ନୂଆଦିଲ୍ଲୀ,୫।୧: ବିଜେପି ନେତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଦିଲ୍ଲୀ ପ୍ରଦୂଷଣକୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି ଏହାର କାରଣ ନଡା ଜଳାଇବା କିମ୍ବା ପ୍ରଦୂଷଣ ନୁହେଁ। ଦୀପାବଳିରେ ହୋଇଥିବା ଆତାସବାଜି। ଦୀପାବଳିର ତିନି ଦିନ ପୂର୍ବ ପର୍ଯ୍ୟନ୍ତ ବାୟୁ ସଫା ଥିଲା। ଗ୍ରୀନ୍ କ୍ରାକରକୁ ଅନୁମତି ଦେଇଥିବା କାରଣରୁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ମାନେକା। ସେ କହିଛନ୍ତି, ‘ଗ୍ରୀନ୍ କ୍ରାକର’ ବା ‘ସବୁଜ ବାଣ’ ନାମକ ଏଭଳି କୌଣସି ଜିନିଷ ନଥାଏ। ଭଗବାନ ରାମ ଓ ସୀତା ବନବାସରୁ ଫେରିବା ସମୟରେ କ’ଣ ବାଣ ଫୁଟିଥିଲା କି ?

ପରିବେଶ ଓ ପଶୁ ଅଧିକାର ନେଇ ସବୁବେଳେ ସ୍ବର ଉତ୍ତୋଳନ କରି ଚର୍ଚ୍ଚାରେ ରହିଥାନ୍ତି ବିଜେପି ନେତ୍ରୀ ମାନେକା ଗାନ୍ଧୀ। ସେ ଦିଲ୍ଲୀ ପ୍ରଦୂଷଣ ପାଇଁ ବାଣକୁ ଦାୟୀ କରିଛନ୍ତି। ଏପରିକି ବାଣ ଫୁଟାଉଥିବା ଲୋକଙ୍କୁ ସେ ଦେଶଦ୍ରୋହୀ ବୋଲି କହିଛନ୍ତି। ମାନେକା କହିଛନ୍ତି, ଯେଉଁ ଲୋକ ବାଣ ବ୍ୟବହାର କରନ୍ତି ସେମାନେ ‘ଦେଶଦ୍ରୋହୀ’। ଏହାକୁ ନେଇ ମୋ ମନରେ ଅନ୍ୟ କୌଣସି ଶବ୍ଦ ନାହିଁ।’

​​​​​​​

ମାନେକା ଆହୁରି କହିଛନ୍ତି, ଦୀପାବଳି, ଦଶହରା, ବାହାଘର, ନୂଆ ବର୍ଷ, କ୍ରିକେଟ ମ୍ୟାଚ୍ ବେଳେ କିମ୍ବା ଅନ୍ୟ କୌଣସି ଦିନରେ ଲୋକେ ବାଣ ଫୁଟାଇଥାନ୍ତି। ଏହାର ଫଳ ସ୍ବରୂପ ଆମକୁ ନିଶ୍ବାସ ନେବାରେ କଷ୍ଟ ହୁଏ। ହେଲେ କୁଟା ଜାଳିବା କିମ୍ବା ଗାଡ଼ି ଉପରେ ଦୋଷ ଦିଆଯାଏ। କେବଳ ଦୀପାବଳିରେ ଯଦି ୮୦୦ କୋଟି ଟଙ୍କାର ବାଣ ଦିଲ୍ଲୀରେ ଫୁଟାଯାଏ ତେବେ ଏହାର ଫଳ କ’ଣ ହେବ ? ଏପରିକି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମଧ୍ୟ ସମାଲୋଚନା କରିଛନ୍ତି। ମାନେକା କହିଛନ୍ତି, ସୁପ୍ରିମକୋର୍ଟ ଭୁଲ ନିର୍ଦେଶ ଦେବା ଗୋଟେ ଅଭ୍ୟାସ ହୋଇଗଲାଣି। ବାଣ ବ୍ୟାନ୍ କରିବାର ଅଛି ଯଦି ସମ୍ପୂର୍ଣ୍ଣ ବ୍ୟାନ୍ କରି ଦିଅନ୍ତୁ । ନଚେତ କୁହନ୍ତୁ ସବୁ ଲୋକ ମରିଯାଅ।

ଆହୁରି ପଢନ୍ତୁ :ମଣିପୁରରେ ୩ ଆଇଇଡି ବିସ୍ଫୋରଣ ପରେ ଆତଙ୍କ,ଘର ଗୁଡିକରେ ନିଆଁ ଲଗାଇବାକୁ ଚେଷ୍ଟା