ନୂଆଦିଲ୍ଲୀ, ୧୯।୬: ବିଶ୍ୱ ରାଜନୀତିରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ଦୀର୍ଘ ଦିନର ତିକ୍ତତା ଓ ଯୁଦ୍ଧ ପରିସ୍ଥିତି ପରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତିନାମା (MoU) ସ୍ଵାକ୍ଷରିତ ହୋଇଛି । ପ୍ରାରମ୍ଭରେ ଏହି ଡିଲ୍‌ କରାଇବା ପାଇଁ କତାରର ଅମୀର ତମିମ ବିନ ଅଲ ଥାନୀ ଏବଂ ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନୀରଙ୍କ ବଡ଼ ଭୂମିକା ଥିବା ଚର୍ଚ୍ଚା ହେଉଥିଲା । ମାତ୍ର ବ୍ଲୁମବର୍ଗର ଏକ ସପ୍ତକାଳୀନ ରିପୋର୍ଟ ଅନୁସାରେ, ଏହି ମହାନ ଚୁକ୍ତିକୁ ଅଞ୍ଜାମ ଦେବାରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ପ୍ରସିଦ୍ଧ କାରୋବାରୀ ତଥା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶେଖ୍ ତହୁନ ବିନ ଜାୟଦ ଅଲ ନାହୟାନଙ୍କ ସବୁଠାରୁ ବଡ଼ ହାତ ରହିଛି ।  ନାହୟାନଙ୍କ ଏହି କୂଟନୈତିକ ଚାଲ୍ ଯୋଗୁଁ ୟୁଏଇ ଯୁଦ୍ଧ ବଦଳରେ ଶାନ୍ତି ପ୍ରସ୍ତାବ ଆଣିଥିଲା, ଯାହାକୁ ଆମେରିକା ମଧ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଲା । ଏହା ସହିତ ମିଡିଲ ଇଷ୍ଟରେ ଇସ୍ରାଏଲ ସମ୍ପୂର୍ଣ୍ଣ ଭାବେ ଏକାକୀ ବା ଅଲଗା-ଥଲଗା ହୋଇପଡ଼ିଛି ।

ଶେଖ୍ ତହୁନ ବିନ ଜାୟଦ ଅଲ ନାହୟାନ କିଭଳି କରାଇଲେ ଏହି ବଡ଼ ଡିଲ୍ ?

ବ୍ଲୁମବର୍ଗ ଏବଂ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ନାହୟାନ ଏହି ସଫଳତା ପାଇଁ କେତେକ ବଡ଼ ପଦକ୍ଷେପ ନେଇଥିଲେ । ଗତ ଏପ୍ରିଲ ମାସରେ ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, ସେତେବେଳେ ପାକିସ୍ତାନ ଓ କତାର ଏଥିରେ ମଧ୍ୟସ୍ଥତା କରୁଥିଲେ । କିନ୍ତୁ, ସେହି ସମୟରେ ୟୁଏଇ ନିଜକୁ ଏହି ଆଲୋଚନାରୁ ଦୂରେଇ ରଖିବା ସହ ଇରାନ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଥିଲା, ଯାହାଫଳରେ ଆମେରିକାର ବାର୍ତ୍ତା ଦଳର ମୁଖ୍ୟ ଜେଡି ଭେନ୍ସଙ୍କୁ ଇସଲାମାବାଦରୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ନାହୟାନଙ୍କୁ ଏହି କୂଟନୈତିକ ଦାୟିତ୍ୱ ମିଳିଲା, ସେ ସର୍ବପ୍ରଥମେ ଇରାନର ସର୍ବୋଚ୍ଚ ନେତାମାନଙ୍କ ସହ ସମ୍ପର୍କ ସ୍ଥାପନ କଲେ । ରଏଟର୍ସ ରିପୋର୍ଟ ଅନୁଯାୟୀ, ୟୁଏଇ ଦ୍ୱାରା ଜବତ କରାଯାଇଥିବା ୩ ଅରବ ଡଲାରର ରାଶି ଇରାନକୁ ଫେରସ୍ତ କରାଯାଇଥିଲା । ଏହାର ବଦଳରେ ଇରାନ ୟୁଏଇ ଉପରେ କୌଣସି ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଇଥିଲା । ଦୁଇ ଦେଶର ସମ୍ପର୍କ ସୁଧୁରିବା ପରେ ସମସ୍ତ ଗଲ୍ଫ ଦେଶ ଏକାଠି ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏହି ଚୁକ୍ତି ପାଇଁ ଚାପ ପକାଇଥିଲେ । ନିକଟରେ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ବିଶ୍ୱର ପେଟ୍ରୋଲିୟମ ଭଣ୍ଡାର ଶୁଖିବାକୁ ଯାଉଥିଲା, ତେଣୁ ତାଙ୍କ ପାଖରେ ଏହି ଡିଲ୍‌ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ।

ୟୁଏଇ 'ଆବ୍ରାହମ ଚୁକ୍ତି' ମାଧ୍ୟମରେ ଇସ୍ରାଏଲ ସହ ଥିଲେ ମଧ୍ୟ ଇରାନ ସହ ଡିଲ୍ ପାଇଁ ସେ ଇସ୍ରାଏଲର ସାଥ୍ ଛାଡ଼ିଦେଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ରିପୋର୍ଟ ଲିକ୍ ହୋଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଯୁଦ୍ଧ ସମୟରେ ବେଞ୍ଜାମିନ୍ ନେତନ୍ୟାହୁ ୟୁଏଇ ଗସ୍ତ କରିଥିଲେ । ଏହି ରିପୋର୍ଟ ଲିକ୍ କାରଣରୁ ୟୁଏଇ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ନାହୟାନଙ୍କ କୂଟନୀତି ଯୋଗୁଁ ଇସ୍ରାଏଲ ଆଜି ସମଗ୍ର ମିଡିଲ ଇଷ୍ଟ ଅଞ୍ଚଳରେ ଏକାକୀ ହୋଇଯାଇଛି ।

ଆଗକୁ କେଉଁ ସବୁ ମୁଦ୍ଦା ଉପରେ ହେବ ଆଲୋଚନା ?

ଏହି ଅସ୍ଥାୟୀ ୧୪-ସୂତ୍ରୀ ବିଶେଷ ଚୁକ୍ତି ପରେ, ଏବେ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ଥାୟୀ ସହମତି ପାଇଁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ହେବ:

ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍: ଆମେରିକା ଚାହୁଁଛି ଯେ ଇରାନ ନିଜର ସଂବର୍ଦ୍ଧିତ ୟୁରେନିୟମକୁ ଅନ୍ୟ କୌଣସି ତୃତୀୟ ଦେଶକୁ ଶିଫ୍ଟ କରୁ । ଏଥିସହିତ ୟୁରେନିୟମ ସଂବର୍ଦ୍ଧନ ପାଇଁ ଇରାନରେ ଥିବା ସମସ୍ତ ସେଣ୍ଟ୍ରିଫ୍ୟୁଜ୍‌କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଉ ।

ହର୍ମୁଜ୍ ପ୍ରଣାଳୀ ଓ ଟୋଲ୍ ଟ୍ୟାକ୍ସ ବିବାଦ: ଅପରପକ୍ଷରେ ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ 'ହର୍ମୁଜ୍ ପ୍ରଣାଳୀ' ଉପରେ ଆଧିକାରିକ ଭାବେ ଟୋଲ୍ ଟ୍ୟାକ୍ସ ଲଗାଇବାକୁ ଚାହୁଁଛି ଏବଂ ଆମେରିକା ଏହି ପ୍ରସ୍ତାବକୁ ସରକାରୀ ମାନ୍ୟତା ଦେଉ ବୋଲି ଦାବି କରିଛି ।

ଆମେରିକା ଇରାନ ଉପରୁ ନୌସେନା ଅବରୋଧ ହଟାଇବା ସହ କଟକଣା କୋହଳ କରିବାକୁ ରାଜି ହୋଇଛି, ଯାହାଫଳରେ ଇରାନ ଏବେ ମୁକ୍ତ ଭାବେ ନିଜର ଅଶୋଧିତ ତେଲ ବିକ୍ରି କରିପାରିବ । ଏହି ଚୁକ୍ତି ଆଗାମୀ ଦିନରେ ବିଶ୍ୱ ବଜାରରେ ତେଲ ଦର ନିୟନ୍ତ୍ରଣ କରିବାରେ ବଡ଼ ସହାୟକ ହେବ ।

ଆହୁରି ପଢ଼ନ୍ତୁ... Bimal Patel: ବିଶ୍ୱ ମଞ୍ଚରେ ଭାରତର ବଡ଼ ବିଜୟ, ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଟ୍ରିବ୍ୟୁନାଲ୍‌ର ଜଜ୍ ହେଲେ ପ୍ରଫେସର ବିମଲ ପଟେଲ