• ତିରୁପତି ମନ୍ଦିରରେ ଘିଅ ପରେ ସାଲ୍ ଦୁର୍ନୀତି
  • ୧୦୦% ସିଲକ୍ କରି ଦେଉଥିଲେ ପଲିଷ୍ଟର 
  • ୩୫୦ ଟଙ୍କାର ସାଲ୍‌କୁ ୧୩୦୦ରେ କରୁଥିଲେ ବିକ୍ରି
  • ହୋଇଛି ୫୪ କୋଟିର ଦୁର୍ନୀତି
  • ଦୁଇଟି ଲ୍ୟାବ୍‌ରେ ଟେଷ୍ଟ ପରେ ଜଣାପଡିଲା ସତ

ନୂଆଦିଲ୍ଲୀ,୧୦।୧୨: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରରେ ନକଲି ଘିଅ ପରେ ଏବେ ଆରମ୍ଭ ହୋଇଛି ନୂଆ ଦୁର୍ନୀତି। ତିରୁମାଳା ମନ୍ଦିରକୁ ପରିଚାଳନା କରୁଥିବା ଟ୍ରଷ୍ଟ, ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହି ଦୁର୍ନୀତି ବିଷୟରେ ଜଣାପଡିଛି। ଜଣେ କଣ୍ଟ୍ରାକ୍ଟର ଲଗାତାର ୧୦ ବର୍ଷ ହେବ ୧୦୦% ପଲିଷ୍ଟର ସାଲ୍କୁ ଶୁଦ୍ଧ ସିଲକ୍ ସାଲ୍ କହି ବିକ୍ରି କରୁଥିଲେ। ୨୦୧୫ ରୁ ୨୦୨୫ ପର୍ଯ୍ୟନ୍ତ ପୁରା ଏକ ଦଶକ ପର୍ଯ୍ୟନ୍ତ ଟିଟିଡିରେ ଚାଲିଥିବା ୫୪ କୋଟି ଟଙ୍କାର ସାଲ୍ ଦୁର୍ନୀତିର ଏବେ ଖୁଲାସା ହୋଇଛି।

ଟିଟିଡିର ଅନ୍ତରୀଣ ଯାଞ୍ଚ ରିପୋର୍ଟରେ କୁହାଯାଇଛି ଏହି କଣ୍ଟ୍ରାକ୍ଟର ଜଣକ ୧୦୦% ପଲିଷ୍ଟର ସାଲ୍କୁ ୧୦୦% ଶୁଦ୍ଧ ମଲବରୀ ସିଲ୍କ ସାଲ୍ କରି ୧୦ ବର୍ଷ ହେବ ସପ୍ଲାଇ କରୁଥିଲେ। ପଲିଷ୍ଟର ଦେଇ ସିଲ୍କର ଦାମ୍ ନେଉଥିଲେ। ଅଧ୍ୟକ୍ଷ ବିଆର ନାଇଡୁଙ୍କ ନେତୃତ୍ବରେ ଟିଟିଡି ବୋର୍ଡ ସାଲ୍ର କ୍ବାଲିଟି ଉପରେ ଚିନ୍ତା ପ୍ରକାଶ କରାଯିବା ପରେ ଏହାର ଯାଞ୍ଚ କରାଯାଇଥିଲା ଯାଞ୍ଚ ପରେ ଜଣାପଡିଥିଲା ଏହି ବଡ଼ ଠକେଇ ବିଷୟରେ। ମନ୍ଦିରର ମ୍ୟାନେଜମେଣ୍ଟ ଦ୍ବାରା ଏହି ସାଲ୍ ବଡ଼ ବଡ଼ ଭିଆଇପିଙ୍କୁ ଦିଆଯାଉଥିଲା। ଭେଦାସିରଭଚନମ୍ ଭଳି ମନ୍ଦିରର ରୀତି-ନୀତିରେ ମଧ୍ୟ ଏହାର ବ୍ୟବହାର କରାଯାଉଥିଲା।

ଆହୁରି ପଢନ୍ତୁ:  ଇଣ୍ଡିଗୋ ସମସ୍ୟା ଉପରେ କୋର୍ଟ ଅସନ୍ତୋଷ, କେନ୍ଦ୍ରକୁ ପ୍ରଶ୍ନ : ହଠାତ୍ ସ୍ଥିତି କାହିଁକି ବିଗିଡିଲା ?

ଟିଟିଡି ବୋର୍ଡ ଚେୟାରମ୍ୟାନ୍ କହିଛନ୍ତି, ଯେଉଁ ସାଲ୍‌ର ଦାମ୍ ୩୫୦ ଟଙ୍କା ଥିଲା ତାକୁ ୧୩୦୦ ଟଙ୍କାରେ ବିକ୍ରି କରାଯାଉଥିଲା। ୫୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି। ଆମେ ଆଣ୍ଟି କରପସନ୍ ବ୍ୟୁରୋକୁ ଏହାର ଯାଞ୍ଚ କରିବାକୁ କହିଛୁ। ସାଲ୍‌ର ସାମ୍ପଲକୁ ସାଇଣ୍ଟିଫିକ୍ ଆନାଲିସିସ୍ ପାଇଁ ଦୁଇଟି ଲାବ୍ ପଠାଯାଇଥିଲା। ଯେଉଁଥିରୁ ଗୋଟିଏ ଥିଲା ସେଣ୍ଟ୍ରାଲ ସିଲକ୍ ବୋର୍ଡ। ଦୁଇଟି ଟେଷ୍ଟରେ ଜଣାପଡିଥିଲା ଏହା ପଲିଷ୍ଟର ଥିଲା, ଯାହା ଟେଣ୍ଡର ସ୍ପେସିଫିକେସନର ସ୍ପଷ୍ଟ ଉଲଂଘନ ଥିଲା। ଉଲ୍ଲେଖନୀୟ ଯେ, ଗତ ବର୍ଷ ଏହି ମନ୍ଦିରରେ ନକଲି ଘିଅ ସପ୍ଲାଇ କରିବା ଓ ସେଥିରେ ପ୍ରସାଦମ୍ (ଲଡୁ) ତିଆରି ହେଉଥିବା କଥା ଜଣାପଡିଥିଲା। ୫ ବର୍ଷ ଭିତରେ ଟିଟିଡିରେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ୬୮ ଲକ୍ଷ କିଲୋ ନକଲି ଘିଅ ସପ୍ଲାଇ କରାଯାଇଥିଲା।