ଲକ୍ଷ୍ନୌ - ବିବାହ ପୂର୍ବରୁ ଉଠିଲା କୋକେଇ। ସାଥୀ ହୋଇ ଜୀବନ ବିତାଇବାକୁ ଦେଖିଥିବା ସ୍ୱପ୍ନ, ଆଖି ପିଛୁଳାକେ ହୋଇଗଲା ପାଉଁଶ। ଲକ୍ଷ୍ନୌର ଭୟାବହ ଅଗ୍ନିକାଣ୍ଡରେ ୧୫ ଜଣଙ୍କର ଜୀବନ ଚାଲି ଯାଇଛି, ହେଲେ ଏହି ୧୫ ଜଣଙ୍କ ମଧ୍ୟରେ ଏମିତି ଏକ ପ୍ରେମୀ ଯୁଗଳ ଥିଲେ, ଯେଉଁମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ଥାନ୍ତେ । ହଜରତଗଞ୍ଜର ନିଲେଶ ଏବଂ କୋଲକାତାର ଅନାମିକା ସାମନ୍ତା, ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ଏକାଠି କାମ କରୁଥିଲେ, ହେଲେ ସୋମବାର ଦିନ ଆସିଥିବା କାଳରୂପୀ ନିଆଁ ଦୁହିଁଙ୍କୁ ଏକାଠି ମୃତ୍ୟୁର କୋଳକୁ ଟାଣି ନେଇଥିଲା।
ନିଲେଶଙ୍କ ମାଆ ସନ୍ତୋଷୀ ଦେବୀଙ୍କ ବୁକୁ ଫଟା କାନ୍ଦ ପରିବେଶକୁ ସ୍ତବ୍ଧ କରି ଦେଇଛି। ବଡ଼ ଭାଇ କୁହନ୍ତି, ଦୁହେଁ ଏକାଠି ଚାକିରି ପାଇଁ ବାହାରି ଥିଲେ, ହେଲେ ନିଲେଶ ଶେଷ ଥର ପାଇଁ ଫୋନ୍ ବି କରି ପାରିଲାନି। ସେ ଟିଭି ଓ ସୋସିଆଲ ମିଡିଆରେ ଖବର ଆସିବାରୁ ଅଗ୍ନିକାଣ୍ଡ ବିଷୟରେ ଜାଣିବାରୁ ପାଇଥିଲେ। ନିଲେଶ ଜଣେ ଆନିମେସନ୍ ଆର୍ଟିଷ୍ଟ ଥିଲେ। ଭଉଣୀ କାନ୍ଦି କାନ୍ଦି ନିଲେଶଙ୍କ ହାତ ତିଆରି ଏକ ସ୍କେଚ୍ ଦେଖାଇ କହୁଛନ୍ତି ଯେ, ନିଲେଶଙ୍କ ସ୍ୱପ୍ନ ଥିଲା ପିଲାମାନଙ୍କ ପାଇଁ ନୂଆ ନୂଆ ଆନିମେସନ୍ କ୍ୟାରେକ୍ଟର ତିଆରି କରିବା। ସେଥିପାଇଁ ସେ ଦିନରାତି ପରିଶ୍ରମ କରୁଥିଲେ।
କେବଳ ନିଲେଶ ନୁହଁନ୍ତି, ତାଙ୍କ ସହ କାମ କରୁଥିବା ତାଙ୍କ ପ୍ରେମିକା ତଥା ଭାବି ପତ୍ନୀ ଅନାମିକା ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗତ ରବିବାର ଦିନ ହିଁ ଅନାମିକାଙ୍କ ପିତାମାତା କୋଲକାତାରୁ ଆସି ଦୁହିଁଙ୍କର ବିବାହ ସ୍ଥିର କରି ଥିଲେ। ଦୁହେଁ ନୂଆ ସଂସାର ଗଢ଼ିବାକୁ ଦେଖି ଥିଲେ ସ୍ୱପ୍ନ, କିନ୍ତୁ ବିଧାତାର ବିଧାନ ଥିଲା କିଛି ଅଲଗା । ଏହି ଅଗ୍ନିକାଣ୍ଡ ଦୁହିଁଙ୍କ ପ୍ରେମ କାହାଣୀରେ ଏକ କରୁଣ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି।
ଏହି ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ସହକର୍ମୀ ମହମ୍ମଦ ଆସିଫ୍ ସେହି କାଳରାତ୍ରିର କରୁଣ କାହାଣୀ ବୟାନ କରିଛନ୍ତି। ଆସିଫ୍ଙ୍କ କହିବା ଅନୁସାରେ, ସେମାନେ ଦ୍ୱିତୀୟ ମହଲାରେ କାମ କରୁଥିବା ବେଳେ ହଠାତ୍ ଜଣେ ସିନିୟର କର୍ମଚାରୀ ଆସି ତଳେ ନିଆଁ ଲାଗିଥିବା କଥା କହି ଥିଲେ। ପ୍ରଥମେ କେହି ଭାବି ନଥିଲେ ଯେ ନିଆଁ ଏତେ ଭୟଙ୍କର ରୂପ ନେବ। କିନ୍ତୁ ଯେତେବେଳେ ସେମାନେ ବାହାରକୁ ଆସିଲେ, ସେତେବେଳକୁ ପୂରା ଅଫିସ ଘନ ଧୂଆଁରେ ବୁଡ଼ି ରହିଥିଲା। ଶ୍ୱାସରୁଦ୍ଧ ଅବସ୍ଥା ଯୋଗୁଁ ଲୋକଙ୍କୁ ବାହାରିବା ଅସମ୍ଭବ ହୋଇପଡ଼ି ଥିଲା।
ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ କେବଳ ୧୫ ଜଣଙ୍କ ଜୀବନ ନେଇ ନାହିଁ, ବରଂ ଅନେକ ପରିବାରର ହସଖୁସି ଏବଂ ଦୁଇଟି ପ୍ରେମୀ ହୃଦୟର ସ୍ୱପ୍ନକୁ ସବୁଦିନ ପାଇଁ ପାଉଁଶ କରି ଦେଇଛି।
ଆହୁରି ମଧ୍ୟ ପଢନ୍ତୁ : UPSC Success Story : ପର ଦୁଆରେ କାମ କରୁଥିଲେ ମାଆ , ୨୧ ବର୍ଷରେ IPS ଓ ୨୨ ବର୍ଷ ବୟସରେ IAS ହେଲେ ଦିବ୍ୟା