ନୂଆଦିଲ୍ଲୀ ୦୩/୧୧: ‘ମୁଁ କାହିଁକି ୧୦ଟି ଫରାରି, ୨୦ଟି ହୀରା ଘଣ୍ଟା ଓ ୨ଟି  ଜେଟ୍‌ ବିମାନ ରଖିବାକୁ ଚାହିଁବି । ଏହାଦ୍ୱାରା ସାରା ବିଶ୍ୱର କି ଲାଭ ହେବ? ମୁଁ ଭୋକିଲା ରହି ଚାଷଜମିରେ କାମ କରୁଥିଲି । ଖାଲି ପାଦରେ ଖୋଳୁଥିଲି ଓ ସ୍କୁଲ ଯାଇନଥିଲି ।  ବର୍ତ୍ତମାନ ମୁଁ ଲୋକଙ୍କୁ ସାହାଯ୍ୟ କରିପାରିବି ।’ ଏହା ହେଉଛି ସେନେଗଲର ଫୁଟବଲ ସୁପରଷ୍ଟାର ସାଡିଓ ମାନେଙ୍କ କଥା । ସେ କେବଳ ଭାଷଣବାଜି ଲାଗି ଏକଥା କହିନାହାନ୍ତି । ନିଜର କଥାକୁ କାର୍ଯ୍ୟରେ ପରିଣତ କରି ବି ଦେଖାଇଛନ୍ତି । ଅତ୍ୟଧିକ  ଗରିବୀ ମଧ୍ୟରୁ ଆସିଥିବା ମାନେ ତାଙ୍କ ଗାଁର କାୟାକଳ୍ପ  ପରିବର୍ତ୍ତନ କରିଦେଇଛନ୍ତି ।

 ମାନେ ମାତ୍ର ୭ ବର୍ଷ ବୟସରୁ ନିଜ ପିତାଙ୍କୁ  ହରାଇଥିଲେ । ଆଫ୍ରିକାର ସବୁଠୁ ଗରିବ ଅଞ୍ଚଳ ମଧ୍ୟରୁ  ଅନ୍ୟତମ ଏକ ସ୍ଥାନରେ ଅଙ୍ଗୁରରେ ଖେଳିବାରୁ ଆରମ୍ଭ  ହୋଇଥିବା ତାଙ୍କର ସ୍ୱପ୍ନ ଏବେ ଏକ ଐତିହାସିକ ଅନ୍ତର୍ଜାତୀୟ  କ୍ୟାରିୟରରେ ପରିଣତ ହୋଇଛି । ମାନେ ଇଂଲଣ୍ଡର  ଲିଭରପୁଲ ଓ ଜର୍ମାନୀର ବାୟେର୍ନ ମ୍ୟୁନିକ୍‌ କ୍ଲବ୍‌ ଲାଗି  ଖେଳିସାରିଛନ୍ତି । କ୍ରୀଡ଼ା କ୍ଷେତ୍ରରୁ ରୋଜଗାର କରୁଥିବା  ଅର୍ଥଦ୍ୱାରା ନିଜ ଗାଁ ବାମ୍ବାଲିରେ ଅନେକ ଜୀବନକୁ ଆଲୋକିତ  କରୁଛନ୍ତି ସେ । ବିଶ୍ୱ ବ୍ୟାଙ୍କ୍‌ର ଆକଳନ ଅନୁସାରେ  ବାମ୍ବାଲିରେ ୭୦ ପ୍ରତିଶତରୁ ଅଧିକ ଲୋକ ଗରିବୀ ମଧ୍ୟରେ  କାଳାତିପାତ କରୁଛନ୍ତି । ନିଜ ରୋଜଗାରରୁ ଏକ ନିୟୁତ  ପାଉଣ୍ଡ ଅର୍ଥ ବିନିଯୋଗ କରି ମାନେ ବାମ୍ବାଲିକୁ ସେହି ଜାଲରୁ  ବାହାରକୁ ବାହାର କରିବାର ମିଶନ୍‌ରେ ଅଛନ୍ତି । ୩ ଲକ୍ଷ  ଡଲାର ଖର୍ଚ୍ଚ କରି ଏକ ସ୍କୁଲ ବନାଇଛନ୍ତି ସେ । ଏକ ହସ୍ପିଟାଲ  ନିର୍ମାଣ କରିବା ବାବଦରେ ତାଙ୍କର ୬ ଲକ୍ଷ ଡଲାର ଖର୍ଚ୍ଚ  ହୋଇଛି । 

କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀମାନଙ୍କୁ ସେ  ମାଗଣାରେ ଲାପଟପ୍‌ ଓ ଇଣ୍ଟରନେଟ୍‌ ସେବା ବି ଉପଲବ୍ଧ  କରାଇଛନ୍ତି । ସେହିପରି ଏକ ପୋଷ୍ଟ ଅଫିସ୍‌, ପେଟ୍ରୋଲ  ପମ୍ପ, ମସଜିଦ୍‌ ବି ତାଙ୍କ ପ୍ରଚେଷ୍ଟାରେ ତିଆରି ହୋଇଛି ।  ମାନେଙ୍କର ବଦାନ୍ୟତା ଏତିକିରେ ସରିନାହିଁ । ଗାଁର ଗରିବ  ପରିବାରକୁ ପ୍ରତି ମାସରେ ସେ ୭୬ ଡଲାର ସହାୟତା  ପ୍ରଦାନ କରୁଛନ୍ତି । ତାଙ୍କର ଏହି କାହାଣୀ ଏବେ ସୋସିଆଲ  ମିଡିଆରେ ଭାଇରାଲ୍‌ ହେଉଥିବାବେଳେ ଅନେକ ୟୁଜର  ଏ ସଂପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆମର  କ୍ରୀଡ଼ାବିତ୍‌, ସେଲିବ୍ରିଟି ଓ ଧନୀ ଲୋକମାନେ ଏଭଳି  ହେଲେ ଦେଶର କାୟା ପରିବର୍ତ୍ତନ ହୋଇଯାଆନ୍ତା ବୋଲି  ଅନେକ ମତ ରଖିଛନ୍ତି