ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦୁଇ ବନ୍ଧୁଙ୍କ ପୃଥକ ମୃତ୍ୟୁ ଘଟଣା: ୨ ଥାନାରେ ଅପମୃତ୍ୟୁ ମାମଲା ରୁଜୁ, କଲ୍‌ ଡିଟେଲ୍ସ ରେକର୍ଡର ହେବ ଯାଞ୍ଚ

Published By : Prameya | November 4, 2024 2:24 PM

ପୁରୀ,୦୪/୧୧: ଦୁଇ ବନ୍ଧୁ ଆତ୍ମହତ୍ୟା  ଘଟଣା ନେଇଛି ଭିନ୍ନ ମୋଡ଼ । ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଆଉ ଜଣେ ବନ୍ଧୁ ଆତ୍ମହତ୍ୟା କଲା ନା ବନ୍ଧୁକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି ନା ଉଭୟଙ୍କୁ  ହତ୍ୟା କରାଯାଇଛି । ଏଭଳି କିଛି ତଥ୍ୟକୁ ନେଇ ଦ୍ୱନ୍ଦରେ ପଡ଼ିଛି ପୁଲିସ । ଆଗପଛ ହୋଇ ଦୁଇ  ବନ୍ଧୁ ବଳଙ୍ଗା ଥାନା ଅଧୀନ ସମୟପୁର ଗ୍ରାମର  ଅଭିଜିତ ମହାରଣା ଓ ସଦର ଥାନା ଅଧୀନ ବାଲିପୁଟ  ଗ୍ରାମର ମନୋଜ ପ୍ରଧାନଙ୍କ ମୃତଦେହ ମିଳିବା ପରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୁଲିସ ।  କୁମ୍ଭାରପଡ଼ା ଓ ଜିଆର୍‌ପି ଥାନାରେ ୨ଟି ଅପମୃତ୍ୟୁ  ମାମଲା ରୁଜୁ କରାଯାଇ ୨ ବନ୍ଧୁଙ୍କ ଶବ ବ୍ୟବଚ୍ଛେଦ  କରାଯାଇଛି । ଉଭୟ ଆତ୍ମହତ୍ୟା କରିଛନ୍ତି ବୋଲି  ଖବର ପ୍ରଚାରିତ ହୋଇଥିବା ବେଳେ ଏବେ ଏହା  ଭିତରେ ଆଉ କିଛି ରହସ୍ୟ ଥିବା ଜଣାପଡ଼ିଛି ।  ଯାହାକୁ ନେଇ ପୁଲିସ ଖୋଳତାଡ଼ କରିବାରୁ ଏହାକୁ  ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ମଧ୍ୟରେ ବ୍ୟବଚ୍ଛେଦ  ରିପୋର୍ଟ ସହ ସିଡିଆର୍‌ (କଲ୍‌ ଡିଟେଲ୍ସ ରେକର୍ଡ) କୁ ଅପେକ୍ଷା କରିଛି ପୁଲିସ । ମାମଲା ପଛର  ରହସ୍ୟ ସିଡିଆର୍‌ ଖୋଲିବ ବୋଲି ପୁଲିସ କହିଛି । 

ପୁଲିସ ତଥ୍ୟ ଅନୁସାରେ ୫ ବର୍ଷ ତଳୁ  କୁମ୍ଭାରପଡ଼ା ଥାନା ଅଧୀନ ଫ୍ରେଣ୍ଡ୍‌ସ୍‌ କ୍ଲବ୍‌ ଲେନ୍‌ରେ ସୁରେଶ ଦାସଙ୍କ ଘରେ ଭଡ଼ାରେ ରହୁଥିଲେ ମନୋଜ । ଏବେ ନର୍ସିଂ ପାଠ ପଢ଼ୁଥିବା ବେଳେ ଅଭିଜିତ୍‌ଙ୍କୁ ଆଣି ପାଖରେ ରଖିଥିଲେ । ଏକା ରହିବାକୁ ଭଲ ଲାଗୁ  ନଥିବାରୁ ଅଭିଜିତ୍‌ଙ୍କୁ ପାଖରେ ରଖିଥିବା ଘର ମାଲିକଙ୍କୁ କହିଥିଲେ ମନୋଜ । ପୁରୀ ସହରରେ  କାଠ କାମ କରନ୍ତି ଅଭିଜିତ । କିଛିଦିନ ତଳୁ ଉଭୟଙ୍କ  ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ଝଗଡ଼ା  ଲାଗିଥିଲା ବୋଲି ସୂଚନା ପାଇଛି ପୁଲିସ । ଶନିବାର  ଅପରାହ୍ନରେ ମନୋଜ ଅଭିଜିତ୍‌ଙ୍କ ବାପା ଭୀମସେନ  ମହାରଣାଙ୍କୁ ଫୋନ୍‌ କଲ୍‌ କରି ପୁଅ ଆତ୍ମହତ୍ୟା  କରିଦେବ ବୋଲି ଧମକ ଦେଉଥିବା କହିଥିଲେ । ସେ  ଭୁବନେଶ୍ୱର ଆସିଥିବାରୁ ତୁରନ୍ତ ଭଡ଼ାଘରକୁ ଯାଇ ଦେଖିବା ପାଇଁ ଭୀମସେନଙ୍କୁ କହିଥିଲେ ।ଭୀମସେନ  ଭଡ଼ାଘରେ ପହଞ୍ଚିବା ବେଳେ କବାଟ ଖୋଲା ଥିଲା, ଭିତରେ ପୁଅ ଅଭିଜିତ୍‌ ବେକରେ ଗାମୁଛା  ବାନ୍ଧି ଝୁଲୁଥିଲା । ପୁଲିସ ସହଯୋଗରେ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା  ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଭୀମସେନଙ୍କ ସହ ଫୋନ୍‌ କଲ୍‌ରେ  ଯୋଗାଯୋଗ କରିଥିଲେ ମନୋଜ । ଅଭିଜିତ୍‌ଙ୍କ ମୃତ୍ୟୁ  ଖବର ପାଇବାର କିଛି ସମୟ ପରେ ସାକ୍ଷୀଗୋପାଳ  ରେଳ ଷ୍ଟେସନ୍‌ ନିକଟରେ ମନୋଜଙ୍କ କ୍ଷତାକ୍ତ  ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ  ମିଳିଥିଲା । ଏକ ଟ୍ରେନ୍‌ ଇଞ୍ଜିନ୍‌ର ଡ୍ରାଇଭର୍‌ ମୃତଦେହ  ପଡ଼ିଥିବା ଦେଖି ଜିଆର୍‌ପିକୁ ଖବର ଦେଇଥିଲେ । ଏହାପରେ ଶବ ଜବତ କରିଥିଲା ଜିଆର୍‌ପି ।  ରବିବାର ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । 

ଜିଆର୍‌ପି ଥାନା ଓଆଇସି ସନ୍ତୋଷ କୁମାର ବାହିନୀପତି  କହିଛନ୍ତି ଯେ, ମନୋଜଙ୍କ ପାଖରୁ କିଛି ବି ମିଳିନି ।  ତାଙ୍କ ମୋବାଇଲ୍‌ ପାଇନି ପୁଲିସ । ତାଙ୍କ ପକେଟ୍‌ରୁ  ଟ୍ରେନ୍‌ ଟିକଟ୍‌ ବି ମିଳିନି । ତେଣୁ ସେ ଟ୍ରେନ୍‌ରେ ବିନା ଟିକଟ୍‌ରେ ଯାଉଥିଲେ ନା ଅନ୍ୟ କେହି ଆଣି  ଏଠାରେ ପହଞ୍ଚାଇଛି ତାହା ଜଣାପଡିନାହିଁ । ଏପରିକି  ସେ ଭୁବନେଶ୍ୱରୁ ପୁରୀ ଆସୁଥିଲେ ନା ପୁରୀରୁ  ଭୁବନେଶ୍ୱର ଯାଉଥିଲେ ତାହା ବି ଜଣାପଡ଼ିନି। ତେଣୁ ସିଡିଆର୍‌ ରିପୋର୍ଟ ଆସିଲେ ଘଟଣା ସମୟରେ ସେମାନଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି ଓଆଇସି ଶ୍ରୀ ବାହିନୀପତି । 

ସେହିପରି ଅଭିଜିତ୍‌ କେଉଁ ସମୟରେ  ମନୋଜଙ୍କ ସହ କଥା ହୋଇଥିଲେ, ମନୋଜ  ସେତେବେଳେ କେଉଁଠାରେ ଥିଲେ, କେତେଥର ଓ କେତେ ସମୟ ଲେଖାଏଁ ଉଭୟ କଥା ହୋଇଥିଲେ  ତାହାର ତଦନ୍ତ ଆରମ୍ଭ କରିଛି କୁମ୍ଭାରପଡ଼ା ଥାନା  ପୁଲିସ । ଟିକଟ୍‌ ନଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ  ମୃତ୍ୟୁର ସମୟ ଜଣାପଡ଼ିବ । ତେବେ ସେହି  ସମୟରେ ସତରେ ମନୋଜ ଭୁବନେଶ୍ୱରରେ  ଥିଲେ ନା ଅନ୍ୟ କେଉଁଠି ଥିଲେ ତାହା ସିଡିଆର୍‌  ରିପୋର୍ଟରୁ ଜଣାପଡ଼ିବ ବୋଲି କହିଛନ୍ତି କୁମ୍ଭାରପଡ଼ା  ଥାନା ଆଇଆଇସି ଜୟଦୀପ ମହାନ୍ତି । ଏଭଳି ସ୍ଥିତିରେ ପୁଅର ମୃତ୍ୟୁ ପଛରେ ଅଭିଜିତ୍‌ଙ୍କ ହାତ  ଥିବା ନେଇ ବାପା ଭୀମସେନ ଅଭିଯୋଗ କରୁଛନ୍ତି । ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଅଭିଜିତ୍‌ଙ୍କୁ  ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଛି । ତେବେ  ଏହା ହତ୍ୟା ନା ଆତ୍ମହତ୍ୟା କିମ୍ବା ମୃତ୍ୟୁ ପଛର  ରହସ୍ୟ ଖୁବ୍‌ଶୀଘ୍ର ଉନ୍ମୋଚନ ହୋଇଯିବ । ଯଦି  ହତ୍ୟା ବୋଲି ସୁରାକ୍‌ ମିଳେ ତେବେ ମାମଲା ଟର୍ଣ୍ଣ  କରିବ ବୋଲି କହିଛନ୍ତି ଆଇଆଇସି ଶ୍ରୀ ମହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.