ଭୁବନେଶ୍ୱର/ପିପିଲି,୦୩/୦୨ ରାଜଧାନୀ ଉପକଣ୍ଠ ଉତ୍ତରା କୌଶଲ୍ୟାଗଙ୍ଗ ଏନ୍ଏଚ୍-୩୧୬ କଡ଼ରେ କିନ୍ନରଙ୍କୁ ବୀଭତ୍ସ୍ୟ ହତ୍ୟାକାଣ୍ଡ ତଦନ୍ତ ବେଳେ ପୁଲିସକୁ ଏକ ନୂଆ ସୁରାକ ମିଳିଛି । ଘଟଣାସ୍ଥଳରେ ହଣା ଖାଇବା ପରେ ମୃତକ ଜଣକ ତାଙ୍କ ସାଙ୍ଗକୁ ଫୋନ୍ କରି କହିଥିଲେ, ୨ଜଣ ତାଙ୍କୁ ହାଣି ପକାଇଛନ୍ତି । ମୁଁ ଜୀବନ ବିକଳରେ ଧାଇଁକି ପଳାଇ ଆସିଛି । ମୋତେ ଜଲ୍ଦି ରକ୍ଷା କର । ପିପିଲି ଥାନା ପୁଲିସ ଉକ୍ତ ସାଙ୍ଗର ତଥ୍ୟ ଆଧାରରେ ତଦନ୍ତକୁ ଆଗେଇଛି ।
ମୃତ କିନ୍ନର ସୋନା ଓରଫ୍ ଅଞ୍ଜଳିଙ୍କ ପ୍ରକୃତ ନାମ ହେଉଛି ଦିନେଶ ରାଉତ(୨୮) । ତାଙ୍କ ଘର କଟକ ଜିଲ୍ଲା ସାଲେପୁରର ବିଶ୍ୱନାଥପୁର ଗାଁରେ । ସେ ମାଟ୍ରିକ ପାସ ପରେ ଗାଁର ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ କରୁଥିଲେ । ବର୍ଷେ ତଳେ ସେ ଯୋଗ ଶିଖିବା ପାଇଁ ଭୁବନେଶ୍ୱର ଆସିଥିଲେ । ପରେ ଏକ ଯୋଗ କେନ୍ଦ୍ରରେ ସମ୍ଭ୍ରାନ୍ତ ଲୋକଙ୍କୁ ଯୋଗ ଶିଖାଉଥିଲେ। ସେ ଭଲ ରୋଜଗାର କରୁଥିଲେ । ସେ କିନ୍ନର ବୋଲି ଜାଣିନଥିବା ଗାଁ ଲୋକ କହିଛନ୍ତି । ସେ ଜଣେ ପୁରୁଷ ବୋଲି ତାଙ୍କ ପରିବାର ଲୋକ ଦାବି କରିଛନ୍ତି । ହତ୍ୟାକାଣ୍ଡକୁ ନେଇ କିନ୍ନର ସମାଜ ତାତିଥିଲେ । ଶତାଧିକ କିନ୍ନର କ୍ୟାପିଟାଲ ହସ୍ପିଟାଲ-ଏୟାରପୋର୍ଟ ରାସ୍ତାକୁ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ କ୍ରାଇମ୍ବ୍ରା ଞ୍ଚ ତଦନ୍ତ ଦାବି କରିଥିଲେ । ଯଥାଶୀଘ୍ର ହତ୍ୟାକାରୀମାନଙ୍କୁ ଗିରଫ ନ କରାଗଲେ, ସାମୂହିକ ଆତ୍ମାହୂତି ଦେବେ ବୋଲି ଚେତାଇଥିଲେ । ପୁଲିସ ସେମାନଙ୍କୁ ଅନେକ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ । ମୀରା ପରିଡ଼ା, ମେଘନାଙ୍କ ସମେତ କିନ୍ନର ସମାଜର ଅନ୍ୟ ସଦସ୍ୟମାନେ ହସ୍ପିଟାଲ ଶବାଗାରରେ ଉପସ୍ଥିତ ଥିଲେ । ମେଘନା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି, ମୃତକ ଜଣକ କେବେ ବି କିନ୍ନର ପରମ୍ପରାରେ ରହିନାହିଁ । କାହାରିଠାରୁ ଶିଷ୍ୟତ୍ୱ ଗ୍ରହଣ କରିନାହିଁ ।
ଆହୁରି ପଢ଼ନ୍ତୁ :-ଉତ୍ତରା କୌଶଲ୍ୟାଗଙ୍ଗ ନିକଟରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା; ଗୁପ୍ତାଙ୍ଗକୁ କାଟିଦେଲେ ଦୁର୍ବୃତ୍ତ
ପୁରୀରୁ ସାଇଣ୍ଟିଫିକ ଟିମ୍ ସୋମବାର ସକାଳ ୯ଟାରେ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ନକଲି ଚୁଟି, ଅନ୍ତବସ୍ତ୍ର, ରକ୍ତ ସହ କିଛି ଆପତ୍ତିଜନକ ସାମଗ୍ରୀର ନମୁନା ସଂଗ୍ରହ କରିଥିଲା । ସନ୍ଧାନୀ କୁକୁର ଘଟଣାସ୍ଥଳରୁ ନକଲି ଚୁଟିକୁ ଶୁଙ୍ଘିବା ପରେ ସିଧା ନିକଟରେ ଥିବା ଏକ ଆପାର୍ଟମେଣ୍ଟକୁ ଧାଇଁଯାଇଥିଲା । ସେଠାରେ ସିକ୍ୟୁରିଟି ଗାର୍ଡ଼ ରୁମ୍ ଆଗରେ କିଛି ସମୟ ଚକ୍କର କାଟିବା ପରେ ଫେରି ଆସିଥିଲା । ପୁଲିସ ଟିମ୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡର ମୋବାଇଲ୍ ଜବତ କରିବା ସହ ତାଙ୍କୁ ପଚରାଉଚରା କରିଛି । ଆପାର୍ଟମେଣ୍ଟର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରିବା ସହିତ ସିସି କ୍ୟାମେରାକୁ ଯାଞ୍ଚ କରୁଛି । ୨ ଜଣ ହତ୍ୟାକାରୀ ଦିନେଶଙ୍କୁ ହାଣିବା ପରେ ଉକ୍ତ ଆପାର୍ଟମେଣ୍ଟକୁ ଯାଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ଗତକାଲି ରାତି ୮ଟା ବେଳେ ଉକ୍ତ ଫୁଟେଜ୍ରେ କିଛି ସନ୍ଦିଗ୍ଧ ଗତିବିଧି ନଜର କରାଯାଇଥିବା ପୁଲିସ ସୂଚନା ଦେଇଛି ।
ନିଲୁ କିନ୍ନରଙ୍କ ଲିଖିତ ଅଭିଯୋଗକ୍ରମେ ପିପିଲି ଥାନାରେ ୭୩/୨୬ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ଓ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ଖୋଜିବାରେ ଲାଗିଛନ୍ତି । ଦିନେଶଙ୍କ ମୋବାଇଲ୍ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ କରାଯାଉଛି । ଦିନେଶ ହଣା ଖାଇବା ପୂର୍ବରୁ କାହାକୁ ଫୋନ୍ କରିଥିଲେ? ପୂର୍ବରୁ କାହା ସହ କିଛି ବିବାଦ ହୋଇଥିଲା କି? ଦିନେଶ ଯୋଗ ଶିକ୍ଷକ ଥିଲେ, କିନ୍ତୁ କାହିଁକି କିନ୍ନର ସମାଜରେ ଯୋଗ ଦେଲେ । ଦୁଇଦିନ ଧରି କୌଶଲ୍ୟାଗଙ୍ଗର କିନ୍ନର ଖଟିକୁ ଯାଉଥିଲେ ବୋଲି କିଛି ଝଗଡ଼ା ହୋଇଥିଲା କି? ଏଦିଗରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ:- ଫିଟିବ ଜାତୀୟ ଜଳପଥ, ଆଗକୁ ଓଡ଼ିଶାର ଜଳପଥରେ କୋଇଲା, ତୈଳ ପରିବହନ