ଗାଉନ୍‌କୁ ପିନ୍ଧିନଥିଲେ । ସେଥିପାଇଁ ଡିଜାଇନର୍‌ ଷ୍ଟାମ୍ବୋଲିଆନ୍‌ ଖୁବ୍‌ ନିରାଶ ହୋଇଥିଲେ । କ୍ଲାଉଡିଆ ଜୋସେଫଙ୍କ ୨୦୨୨ ମସିହା ପୁସ୍ତକ ‘ଡାଏନା: ଏ ଲାଇଫ୍‌ ଇନ୍‌ ଡ୍ରେସେସ୍‌’ରେ ଷ୍ଟାମ୍ବୋଲିଆନ୍‌ ଏହା କହିଥିଲେ । ପୁଣି ଥରେ ଲଢ଼େଇ କରିବାକୁ ଡାଏନା ନିଷ୍ପତ୍ତି ନେଇଥିଲେ । ତେଣୁ ଯେଉଁ ପୋଷାକକୁ ସେ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ, ତାକୁ ପିନ୍ଧି ପାର୍ଟିରେ ଯୋଗ ଦେଇଥିଲେ । ଫୋର୍ବସ୍‌ ଅନୁସାରେ, ୧୯୯୭ରେ ଡାଏନା ୭୯ଟି ଗାଉନ୍‌କୁ ଏକ ନିଲାମରେ ବିକ୍ରି କରିଥିଲେ । ତନ୍ମଧ୍ୟରେ କଳା ରଙ୍ଗର ଏହି ‘ରିଭେଞ୍ଜ୍‌ ଡ୍ରେସ୍‌’ ପ୍ରାୟ ୯.୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ୨୦୨୩ରେ ଏହି ଡ୍ରେସ୍‌ ପୁଣି ଥରେ ନ୍ୟୁୟର୍କର ସୋଥବାଇଜ୍‌ ଦ୍ୱାରା ୫୪.୨ କୋଟିରେ ନିଲାମ ହୋଇଥିଲା ।