ନୂଆଦିଲ୍ଲୀ ୨୨/୦୬: ଉତ୍ତରପ୍ରଦେଶର ଇଟାୱାରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ରେଲୱେ ଟ୍ରାକ୍ ନିକଟରେ ଚାଲି ଚାଲି ଯାଉଥିବାବେଳେ ଭୀଷଣ ଗରମରୁ ରକ୍ଷା ପାଇବା ଲାଗି ନାଲି ଗାମୁଛା ଉଡ଼ାଉଥିଲେ । ତେବେ ତାକୁ ଦେଖି ଇଟାୱା ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍ ଅଟକି ଯାଇଥିଲା । ଘଟଣାଟି ଗତ ମଙ୍ଗଳବାରର ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ସେଦିନ ସକାଳୁ ଦିଲ୍ଲୀ-ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସ ଘଣ୍ଟାପ୍ରତି ପ୍ରାୟ ୮୦ କିମି ବେଗରେ ଇଟାୱା ଜଙ୍କସନ୍ ଅଭିମୁଖେ ଯାଉଥିଲା । ତେବେ ସରାୟା ଭୂପତ ଏବଂ ଇଟାୱା ଜଙ୍କସନ୍ ମଧ୍ୟରେ ଅଚାନକ ଡ୍ରାଇଭର ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କୁ ନାଲି ଗାମୁଛା ଉଡ଼ାଉଥିବାର ଦେଖିବାକୁ ପାଇଥିଲେ । ରେଳ ବିଭାଗରେ ନାଲି ରଙ୍ଗକୁ ବିପଦର ସଙ୍କେତ ବୋଲି ମନେ କରାଯାଉଥିବାରୁ କୌଣସି ପ୍ରକାର ସମ୍ଭାବିତ ଦୁର୍ଘଟଣାରୁ ରକ୍ଷା ଲାଗି ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ । ଏହାପରେ ଟ୍ରେନ୍ ପ୍ରାୟ ୧୨ ମିନିଟ୍ ଧରି ଟ୍ରାକ୍ରେ ଛିଡ଼ା ହୋଇଥିଲା ।

ଅଚାନକ ବ୍ରେକ ଲାଗିବା ଯୋଗୁ ଯାତ୍ରୀମାନେ ଜୋରଦାର ଝଟ୍‌କା ଅନୁଭବ କରିଥିଲେ । ଭୟଭୀତ ହୋଇ ବଗି ମଧ୍ୟରେ ଏଣେ ତେଣେ ଦୌଡ଼ିଥିଲେ । ପରେ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାମୁଛା ଉଡ଼ାଉଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତାଙ୍କୁ ୫୨ ବର୍ଷୀୟ ଶମ୍ଭୁ ସିଂହ ଭାବେ ଚିହ୍ନଟ କରାଯାଇଛି । ଶମ୍ଭୁଙ୍କ ପୁଅ କହିଛନ୍ତି, ୨୦୨୦ରୁ ତାଙ୍କ ବାପା ମାନସିକ ରୋଗର ଚିକିତ୍ସା କରାଉଛନ୍ତି । ଦିନକ ପୂର୍ବରୁ ସେ ଘରୁ ନିଖୋଜ ହୋଇଯାଇଥିଲେ । ପୁଲିସକୁ ସେମାନେ ତାଙ୍କର ନିଖୋଜ ହେବା ନେଇ ସୂଚନା ମଧ୍ୟ ଦେଇଥିଲେ । ଏପରିସ୍ଥଳେ ସେ ଜାଣିଶୁଣି ଟ୍ରେନ୍ ରୋକିବାକୁ ଉଦ୍ୟମ କରିନାହାନ୍ତି । ପ୍ରଚଣ୍ଡ ଗରମରୁ ନିସ୍ତାର ପାଇବା ଲାଗି ସେ ହାତରେ ଧରିଥିବା ଗାମୁଛାକୁ ହଲାଉଥିଲେ । ଟ୍ରେନ୍ ଡ୍ରାଇଭର କିନ୍ତୁ ତାକୁ ବିପଦର ସଙ୍କେତ ବୋଲି ମନେ କରିଥିଲେ ।

 

ଆହୁରି ପଢ଼ନ୍ତୁ...Police Home Security : ଲୋକେ ଛୁଟିରେ ଗଲେ ଘର ଜଗିବ ପୁଲିସ୍, ପୂର୍ବରୁ ଥାନାକୁ ଦେବାକୁ ହେବ ସୂଚନା