ନୂଆଦିଲ୍ଲୀ,୨୩।୩:  ଏଲପିଜି ସଙ୍କଟ ଭିତରେ ଭାରତକୁ ବଡ଼ ଆଶ୍ବସ୍ତି । କାରଣ ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ ଦୁଇଟି ଭାରତୀୟ ଜାହାଜ ବାହାରିଛି। ଏହି ଦୁଇ ଜାହାଜ ‘ଜଗ ବସନ୍ତ’ ଓ ‘ପାଇନ୍ ଗ୍ୟାସ ’ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବରୁ ଉପସାଗରୀୟ ରାଷ୍ଟ୍ରରେ ଫଶି ରହିଥିଲା। ୨୬ ଫେବୃଆରୀରେ ‘ଜଗ ବସନ୍ତ’ କୁଏତରୁ ଏଲପିଜି ଲୋଡ୍ କରି ଉପସାଗରୀୟ ରାଷ୍ଟ୍ର ଭିତରେ ପ୍ରବେଶ କରିଥିଲା,କିନ୍ତୁ ୨୮ ରେ ଯୁଦ୍ଧ ଆରମ୍ଭ ହୋଇଗଲା। ଏହା ପୂର୍ବରୁ ‘ଶିବାଲିକ୍’ ଓ ‘ନନ୍ଦା’ ଜାହାଜ ଭାରତକୁ ଏଲପିଜି ନେଇକି ଆସିଥିଲା। ସେଭଳି ନିକଟରେ ଏକ ଆମେରିକୀୟ ଜାହାଜ ମଧ୍ୟ ମାଙ୍ଗାଲୋର ବନ୍ଦରରେ ପହଁଞ୍ଚିଥିଲା।

‘ଜଗ ବସନ୍ତ’ ଓ ‘ପାଇନ୍ ଗ୍ୟାସ ଜାହାଜ’ ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ ବାହାରି ସାରିଛି। ସୋମବାର ସକାଳେ ବାହାରିଥିବା ଏହି ଜାହାଜ ବର୍ତ୍ତମାନ ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ରହିଛି। ଏହା ଯେ କୌଣସି ସମୟରେ ଭାରତରେ ପହଁଞ୍ଚିପାରେ। ଆଇଆରଜିସି ଅର୍ଥାତ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସରୁ ମଞ୍ଜୁରୀ ପରେ ଏହି ଜାହାଜ ଭାରତ ଅଭିମୁଖେ ଯାତ୍ରା କରିଛି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଜାହାଜ ଇରାନ ଦ୍ୱାରା ସେହି ସୁରକ୍ଷିତ ରୁଟ୍ ପାଳନ କରିଥିଲା, ଯାହା ଇରାନ ଦ୍ବାରା କ୍ଲିଅର କରାଯାଇଥିଲା। ସୋମବାର ସକାଳେ, ସେମାନେ ୟୁଏଇ ଉପକୂଳରୁ ଉତ୍ତର ଦିଗରେ ଇରାନର ଲାରାକ ଏବଂ କ୍ୱେଶମ୍ ଦ୍ୱୀପପୁଞ୍ଜ ଅଭିମୁଖେ ଯାତ୍ରା କରିଥିଲେ। ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଉଭୟ ଜାହାଜ ଟ୍ରାନ୍ସପଣ୍ଡର ମାଧ୍ୟମରେ ସେମାନଙ୍କର ଭାରତୀୟ ପରିଚୟ ଲଗାତାର ବ୍ରଡକାଷ୍ଟ କରୁଥିଲେ। ଭାରତ ଏବଂ ଇରାନ ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତିନାମା ଅନୁଯାୟୀ, ପୂର୍ବ ଭାରତୀୟ ଜାହାଜଗୁଡ଼ିକୁ ମଧ୍ୟ ଇରାନ ନୌସେନା ଦ୍ୱାରା ସୁରକ୍ଷା ଦିଆଯାଇଥିଲା।

ରିପୋର୍ଟ ଅନୁସାରେ, ଏହି ମଞ୍ଜୁରୀ ପାଇବାରେ ଭାରତୀୟ ନୌସେନାର ବଡ଼ ଭୂମିକା ରହିଛି। ନୌସେନା ଇରାନର ଅଧିକାରୀଙ୍କ ସହ ଆଲୋଚନା କରି ଜାହାଜକୁ ବାହାର କରିଛନ୍ତି। କୁହାଯାଉଛି ଯେ,ଆଇଆରଜିସିରେ ନିଷ୍ପତ୍ତି ନେବାର ପକ୍ରିୟାରେ ଖୁବ୍ ବିଳମ୍ବ ହେଉଛି। ଇରାନର ସିନିୟର ଲିଡର ଅଲ୍ଲୀ ଲାରିଜାନିଙ୍କ ମୃତ୍ୟୁ ପରେ ଏହି ପ୍ରକିୟା ପ୍ରଭାବିତ ହୋଇଛି। ପଶ୍ଚିମ ଏସିଆ ଯୁଦ୍ଧର କାରଣରୁ ଭାରତୀୟ କମ୍ପାନୀ ପ୍ରଭାବିତ ହେଇଛନ୍ତି। ମାଲ୍ ପରିବହନରେ ବିଳମ୍ବ ଯୋଗୁଁ କଞ୍ଚାମାଲରଅଭାବ ଭଳି ସମସ୍ୟା ଦେଖିବାକୁ ମିଳିଛି। ଗତ କାଲି ଅର୍ଥାତ ରବିବାର ମାଙ୍ଗାଲୋର ବନ୍ଦରରେ ଆମେରିକାରୁ ଏଲପିଜି ନେଇ ଦୁଇ ଭାରତୀୟ ଜାହାଜ ପହଁଞ୍ଚି ସାରିଛି। ‘ପାସିଫିକ୍ ପାୟନିୟର’ ନାମକ ଏହି ଜାହାଜ ୧୪ ଫେବୃଆରୀରେ ଟେକ୍ସା ‘ପୋର୍ଟ ଅଫ୍ ନେଦରଲ୍ୟାଣ୍ଡ’ରୁ ବାହାରିଥିଲା।ଏଥିରେ ୧୬,୭୧୪ ଟନ୍ ଏଲପିଜି ଅଣାଯାଇଛି।

ଆହୁରି ପଢନ୍ତୁ :ଏଣିକି ସିଲିଣ୍ଡରରେ ମିଳିବ କମ୍ ଗ୍ୟାସ୍ ! ଏଲପିଜି ସଙ୍କଟ ରୋକିବାକୁ ସରକାରଙ୍କ 'ପ୍ଲାନ୍-ବି'