ଭୁବନେଶ୍ୱର,୩୧/୧୨: ଜୈବ ବିବିଧତାରେ ଭରା ଶିମିଳିପାଳ ଅଭୟାରଣ୍ୟରୁ ମରାଠା  ବାଘୁଣୀ ଜିନତ୍‌ ଅନ୍ୟ ରାଜ୍ୟକୁ ଫେରାର୍‌ ହେବା ପରେ ବନ ବିଭାଗର ଚିନ୍ତା ବଢ଼ିଯାଇଛି । ଆଗକୁ  ରାଜ୍ୟରେ ମହାବଳ ବାଘ ବଂଶ ବଢ଼ାଇବା ଅଭିଯାନରେ ସାମୟିକ ରୋକ୍‌ ଲଗାଇବା ପାଇଁ ବନ  ବିଭାଗ ବାଧ୍ୟ ହୋଇଛି । ମଧ୍ୟପ୍ରଦେଶରୁ ୨ଟି ବାଘ ଡେବ୍ରିଗଡ଼ ଅଣାଯିବା ପ୍ରକ୍ରିୟାରେ ବିଳମ୍ବ  ଘଟିବ ବୋଲି ବିଭାଗ ସୂଚାଇଛି । ମଧ୍ୟପ୍ରଦେଶର କାହ୍ନା, ପେଞ୍ଚ ଓ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ  ପ୍ରକଳ୍ପରୁ ୧୫ଟି ବାଘକୁ ରାଜସ୍ଥାନ, ଛତିଶଗଡ଼ ଓ ଓଡି଼ଶାକୁ ପଠାଯିବାକୁ ଯୋଜନା ଥିଲା । ୫ ମାସ  ତଳୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏହି ପ୍ରସ୍ତାବକୁ ଅନୁମତି ଦେଇଥିଲା ।  

ସେହିକ୍ରମରେ ଓଡି଼ଶାର ଡେବ୍ରିଗଡ଼କୁ ଗୋଟିଏ ମହାବଳ ଓ ୨ଟି ବାଘୁଣୀ ଅଣାଯିବାକୁ ଯୋଜନା  ଚାଲିଥିଲା । ଏମିତିକି ୪ ଦିନ ତଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ବାଘଗୁଡିକୁ  ପଠାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଓଡିଶା ବନ ବିଭାଗ ଏନେଇ ତତ୍ପରତା ଦେଖାଇଥିଲା । ତତ୍‌କାଳୀନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ ନେତୃତ୍ୱରେ  ଡେବ୍ରିଗଡ଼ରେ ବାଘ ପୁନରୁଦ୍ଧାର ଯୋଜନାକୁ ସକ୍ରିୟ କରାଯାଇଥିଲା । 

ପ୍ରଥମ ଦଫାରେ ୨ଟି ବାଘୁଣୀ  ଆଣିବା ପକ୍ରିୟା ଆରମ୍ଭ ହୋଇଥିଲା । ୫୩୦ ବର୍ଗ କିମି ଯାଏ ବ୍ୟାପିଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ (ହରିଣ, ସମ୍ବର, ମୟୂର, ଗୟଳ) ରହିଛି । ଗୋଟିଏ ବାଘର ବୁଲିବା ପାଇଁ ୧୨/୧୫ ବର୍ଗ କିମି ଯଥେଷ୍ଟ ହୋଇଥିବା ବେଳେ ଡେବ୍ରିଗଡ଼ରେ ପାଖାପାଖି ୧୨୫  ବର୍ଗ କିମି ଉପଯୁକ୍ତ ଘଞ୍ଚ ଜଙ୍ଗଲ ଥିଲା । ୩ ମହାବଳର ରହଣି ପାଇଁ ଡେବ୍ରିଗଡ଼ ଅଭୟାରଣ୍ୟ  କର୍ତ୍ତୃପକ୍ଷ ମତ ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଓ ନେତାମାନଙ୍କ ସହ ଆଲୋଚନା ଓ ବିଚାରବିମର୍ଶ  ଆଗେଇଥିଲା । କିନ୍ତୁ ଏହି ବାଘ ବଂଶ ବିସ୍ତାର ଯୋଜନାରେ ସାମୟିକ ରୋକ୍‌ ଲାଗିଛି । ପିସିସିଏଫ୍‌  ପ୍ରେମ କୁମାର ଝା କହିଛନ୍ତି, ଶିମିଳିପାଳରେ ଜିନତ୍‌ ଚିନ୍ତା ଯୋଗୁ ରାଜ୍ୟକୁ ଅଧିକ ବାଘ ଅଣାଯିବ  କି ନାହିଁ ସେନେଇ ପ୍ରଥମେ ତର୍ଜମା କରାଯିବ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହ ବିଚାରବିମର୍ଶ  ହେବ । ତା’ପରେ ଡେବ୍ରିଗଡ଼କୁ ବାଘ ଅଣାଯିବା ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।