ନୂଆଦିଲ୍ଲୀ,୧୯/୧୨: ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ-ଗ୍ରାମୀଣ (ଭିବି-ଜି ରାମ୍ ଜି) ବିଲ୍, ୨୦୨୫ ସଂସଦରେ ଗୃହୀତ ହୋଇଯାଇଛି । ଲୋକସଭାରେ ଗୁରୁବାର ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଏହି ବିଲ୍ ଗୃହୀତ ହୋଇଥିଲା । ଏହାପରେ ବିଲ୍‌କୁ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟସଭାରେ ଆଗତ କରିଥିଲେ । ଏହା ଉପରେ ବ୍ୟାପକ ବିତର୍କ ହୋଇଥିଲା । ରାତିରେ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଙ୍ଗାମା କରିଥିଲେ । ଏହାରି ଭିତରେ ବିଲ୍ ବାଚନିକ ଭୋଟରେ ଗୃହିତୀ ହୋଇଥିଲା । ବିଲକୁ ବିରୋଧ କରି ଟିଏମସି ସାଂସଦ ସଂସଦ ମକର ଦ୍ୱାରରେ ରାତିତମାମ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୁରୁବାର ରାତି ୧୨ ଘଣ୍ଟିଆ ଧାରଣାରେ ବସିଛନ୍ତି ସାଂସଦ । ସେପଟେ ଆନ୍ଦୋଳନ ଚେତାବନୀ ଦେଇଛି କଂଗ୍ରେସ ।

​​​​​​​

​​​​​​​ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଭିବି-ଜି ରାମ୍‌ ଜି ବିଲ୍  । ଏହି ବିଲ୍ ୨୦ ବର୍ଷ ପୁରୁଣା ମନରେଗାର  (MGNREGA) ଯୋଜନାର ସ୍ଥାନ ନେଇ ଗ୍ରାମୀଣ ପରିବାରକୁ ୧୨୫ ଦିନର ମଜୁରୀ ଗ୍ୟାରେଣ୍ଟି ଦେବ । ଯାହା ପ୍ରଥମେ ୧୦୦ ଦିନ ଥିଲା । ବିରୋଧୀ ବିଲ୍‌କୁ ବିରୋଧ କରି ସଂସଦରୁ ବ୍ୟାକଆଉଟ କରିଥିଲେ । ଟିଏମସି ସାଂସଦ ସଂସଦର ମକର ଦ୍ୱାରରେ ଗୁରୁବାର ରାତିରୁ ଧାରଣାରେ ବସିଛନ୍ତି । ଧାରଣାକୁ ନେଇ ଟିଏମସି ସାଂସଦ ସାରରିକା ଘୋଷ କହିଛନ୍ତି, ''ଆମେ ୧୨ ଘଣ୍ଟା ଧରି ଧାରଣାରେ ବସିଛୁ। ଗୁରୁବାର ମଧ୍ୟରାତ୍ରିରୁ ଆରମ୍ଭ କରିଥିଲୁ ଏବଂ ଆମର ଧାରଣା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ମୋଦୀ ସରକାର ଯେଉଁଭଳି ଭାବରେ ମନରେଗାକୁ ନଷ୍ଟ କରିଛନ୍ତି ସେଥିପାଇଁ ଆମେ ଧାରଣାରେ ବସିଛୁ । ଏହାକୁ VB-G RAMG ବିଲ୍ ଦ୍ୱାରା ବଦଳାଯାଇଛି କିନ୍ତୁ ସରକାର ଏହାକୁ ଗୃହରେ ଉପସ୍ଥାପନ କରିବା ପୂର୍ବରୁ ଏହା ଆମକୁ ଦିଆଯାଇଥିଲା । ମୋଦୀ ସରକାର ଆଇନ ପ୍ରଣୟନ ପାଇଁ ବୁଲଡୋଜର ରଣନୀତି ବ୍ୟବହାର କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ସହିତ କୌଣସି ପରାମର୍ଶ କରାଯାଉନାହିଁ ବୈଠକ ହେଉନାହିଁ, ଆପଣ କେବଳ ସଂସଦକୁ ଆସି ବୁଲଡୋଜର ରଣନୀତି ମାଧ୍ୟମରେ ଏହି ବିଲ୍ଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି ।''